ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଝୁଟୁଣା ପଞ୍ଚାୟତର ଆମ୍ବଗଡିଆ ଗ୍ରାମରେ ଗତକାଲି ରାତ୍ରରେ ଅଗ୍ନିକାଣ୍ଡ ଘଟି ସାତବଖରା ପୋଡିପାଉଁଶ ହୋଇ ଯାଇଛି । ରାତ୍ର ପ୍ରାୟ ୧୧.୪୫ ମିନିଟ ସମୟରେ ଶୌଚପାଇଁ ଉଠିଥିବା ଲୋକେ ଘର ଜଳୁଥିବା ଦେଖିଥିଲେ । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ କେନ୍ଦ୍ର କର୍ମଚାରୀମାନେ ଆସି ଅଗ୍ନିକୁ ଆୟତ୍ତ କରିଥିଲେ । ମଧ୍ୟରାତ୍ର ହୋଇଥିବାରୁ ଘରର ସମସ୍ତ ଆସବାବପତ୍ର, ଧାନଚାଉଳ, ସୁନାରୂପା, ଟଙ୍କାପଇସା ଆଦି ଜଳିଯାଇଥିଲା । ଗ୍ରାମର ସୂର୍ଯ୍ୟମଣି ବିଶ୍ୱାଳଙ୍କର ତିନି ବଖରା ସହ ନଡାଗଦା, ବିଶ୍ୱନାଥ ବିଶ୍ୱାଳଙ୍କର ତିନିବଖରା, ନଟବର ବିଶ୍ୱାଳଙ୍କର ଏକ ବଖରା ସହ ନଡାଗଦା ଓ ରୋଷେଇ ଗ୍ୟାସ ଟାଙ୍କିଫାଟି ଯିବାରୁ ପଡୋଶୀ ସୁନନ୍ଦ ସାହୁଙ୍କର ଏକବଖରା ଘର ଜଳିଯାଇଥିଲା । ବିଦ୍ୟୁତ ସଟସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଉଛି । ଅଗ୍ନିବିପନ୍ନଙ୍କୁ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯାଇଛି । ସେହିପରି ତହସିଲ ପକ୍ଷରୁ ପଲିଥିନ ବିପନ୍ନଙ୍କୁ ଯୋଗାଇ ଦିଆଯାଇଛି । ଗତ ମଙ୍ଗଳବାର ବାବଲପୁରରେ ବାଉଁଶବୁଦା, ବନ୍ଦାଳୋରେ ନଡାଗଦା, ଆକୁଲିକଣାରେ ଛଣଗଦା ଜଳିଯାଇଛି । ବୁଧବାର ମଧ୍ୟାନ୍ନରେ ସାରୋ ଗ୍ରାମରେ ବାଉଁଶ ବୁଦା ମଧ୍ୟ ଜଳିଯାଇଛି । ସମସ୍ତ ଘଟଣାରେ ସ୍ଥାନୀୟ ଦମକଳବାହିନୀ ଅଗ୍ନିକୁ ଆୟତ୍ତ କରିଛି ।