ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟରେ ସଂସଦର ସଭାପତି ପ୍ର. ଦେବେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ଆସନ୍ତା ନଭେମ୍ବର ମାସରେ ତିନି ଦିନ ଧରି ୭୫ ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ସ୍ଥିରିକୃତ ହୋଇଥିଲା। ସେଥି ନିମନ୍ତେ ଆସନ୍ତା ୨୪ ତାରିଖ ରବିବାର ଅପରାହ୍ଣ ୪ ଘଟିକା ସମୟରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ ଏକ ସାଧାରଣ ବୈଠକ ଡାକିବାକୁ ସ୍ଥିର କରାଯାଇଥିଲା। ଉକ୍ତ ବୈଠକରେ ନୂତନ ସଭ୍ୟ ସଂଗ୍ରହ କରାଯିବା ସଙ୍ଗେସଙ୍ଗେ ୭୫ ବର୍ଷ ପୂର୍ତ୍ତି ପାଳନ ନିମନ୍ତେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ସାଧାରଣ ବୈଠକରେ ଆଲୋଚନା କରିବାକୁ ନିଷ୍ପତି ନିଆଗଲା। ଚଳିତ ବର୍ଷ ଶେଷ ମାସରେ ନାକ୍ ଟିମ୍ ଭଦ୍ରକ କଲେଜ ଆସିବାକୁ ଥିବାରୁ ସେଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିବା ପାଇଁ ବୈଠକରେ ଯୋଗ ଦେଇଥିବା କଲେଜର ଅଧ୍ୟକ୍ଷ ସୁବୋଧ କୁମାର ମିଶ୍ରଙ୍କୁ ଅନୁରୋଧ କରାଗଲା। ଆଗାମୀ ୨୪ ତାରିଖରେ ହେବାକୁ ଥିବା ସାଧାରଣ ବୈଠକରେ ପୁରାତନ ଛାତ୍ରମାନଙ୍କୁ ଯୋଗ ଦେବାକୁ ବୈଠକରେ ଅନୁରୋଧ କରାଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ଭଦ୍ରକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ ଯୋଗ ଦେଇଥିବା ବେଳେ ସୌରେଶ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, ଗୋକୁଳାନନ୍ଦ ମହାନ୍ତି, ସରୋଜ ତପନ ଦାସ, ସରୋଜ କୁମାର ଦାସ, ବିଜୟ ସାହୁ, ପ୍ରମୋଦ ରାୟ, ଅମରେନ୍ଦ୍ର ବିଶ୍ୱାଳ, ସଂଗ୍ରାମ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ପାଦକ ଅଜୟ କୁମାର ନାୟକ ସଭା ପରିଚାଳନରେ ସହଯୋଗ ନିମେନ୍ତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।