ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ଥିତ ଆଇ.ସି.ଏସ୍.ଏସ୍. ମହାବିଦ୍ୟାଳୟରୁ ୩ ବର୍ଷିଆ ଆଇନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଆଇନ ସ୍ନାତକୋତ୍ତର ବିଭାଗର ପ୍ରାଧ୍ୟାପକ ଡ. ପ୍ରେମାନନ୍ଦ ରଣସିଂହଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମାରୋହରେ ଭଦ୍ରକ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ନିରାକାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ ମଧୁସୂଦନ ଦାଶ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଆଇନ ବିଭାଗ ଅଧ୍ୟକ୍ଷ ଡ. ଦେବେନ୍ଦ୍ର କୁମାର ମିଶ୍ର ସଭାରେ ପୌରୋହିତ୍ୟ କରିଥିଲେ । ଡ. ରଣସିଂହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବରେଣ୍ୟ ଅତିଥି ଶ୍ରୀ ଦାଶ ଆଇନ ପାଠରେ ଇଂରାଜୀ ଭାଷାର ପ୍ରାଧାନ୍ୟତା ଉପରେ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟଅତିଥି ଶ୍ରୀ ଜେନା ସମାଜ ଗଠନ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଆଇନର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଆଇନ ବିଭାଗର ଛାତ୍ରଛାତ୍ରୀମାନେ ରାଷ୍ଟ୍ର ଗଠନ ଦିଗରେ ନିଜକୁ କିପରି ନିୟୋଜିତ କରିପାରିବେ ଏବଂ ମହାତ୍ମା ଗାନ୍ଧୀ ଓ ମଧୁସୂଦନ ଦାସଙ୍କର ଦେଶ ଗଠନରେ କିପରି ଭୂମିକା ଥିଲା, ତାଙ୍କର ପ୍ରେରଣା ଓ ନିଷ୍ଠା ଆଗାମୀ ପିଢି ପାଇଁ ଉଦାହରଣ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ତଥା ଭଦ୍ରକ ଓକିଲ ସଂଘର ପୂର୍ବତନ ସମ୍ପାଦକ ଜୀତେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ମୁଖ୍ୟଅତିଥି ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀମାନେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଅଧ୍ୟାପକ ମାନସ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ପୃଷ୍ଠପୋଷକ ଜୟପ୍ରକାଶ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ଚନ୍ଦ୍ରଶେଖର ଦାସମହାପାତ୍ର, ଲକ୍ଷ୍ମୀନାରାୟଣ ନନ୍ଦ, ପଦ୍ମଲୋଚନ ଶିଅଳ, ବିଶ୍ୱମ୍ଭର ବାରିକ, ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ଅଧ୍ୟାପକ ଏବଂ କର୍ମଚାରୀ ସହଯୋଗ କରିଥିଲେ ।