Home ଜିଲ୍ଲା ପରିକ୍ରମା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଚୋରଙ୍କ ଦୌରାତ୍ମ୍ୟ

ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଚୋରଙ୍କ ଦୌରାତ୍ମ୍ୟ

63

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ଦ୍ୱିତୀୟ ଲହର ପାଇଁ ଜାରୀ ହୋଇଛି ଲକ୍‌ଡାଉନ ଓ ସପ୍ତାହାନ୍ତ ସର୍ଟଡାଉନ୍ । ସମଗ୍ର ସହରକୁ ନାକାବନ୍ଦୀ କରାଯାଇଛି । ସହରର ସମସ୍ତ ପ୍ରବେଶ ପଥରେ ପୁଲିସ ପ୍ରଶାସନ ପକ୍ଷରୁ ବାଉଁଶ ବାଡ଼ ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ଚଳ ପ୍ରଚଳ ଉପରେ କଡା ନଜର ରଖାଯାଇଛି । ପ୍ରତେଢକ ଛକରେ ପୁଲିସ ଅସ୍ଥାୟୀ ଶିବିର ସ୍ଥାପନ କରି ୨୪ଘଣ୍ଟିଆ ପହରା ଦେଉଛି । ଏତେ ସବୁ ପୁଲିସ ଏନଫୋର୍ସମେଣ୍ଟ ସତ୍ତ୍ୱେ ସହରାଞ୍ଚଳ ଥାନା ଇଲାକାରେ ପୁଲିସକୁ ଚାଲେଞ୍ଜ କରିଛନ୍ତି ଲୁଟେରା । ବିଶେଷକରି ଜିଲ୍ଲା ଆରକ୍ଷୀ ଅଧିକଙ୍କ କାର୍ଯ୍ୟାଳୟ ନିକଟରେ ଇତିମଧ୍ୟରେ ୫ରୁ ଉର୍ଦ୍ଧ୍ୱ ସ୍ଥାନରେ ଚୋରି ହୋଇଥିବା ଜଣା ପଡ଼ିଛି । ଏସମସ୍ତ ଘଯଣାରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । କେତେକ ଅଭିଯୋଗକାରୀ ସନ୍ଧିଗ୍ଧ ଚୋରଙ୍କ ସିସି ଟିଭି ଫୁଟେଜ ପୁଲିସକୁ ପ୍ରଦାନ କରିଛନ୍ତି । କିନ୍ତୁ ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ପାରୁନି । ଲକଡାଉନ ସମୟରେ ହେଲମେଟ ଚେକିଂ ପାଇଁ ପୁଲିସ ଯେତିକି ତତ୍ପରତା ପ୍ରକାଶ କରୁଛି, ସେଥିରୁ କାଣିଚାଏ ଉଦ୍ୟମ ଯଦି କରାଯାଆନ୍ତା, ତେବେ ଏପରି ନିୟମିତ ଘଟୁଥିବା ଚୋରିକୁ ରୋକାଟାଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଏସପିଙ୍କ କାର୍ଯ୍ୟାଳୟ ଠାରୁ ୪୦ ମିଟର ଦୂରତାରେ ଓ ଟାଉନହଲ ନିକଟରେ ସ୍ଥାପିତ ପୁଲିସର ଅସ୍ଥାୟୀ ଲକଡାଉନ ଶିବିରର ମାତ୍ର ୨୦ ମିଟର ଦୂରରେ ଥିବା ଅମ୍ବର ନାମକ ଏକ ଡ୍ରେସ ଦୋକାନରୁ ଚୋରି ହୋଇଛି । ତେବେ ଦୋକାନର ମାଲିକ ଏ ସମ୍ପର୍କରେ ଜାଣି ଦୋକାନ ନିକଟରେ ପହଞ୍ଚିଥିଲେ । ଦୋକାନ ଘରର ଆଜବେସଟସ ଓ ସିଲିଂକୁ କାଟି ଦୁର୍ବୁତ୍ତ ମାନେ ବହୁ ସମାଗ୍ରୀ ଲୁଟି ନେବା ସହ ତାଙ୍କ ସିସି ଟିଭି କ୍ୟାମେରାର ହାର୍ଡ଼ଡିସ୍କ ନେଇଯାଇଥିବା ଦେଖିବାକୁ ପାଇ ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ଭିତ୍ତିରେ ସହରାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହରିହର ମହାନ୍ତିଙ୍କ ପତ୍ନୀ କରିଥିବା ବିଉଟି ପାର୍ଲର ‘ଲାବଣ୍ୟ’ରୁ ଗତ ୪ଦିନ ପୂର୍ବେ ଚୋରି ହୋଇଛି । ଅନୁରୂପ ଏସପିଙ୍କ କାର୍ଯ୍ୟାଳୟ ପଛପାଖରେ ଅବସ୍ଥିତ ଅସ୍ଥଳ ଗ୍ରାମର ଡାକ୍ତରା ପ୍ରଫୁଲ୍ଲ ନନ୍ଦ, ଆଇନଜୀବୀ ସରୋଜ ରଂଜନ ମହାନ୍ତିଙ୍କ ଘରେ ମଧ୍ୟ ଚୋରି ହୋଇଛି । ଏସମସ୍ତ ଘଟଣାରେ ନିର୍ଦ୍ଧିଷ୍ଟ ଅଭିଯୋଗ ପୁଲିସ ନିକଟରେ ହୋଇଛି । କେତେକ ଅଭିଯୋଗକାରୀ ପୁଲିସ ନିକଟରେ ସିସି ଟିଭି କ୍ୟାମେରା ଫୁଟେଜ ମଧ୍ୟ ଦାଖଲ କରିଛନ୍ତି, ଯେଉଁଥିରୁକି ୩ରୁ ୪ଜଣ ସନ୍ଧିଗ୍ଧଙ୍କୁ ଦେଖିବାକୁ ମିଳୁଛି । ତଥାପି ପୁଲିସ ଲୁଟେରାଙ୍କ ନିକଟରେ ପହଞ୍ଚି ନପାରି ଅନ୍ଧାରରେ ବାଡ଼ି ବୁଲାଉଛି । କେବଳ ଏହି ନିର୍ଦ୍ଧିଷ୍ଟ ସ୍ଥାନ ନୁହେଁ, ସହରର ବିଭିନ୍ନ ସ୍ଥାନରେ ଏପରି ଘଟଣା ଘଟୁଛି । ଲକଡାଉନ ସମୟରେ ପୁଲିସ ଲେକଙ୍କ ଚଳପ୍ରଚଳ ଉପରେ ସମସ୍ତ ଛକରେ ନଜର ରଖୁଥିବାବେଳେ, ଦୁର୍ବୁତ୍ତମାନେ ସେମାନଙ୍କ କାର୍ଯ୍ୟକଳାପ ଜାରୀ ରଖିଛନ୍ତି । ଦୁର୍ବଳ ପେଟ୍ରୋଲିଂ ବ୍ୟବସ୍ଥା ସହିତ ଦୁର୍ବୁତ୍ତଙ୍କୁ ଧରିବାକୁ ଉଦ୍ୟମ ନହେଉଥିବାରୁ, ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ଲକଡାଉନ ସମୟରେ କାମ ଧନ୍ଦା ନଥିବାରୁ ବେକାର ହୋଇ ବସିଥିବା କିଛି ବ୍ୟକ୍ତିବିଶେଷ ଏପରି କରୁଥିବା ପୁଲିସ ସନ୍ଦେହ କରୁଛି । ତେବେ ସହରରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦେକାନ ବନ୍ଦ କରି ଘରେ ବସିଥିବା ବ୍ୟବସାୟୀମାନଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.