Home ଜିଲ୍ଲା ପରିକ୍ରମା ଆଦର୍ଶ ବିଦ୍ୟାଳୟରେ ଅନାଦର୍ଶ କାର୍ଯ୍ୟ : ମୃତ୍ୟୁର ବର୍ଷକ ପରେ ବି ମିଳୁନି ସହାୟତା

ଆଦର୍ଶ ବିଦ୍ୟାଳୟରେ ଅନାଦର୍ଶ କାର୍ଯ୍ୟ : ମୃତ୍ୟୁର ବର୍ଷକ ପରେ ବି ମିଳୁନି ସହାୟତା

210

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କର୍ମଚାରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଶ୍ରମ ବିଭାଗ ପାରିବାରିକ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥାଏ । କାର୍ଯ୍ୟ ସମୟରେ କର୍ମଚାରୀ ଜଣଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ଦିଆଯିବା ନିୟମ ଅଛି । ହେଲେ ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ କୁହାଯାଉଥିବା ଆଦର୍ଶ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ଏହା ନରହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଘରୋଇ କ୍ଷେତ୍ରରେ ଶ୍ରମ ଆଇନ୍‌କୁ କଡାକଡି କରି ଲାଗୁ କରାଯାଉଥିବାବେଳେ ସରକାରଙ୍କର ନିଜ ସଂସ୍ଥାରେ ଏଭଳି ସାମାଜିକ ସୁରକ୍ଷା ନରହିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ଏବେ ଦାଣ୍ଡରେ ଭିକାରୀ ହୋଇଲେ ଅତ୍ୟୁକ୍ତି ହେବନାହିଁ । ବାପା ମା ପରିଶ୍ରମ କରି ପୁଅକୁ ପାଠ ପଢାଇବା ପାଇଁ ନିଜର ସମସ୍ତ ଶ୍ରମ ଜଳାଞ୍ଜଳି ଦେଇଥିଲେ । ପୁଅ ଚାକିରୀ କଲା ପରେ ମଧ୍ୟ ପରିବାର ବେଶ୍ ହସଖୁସିରେ ଚାଲିଥିଲା । ହେଲେ କାଳର କରାଳ ଗରତି ଏହି ପରିବାର ପାଇଁ ଆଣି ଦେଇଥିଲା ଦୁଃଖଦ ସମ୍ବାଦ । ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଚିରଦିନ ପାଇଁ ଆଖି ବୁଜିଦେଇଥିବା ନିଜର ରୋଜଗାରିଆ ପୁଅ ଭଦ୍ରକ ଜିଲା ତିହିଡି ବ୍ଲକ୍‌ର ଦୋଳସାହି ପଂଚାୟତ ଗଂଗାଧର ସାମଲଙ୍କ ପୁଅ ଅଶୋକ ୨୦୧୬ ମସିହା ଏପ୍ରିଲ ମାସରେ କୋରାପୁଟ ଜିଲାର ନନ୍ଦପୁର ବ୍ଲକ୍‌ରେ ଥିବା ଆଦର୍ଶ ବିଦ୍ୟାଳୟରେ ଗଣିତ ଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ । ୨୦୧୯ ଜୁନ୍ ମାସରେ ତାଙ୍କର ବନ୍ତରେ ଥିବା ଆଦର୍ଶ ବିଦ୍ୟାଳୟକୁ ବଦଳି ହୋଇଥିଲା ।

 

 

ହେଲେ ସେହିବର୍ଶ ଜୁନ୍ ମାସ ୧୩ ତାରିଖ ଦିନ ନିଜ ଘରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଅଶୋକ । ନିଜର ରୋଜଗାରିଆ ପୁଅକୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଥିଲେ । ଇତିମଧ୍ୟରେ ଘଟଣାକୁ ବର୍ଷେ ବିତିଗଲାଣି । ନିଜ ପାରିବାରିକ ସୁରକ୍ଷା ପାଇଁ ପରିବାର ତରଫରୁ ଯୋଗାଯୋଗ କରିବା ପରେ ଜଣାପଡିଲା ଯେ ଏହି ନିଯୁକ୍ତି କ୍ଷେତ୍ରରେ ପାରିବାରିକ ନିରାପତ୍ତା ପାଇଁ କୌଣସି ସୁବିଧା ନାହିଁ । ନିଜେ ଗଂଗାଧର ଉଚ୍ଚ ରକ୍ତଚାପ ସାଙ୍ଗକୁ ମଧୁମେହ ରୋଗରେ ପୀଡିତ ଥିବାବେଳେ ଅନ୍ୟ ଦୁଇପୁଅ ଏବେ ପାଠପଢାରେ ବ୍ୟସ୍ତ । ଏଣୁ ଏପରି ପରିସ୍ଥିତିରେ ପରିବାର କିପରି ଚାଲିବ, ତାହା ଏବେ ପ୍ରଶ୍ନବାଚୀ । ଏଣୁ ରାଜ୍ୟ ସରକାର ଏଥ୍ରିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ତଥଶ ଅନ୍ୟ ଫୋରମରେ ବାରମ୍ବାର ଅଭିଯୋଗ କଲେ ବି ପରିବାର ନ୍ୟାୟ ପାଇପାରିନି । ତେଣୁ ବାଧ୍ୟ ହୋଇ ପରିବାର ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପାଖରେ ଦ୍ୱାରସ୍ଥ ହୋଇଛନ୍ତି । ମୃତ ଶିକ୍ଷକ ଅଶୋକ ସାମଲଙ୍କ ପିତା ଗଂଗାଧର ସାମଲ ଏହି କ୍ରମରେ ଏକ ମାମଲା ରୁଜୁ କରିଛନ୍ତି । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଆବେଦନ ଗ୍ରହଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.