Home ଜିଲ୍ଲା ପରିକ୍ରମା ଆରଡିସିଙ୍କ ଭଦ୍ରକ ଗସ୍ତ – ବିଭିନ୍ନ ବିଭାଗର କାର୍ଯ୍ୟଧାରାର ତଦାରଖ

ଆରଡିସିଙ୍କ ଭଦ୍ରକ ଗସ୍ତ – ବିଭିନ୍ନ ବିଭାଗର କାର୍ଯ୍ୟଧାରାର ତଦାରଖ

58

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ଡ. ସୁରେଶ କୁମାର ଦଳାଇ ଭଦ୍ରକ ଗସ୍ତରେ ଆସି ଜିଲା ପ୍ରଶାସନ ଅଧୀନରେ ଥିବା ସମସ୍ତ ବିଭାଗର କାର୍ଯ୍ୟଧାରାକୁ ତଦାରଖ କରିଛନ୍ତି। ଜିଲା ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଆରଡିସିଙ୍କ ଏହି ଇନ୍ସିପେକ୍ସନ ବୈଠକରେ ଜିଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର, ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର, ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ରାଜସ୍ୱ, ଅଡିଟ୍‌, ଭୂ-ଅର୍ଜନ, ଅବକାରୀ, ସଡକ ପରିବହନ, ଜିଲା ପଂଚାୟତ ଅଫିସ୍‌, ଜିଲା ସମାଜ ମଙ୍ଗଳ, ଜିଲା ମଂଗଳ, ଶିଶୁ ସୁରକ୍ଷା, ସାମାଜିକ ସୁରକ୍ଷା, କ୍ରୀଡା, ବିଚାର ବିଭାଗ, ନିଜାରତ ଓ ସଂସ୍କୃତି ବିଭାଗ ସହ ଅନ୍ୟାନ୍ୟ ବିଭାଗର କାର୍ଯ୍ୟଧାରାକୁ ତଦାରଖ କରିଛନ୍ତି। ଏହି ବୈଠକ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ଜିଲା ପ୍ରଶାସନର ଅଡିଟ୍ ବିଭାଗରେ ଦୀର୍ଘଦିନ ଧରି ପଡିରହିଥିବା ଅଡିଟ୍ ପାରା ଗୁଡିକର ଫଇସଲା ହେଉନଥିବା ନେଇ ଆରଡିସି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷକରି ଏଜି ଅଡିଟ୍ ଶହେରୁ ଉର୍ଦ୍ଧ୍ୱ ମାମଲା ଫଇସଲା ନହୋଇ ପଡିରହିଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହାବ୍ୟତୀତ ଜିଲା ପ୍ରଶାସନର ବହୁ ପଦବୀ ଫାଙ୍କା ପଡିଥିବାର ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଶେଷକରି ସଦର ତହସିଲରେ ଦୀର୍ଘଦିନ ଧରି ତହସିଲଦାର ଓ ସବରେଜିଷ୍ଟ୍ରାର, ଅତିରିକ୍ତ ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର ପଦବୀ ଫାଙ୍କା ପଡିଛି। ସେହିପରି ୫୬ ଟି ତୃତୀୟ ଓ ଚତୁର୍ଥୀ ଶ୍ରେଣୀ ପଦବୀ ଫାଙ୍କା ପଡିଛି। ଏହି ପଦବୀ ଗୁଡିକ ପୂରଣ ନେଇ ତାଙ୍କ ଜରିଆରେ ସରକାରଙ୍କ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ତହସିଲରେ ଭୂମିହୀନମାନଙ୍କୁ ପଟ୍ଟା ଶୀଘ୍ର ପ୍ରଦାନ କରିବା ଓ ନାମଜାରୀ କେଶ୍‌ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଆରଟିଆଇରେ ଦୀର୍ଘଦିନ ଧରି ପଡିରହିଥିବା ୨୦ଟି ଅଭିଯୋଗର ତଥ୍ୟ ପ୍ରଦାନ ନକରିବା ନେଇ ସେ ବିରକ୍ତି ପ୍ରକାଶ କରିଥିଲେ। ଧାନକିଣାରେ ଅଂଶଗ୍ରହଣ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ୮ ମାସ ଧରି ପ୍ରୋତ୍ସାହନ ରାଶି ନଦେବା, ମିଶନଶକ୍ତି ଗୃହ ନିର୍ମାଣରେ ବିଳମ୍ବ ଘଟିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଜୀବିକା ମିଶନରେ ଡବ୍ଲ୍ୟୁଏସଏଚ୍‌ଜି ପକ୍ଷରୁ ଉତ୍ପାଦିତ କରାଯାଉଥିବା ବିଭିନ୍ନ ସାମଗ୍ରୀର ବଜାର ସୃଷ୍ଟି କରିବା ନିମନ୍ତେ ଆରଡିସି ଗୁରୁତ୍ୱ ଦେଇଥିଲେ। ସେହିପରି ଜିଲାରେ ଥିବା ଆଦିବାସୀ ସ୍କୁଲ ଗୁଡିକର ଦଶମ ଶ୍ରେଣୀର ପରୀକ୍ଷାଫଳ ଭଲ ହେଉନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ଆସନ୍ତାବର୍ଷରେ ଯେପରି ପରୀକ୍ଷା ଫଳ ଏ-୧ ରେ ୯ ଜଣ ଓ ଏ-୨ ରେ ୨୭ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିବେ ଏ ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ଟାର୍ଗେଟ୍ ଦେଇଛନ୍ତି। ଜିଲା ସଡକ ପରିବହନ ବିଭାଗ (ଆରଟିଓ) ଙ୍କ ରାଜସ୍ୱ ଆୟ କମୁଥିବା ନେଇ ବୈଠକରେ ବିଭାଗ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ସହ ଅଧିକ ୨୫ ପ୍ରତିଶତ ରାଜସ୍ୱ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅବକାରୀ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ ଆଶାନୁରୂପ ହେଉନଥିବା ନେଇ ଓ ରାଜସ୍ୱ ଆୟ କମିଯିବା ନେଇ ବିରକ୍ତି ପ୍ରକାଶ କରିଥିଲେ। ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ସହ ଅଧିକ ୨୫ ପ୍ରତିଶତ ରାଜସ୍ୱ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଯେପରି ସୁରୁଖୁରୁରେ ହେବ, ଏ ନେଇ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଧାନକିଣା ସମୟରେ ମଣ୍ଡିରେ ଭିଡ ନହେବା ପାଇଁ ସ୍ଲଟ୍ ବୁକିଂ ମାଧ୍ୟମରେ ଧାନ କିଣିବାକୁ ପରାମର୍ଶ ଦେଇଥିଲେ। ସେହିପରି ଭିନ୍ନକ୍ଷମମାନଙ୍କ ବିଭାଗ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବା ନେଇ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ପଂଚାୟତ ଗୁଡିକର ଇନ୍ସିପେକ୍ସନ କାର୍ଯ୍ୟ ନିୟମିତ ହୋଇପାରୁନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଏମ୍‌ପି ଓ ଏମ୍‌ଏଲ୍‌ଏ ଫାଣ୍ଠି ସଠିକ୍ ଭାବେ ବିନିଯୋଗ ନହୋଇ ଅର୍ଥ ପଡିରହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଦାରିଦ୍ର‌୍ୟ ଦୂରୀକରଣ ଯୋଜନାରେ ଅପେକ୍ଷାରତ ହିତାଧିକାରୀମାନଙ୍କୁ ବିଜୁ ପକ୍କାଘର ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.