Home ଜିଲ୍ଲା ପରିକ୍ରମା ଆଜିଠାରୁ ଉର୍ସ ଉତ୍ସବ ଆରମ୍ଭ : ଲକ୍ଷାଧିକ ଭକ୍ତଙ୍କ ସମାଗମ

ଆଜିଠାରୁ ଉର୍ସ ଉତ୍ସବ ଆରମ୍ଭ : ଲକ୍ଷାଧିକ ଭକ୍ତଙ୍କ ସମାଗମ

35

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ଆଜିଠାରୁ ଉର୍ସ ଉତ୍ସବ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ପାଳିତ ହେଉଥିବା ପୀର ବାବା ହଜରତ ମୁଜାହିଦ-ଏ-ମିଲତ ଆଲହାଜ ଶାହା ମହମ୍ମଦ ହବିବୁର ରହେମାନଙ୍କ ୪୪ତମ ଉର୍ସ ଉତ୍ସବ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଛନ୍ତି । ମୁସଲିମ୍ ସଂପ୍ରଦାୟର ଏହି ପ୍ରସିଦ୍ଧ ଉର୍ସ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସକରାତ୍ମକମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୪ଟି ମୋବାଇଲ୍ ପାଟ୍ରୋଲିଂ ଗଠିତ ହୋଇଛି । ଲକ୍ଷାଧିକ ଜନସମାବେଶକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ପକ୍ଷରୁ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଦେଶ ବାହାରୁ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଟ୍ରେନ୍ ଯୋଗେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଭଦ୍ରକ ଜିଲା କେନ୍ଦୁଆପଦା ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ପରିବହନ ବିଭାଗ ପକ୍ଷରୁ ଧାମନଗର ଉର୍ସ ଉତ୍ସବ ସ୍ଥଳକୁ ଯିବାପାଇଁ ସବୁବେଳେ ବସ୍ ବ୍ୟବସ୍ଥା କରାଯାଇଛି । ସେହିପରି ଉର୍ସ କମିଟି ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି । ବିଭିନ୍ନ କମିଟି ପକ୍ଷରୁ ଭକ୍ତମାନଙ୍କ ପାଇଁ ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଛି ।

ଯାତ୍ରୀମାନଙ୍କ ରହଣି ପାଇଁ କମିଟି ତରଫରୁ ବିଭିନ୍ନ ସାହି ବସ୍ତିରେ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଶାସନ ତରଫରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ମାନଙ୍କରେ ରହଣି ବ୍ୟବସ୍ଥା କରାଯାଇଛି । ଏହି ଉର୍ସ ଉତ୍ସବରେ ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ନିଜର ପସରା ମେଲାଇଛନ୍ତି । ଉତ୍ସବକୁ ଆସିଥିବା ନାଗପୁର ମିଠା, ହାଲୁଆ, ପରଟା, ବିରିୟାନୀ ପାଖରେ ବେଶ୍ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭେଜ୍ ବିରିୟାନୀ ବଣ୍ଟନ କରାଯାଉଛି । ବହୁ ଭକ୍ତ ମୁମ୍ବାଇ, ଜାମସେଦପୁର, ଉତ୍ତର ପ୍ରଦେଶ, ଆଲ୍ଲହାବାଦ, ବିହାର, କୋଲକାତା ଆଦି ଅଂଚଳରୁ ଆସି ଦାନଧର୍ମ କରିବା ସହ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ତୁଲାଇଥାନ୍ତି । ୧୯ ତାରିଖ ୬ ଟାରୁ ୭.୩୦ ମଧ୍ୟରେ ଖାନକାସ୍ଥିତ ପୀରବାବାଙ୍କ ପୀଠରେ କୋରାନ ପାଠ, ୭.୩୦ ରେ ପୀର ବାବାଙ୍କ ଦର୍ଶନ, ରାତ୍ରି ୮ ଟାରୁ ସକାଳ ୫ଟା ସର୍ବଭାରତୀୟ କବି ସମ୍ମିଳନୀ ଆରମ୍ଭ ହେବ । ୨୦ ତାରିଖ ସୋମବାର ଭୋର୍ ୪ଟାରେ ପୀରବାବାଙ୍କ ସ୍ନାନକାର୍ଯ୍ୟ, ୬ଟାରେ ଭକ୍ତମାନଙ୍କ ଦ୍ୱାରା ଚଦର ଶୋଭାଯାତ୍ରା ହୋଇ (ଗୋଶାଲ ସରିଫ) ଆରମ୍ଭ ହେବ । ୨ଟାରେ ଦର୍ଶନ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ । ୪ଟାରୁ ୫.୧୫ ପର୍ଯ୍ୟନ୍ତ ସମୂହ ପ୍ରାର୍ଥନା ଅନୁଷ୍ଠିତ ହେବ । ରାତି ୮ଟାରୁ ଭୋର୍ ୪.୩୦ ପର୍ଯ୍ୟନ୍ତ ଧର୍ମଗୁରୁମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଉର୍ସ କମିଟି ସୂତ୍ରରୁ ପ୍ରକାଶ । ତେବେ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଛି । ପକେଟମାରଙ୍କ ପ୍ରତି ମଧ୍ୟ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.