Home ଜିଲ୍ଲା ପରିକ୍ରମା ଆମ ସମସ୍ୟା-କଣ୍ଟିଘାଇ, ଦୁର୍ବଳ ନେତୃତ୍ୱ ଯୋଗୁଁ ହେଉନି ସମାଧାନ

ଆମ ସମସ୍ୟା-କଣ୍ଟିଘାଇ, ଦୁର୍ବଳ ନେତୃତ୍ୱ ଯୋଗୁଁ ହେଉନି ସମାଧାନ

18

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୭୧ ମସିହାରୁ ମନୁଷ୍ୟକୃତ ଭାବେ ସୃଷ୍ଟି ବୈତରଣୀ ନଦୀ ବାମପାଶ୍ୱର୍ର ‘କଣ୍ଟିଘାଇ’ ସମସ୍ୟାର ସମାଧାନ ଦୁର୍ବଳ ନେତୃତ୍ୱ ଯୋଗୁଁ ହୋଇପାରୁନଥିବା ଜନମତ ପ୍ରକାଶ ପାଇଛି । ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବନ୍ୟାଞ୍ଚଳ ଲୋକେ ପ୍ରତ୍ୟେକ ବର୍ଷ ବୈତରଣୀ ନଦୀର ‘କଣ୍ଟିଘାଇ’ ଯୋଗେ ହେଉଥିବା ବନ୍ୟା ବିତ୍ପାତକୁ ବିନା ପ୍ରତିବାଦରେ ସହି ଆସୁଛନ୍ତି । ବନ୍ୟା ଦାଉରୁ ଜନସାଧାରଣଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ କାର୍ଯ୍ୟକରିଥାଏ । ମାତ୍ର ସଂପୃକ୍ତ ଅଞ୍ଚଳରେ ରକ୍ଷକ ପରିବର୍ତ୍ତେ ଭକ୍ଷକର ଭୂମିକା ଲିଭାଉଛି ଏହି ବିଭାଗ । ଆଖୁଆପଦା ଡିଭିଜନ କାର୍ଯ୍ୟାଳୟ ପଙ୍ଗୁ ହୋଇଥିବାରୁ ଏହି ଅଞ୍ଚଳର ଜଳସମ୍ପଦର ସୁପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ପାଇଁ ପଡୋଶୀ ଜିଲ୍ଲାର ସଦର ମହକୁମା ଯାଜପୁର ଡିଭିଜନ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ବ୍ଲକର ବୈତରଣୀ ନଦୀ ୩୦ କିଲୋମିଟର ପାଶ୍ୱର୍କୁ ସୁରକ୍ଷା ଦେବାରେ ବିଭାଗ ସମ୍ପୁର୍ଣ୍ଣ ଅବହେଳା କରିଚାଲିଛି । ମଞ୍ଜୁରୀରୋଡର ବିରିଡିଠାରୁ ଆଖୁଆପଦା ପର୍ଯ୍ୟନ୍ତ ମାତ୍ର ୧୦ କିଲୋମିଟର ନଦୀକୂଳର ବନ୍ଧକୁ କ୍ୟାପିଟାଲ ବନ୍ଧର ମାନ୍ୟତା ଦିଆଯାଇଥିଲେ ମଧ୍ୟ ତାହାର ରକ୍ଷଣାବେକ୍ଷଣ ଆଦୌ କରାଯାଉନାହିଁ । କ୍ୟାପିଲାଟ ମାନ୍ୟତା ପ୍ରାପ୍ତ ଏହି ୧୦ କିଲୋମିଟର ନଦୀବନ୍ଧ ବାହାରେ ନଦୀପଠାକୁ ନାଆମୀ, ତେସିଙ୍ଗା, ନେରଡା ଆଦି ପଞ୍ଚାୟତର ବହୁ ଜନବସତି ଥିଲେ ମଧ୍ୟ ସେଗୁଡିକର ସୁରକ୍ଷା କଥା ବିଭାଗ ଆଦୌ ଚିନ୍ତାକରିନାହିଁ ।

ଫଳରେ ଏହି ସବୁ ଗ୍ରାମର ୧୦ହଜାର ବାସିନ୍ଦା କେବଳ ଭାଗ୍ୟକୁ ଆଦରୀ ସେଠାରେ ପଡିରହିବା ସାର ହୋଇଛି । ଆଖୁଆପଦାଠାରୁ ରଘୁନାଥପୁର ପର୍ଯ୍ୟନ୍ତ ଥିବା ୮ କିଲୋମିଟର ନଦୀବନ୍ଧ ବିଭାଗ ଦ୍ୱାରା କୃଷି ନଦୀବନ୍ଧ ମାନ୍ୟତା ମଧ୍ୟରେ ସୀମିତ ଅଛି ଯାହାର ରକ୍ଷଣା ବେକ୍ଷଣ କରିବାକୁ ବିଭାଗ ପାଶୋରୀ ଦେଇଛି । ରଘୁନାଥପୁର ଠାରୁ ମଣିନାଥପୁର ପର୍ଯ୍ୟନ୍ତ ଥିବା ୫କିଲୋମିଟର ମାଛବନ୍ଧ ସଦୃଶ ନଦୀବନ୍ଧ ଟେଷ୍ଟରିଲିଫ ବନ୍ଧ ରୂପେ ବିଭାଗ ଦ୍ୱାରା ସ୍ୱୀକୃତ । ଏହା ବିଭାଗୀୟ ନଦୀବନ୍ଧ ମାନଚିତ୍ରରେ ସ୍ଥାନପାଇ ନାହିଁ । ବିଭାଗ ଏହି ସ୍ଥାନରେ ଏକ କୃତ୍ରିମ ଘାଇ ବ୍ୟବସ୍ଥା କରିଛି ଯାହାକୁ ଭଣ୍ଡାରିପୋଖରୀ, ଧାମନଗର, ତହିଡି ଆଦି ବ୍ଲକର ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ବିପତ୍ତିର କାରଣ ହୋଇଛି । ରଘୁନାଥପୁର ଓ ବିନ୍ଧାଣ ଗ୍ରାମର ସଂଯୋଗସ୍ଥଳୀରେ ଥିବା ନଦୀର ଭୌଗଳିକ ମୋଡକୁ ଏକ ସୁଯୋଗ ରୂପେ ବ୍ୟବହାର କରି ବିଭାଗ ସ୍ୱାଧିନତା ପରିବର୍ତ୍ତୀ କାଳରେ ୧୯୭୧ ମସିହାରେ କୃତ୍ରିମ ଭାବେ କଣ୍ଟିଘାଇ ସୃଷ୍ଟି କରି ପୂର୍ବର ଖୋଳା ନାଳ ସହ ସଂଯୋଗ କରିବାର ସୁଚିନ୍ତିତ ଜନସ୍ୱାର୍ଥ ବିରୋଧି ବ୍ୟବସ୍ଥା କରିଛି । ପୂର୍ବରୁ ପ୍ରଶସ୍ତ ପ୍ରାନ୍ତର ଥିବା ଏହି ସ୍ଥାନରେ ନଦୀର ବାଙ୍କ ଶଯ୍ୟାକୁ ଏଡାଇ ବନ୍ୟାଜଳ ଅପେକ୍ଷାକୃତ ସିଧା ହେଉଥିବା କଣ୍ଟିଘାଇ ମଧ୍ୟଦେଇ ତିନି ଚତୁର୍ଥାଂଶ ବନ୍ୟାଜଳ ଅତି କ୍ଷିପ୍ରଗତିରେ ପ୍ରବେଶ କରିବା ଯୋଗୁଁ ଅତିଶିଘ୍ର ଏହି ଘାଇ ଏକ ନଦୀ ସଦୃଶ ରୂପ ଧାରଣ କରିଛି । ୧୯୭୧ ମସିହା ପୂର୍ବରୁ ଜଳସେଚନ ପାଇଁ ଏହି ପ୍ରାନ୍ତର ମଧ୍ୟଦେଇ ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ଥିବା ମଣିନାଥପୁର ଓ ଷୋଳମପୁର ମାଇନର କେନାଲର ସ୍ଥିତି ନିଶ୍ଚିହ୍ନ ହୋଇଯାଇଛି । ବିଭାଗୀୟ ନଥିପତ୍ରରେ ଏହି ଘାଇର ଦୈର୍ଘ୍ୟ ୨୭୦ ମିଟର ଥିବା ବେଳେ ବାସ୍ତବରେ ୫୨୦ ମିଟର ଘାଇରେ ବନ୍ୟାଜଳ ପ୍ରବେଶ କରୁଛି । ୨୦୧୧ ବନ୍ୟା ପରେ ପୂର୍ବର ବର୍ଷୱାରୀ ପଥରବନ୍ଧ ନିର୍ମାଣକୁ ରୋକାଯାଇ କ୍ରଂକିଟକରଣ ନିମ୍ନଉଚ୍ଚତାରେ କରାଯାଇଛି । କଂକ୍ରିଟକରଣ ପରେ ଅଧିକ ମାତ୍ରାରେ ବନ୍ୟାଜଳ ପ୍ରବେଶ କରିବା ବିଡମ୍ବନାର ବିଷୟ ହୋଇଛି । ଏହି ଘାଇ ମାଧ୍ୟମରେ ପ୍ରବେଶକାରୀ ବନ୍ୟାଜଳ ଦ୍ୱାରା ଚାଷଜମି ବାଲିଚର ହେବା, ଘରଦ୍ୱାର ଭସାଇ ନେବା, ରାସ୍ତାଘାଟ ଧୋଇନେବା ଆଦି କାରଣରୁ ପ୍ରତିବର୍ଷ ପ୍ରାୟ ୨ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥାଏ । ଦୁର୍ବଳ ନେତୃତ୍ୱ ‘କଣ୍ଟିଘାଇ’ ସମସ୍ୟା ସମାଧାନ ଦିଗରେ ମୁଖ୍ୟ ଅନ୍ତରାୟ ବୋଲି ବାଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.