Home ଜିଲ୍ଲା ପରିକ୍ରମା ଆଂଶିକ ଲକ୍‌ଡାଉନ୍ ସଂକ୍ରମଣ ରୋକିବ ତ !, ଭଦ୍ରକ ସହରରେ କଟକଣାକୁ ଫୁ, ପୁଲିସ୍ ହେଲମେଟ୍...

ଆଂଶିକ ଲକ୍‌ଡାଉନ୍ ସଂକ୍ରମଣ ରୋକିବ ତ !, ଭଦ୍ରକ ସହରରେ କଟକଣାକୁ ଫୁ, ପୁଲିସ୍ ହେଲମେଟ୍ ଯାଞ୍ଚରେ ବ୍ୟସ୍ତ

40

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ପୂର୍ବରୁ ଥିବା ଲକଡାଉନ୍ କଟକଣାରେ କିଛିଟା କୋହଳ ହୋଇଛି । ସକାଳ ୭ ରୁ ୧୧ ଟା ପରିବର୍ତ୍ତେ ସକାଳ ୬ ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହାବ୍ୟତୀତ ଉଠା ଦୋକାନୀ, ହାର୍ଡୱୟାର, ରଙ୍ଗ ଓ ବିଦ୍ୟୁତ୍ ସରଞ୍ଜାମ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ଫଳରେ ଏହି ତିନୋଟି କ୍ଷେତ୍ରରେ କାର୍ଯ୍ୟରତ ସହସ୍ରାଧିକ ଶ୍ରମିକ ବିଶେଷ ଭାବେ ଉପକୃତ ହେବେ । ତଥାପି ସପ୍ତାହାନ୍ତ ସଟଡାଉନ୍ ଏବେ ମଧ୍ୟ ବଳବତ୍ତର ରହିଛି । ତେବେ ସରକାର ଆଂଶିକ ଭାବେ କୋହଳ କରିଥିବା କଟକଣା ଦ୍ୱାରା ଜିଲାରେ ସଂକ୍ରମଣ ହାରକୁ ରୋକାଯାଇ ପାରିବ ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କାରଣ ରାଜ୍ୟର ୧୭ ଟି ଜିଲାରେ କୋଭିଡ୍ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇଛି । କିନ୍ତୁ ଅନ୍ୟ ୧୩ ଜିଲା ମଧ୍ୟରୁ ଭଦ୍ରକ ଜିଲାରେ ସଂକ୍ରମର ହାରରେ ସେପରି କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ଗତ ୧୫ ଦିନ ହେଲା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶହରୁ ଉପରେ ରହିଛି । ଅପରପକ୍ଷେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଓ ଚିକିତ୍ସାଧାରୀଙ୍କ ସଂପର୍କରେ ପ୍ରଶାସନ ତଥ୍ୟ ଲୁଚାଉଥିବାର ଅଭିଯୋଗ ହୋଇ ଆସୁଥିବାବେଳେ ଏବେ କୋଭିଡ୍ ପରୀକ୍ଷଣ ସଂଖ୍ୟା ପ୍ରଶାସନ ଜାଣିଶୁଣି ଅଧିକ ଦେଖାଉଛି ବୋଲି ଅଭିଯୋଗ ହେଉଛି । କାରଣ ଜିଲାରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଥିବାବେଳେ ପ୍ରତ୍ୟେକ ଦିନ ଆଣ୍ଟିଜେନ୍ ୧୨ ଶହ ଓ ୬ ଶହ ଆରଟିପିସିଆର ଏହିପରି ମୋଟ ୧୮ ଶହ ନମୁନା ପରୀକ୍ଷା କରାଯାଉଛି ବୋଲି ଖୋଦ୍ ଜିଲାପାଳ ଗଣମାଧ୍ୟମକୁ ବିବୃତ୍ତି ଦେଇଥିଲେ । କିନ୍ତୁ ଏବେ ସଂକ୍ରମଣ ହାର କମୁଥିବାବେଳେ ଏହି ସଂଖ୍ୟା ୩ ହଜାର କିମ୍ବା ଅଧିକ ବୋଲି ପ୍ରଶାସନିକ ସୂତ୍ରରୁ ସୂଚନା ପ୍ରଦାନ କରାଯାଉଛି ।

ଯାହାକି ସନ୍ଦେହର କୁହେଳିକା ସୃଷ୍ଟି କରିଛି । ଭଦ୍ରକ ପୌରାଞ୍ଚଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଆଗପରି ଆଉ ଭିଡ ଦେଖିବାକୁ ମିଳୁନାହିଁ । ଯେଉଁଠାରେ ପ୍ରତ୍ୟେକ ଦିନ ୨ ଶହରୁ ଉର୍ଦ୍ଧ୍ୱ ନମୁନା ପରୀକ୍ଷା ହେଉଥିଲା । ସେଠାରେ ଏବେ ନମୁନା ପରୀକ୍ଷା ସଂଖ୍ୟା ଶହେ ଟପୁନାହିଁ । ଅନୁରୂପ ପରିସ୍ଥିତି ଅନ୍ୟ ସମସ୍ତ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ସ୍ୱାଭାବିକ୍ ଭାବରେ ପ୍ରଶାସନର ନମୁନା ପରୀକ୍ଷା ତଥ୍ୟକୁ ନେଇ ସନ୍ଦେହ ଉପୁଜିଛି । ଲକଡାଉନ୍ ଲାଗୁ ହେବା ଦିନ ଠାରୁ ଆଜିଯାଏ ଜିଲାରେ ବିଶେଷ କରି ଭଦ୍ରକ ସହରାଞ୍ଚଳରେ କୌଣସି ସମୟରେ ସହରବାସୀ କିଛି ଗୋଟାଏ କଟକଣା ରହିଛି ବୋଲି ଅନୁଭବ କରିନାହାଁନ୍ତି । ଲକଡାଉନ୍ ପୂର୍ବରୁ ପରିସ୍ଥିତି ଯେମିତି ଥିଲା, ଏବେ ମଧ୍ୟ ସେହି ଏକ ପ୍ରକାର ରହିଛି । ପାର୍ଥକ୍ୟ ହେଉଛି ଏତିକି, ଲକଡାଉନ୍ ସମୟର ଅବଧି ପରେ ସହର ଜନଶୂନ୍ୟ ହୋଇପଡୁଛି । ତେଣୁ ସକାଳ ୬ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସହରରେ ଯେପରି ଭିଡ ଦେଖିବାକୁ ମିଳୁଛି, ତାହା କୌଣସି ବାଟେ ସଂକ୍ରମଣ ରୋକିବାରେ ସହାୟକ ହୋଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ଅପରପକ୍ଷେ କଟକଣାକୁ କଡାକଡି ପାଳନ କରିବା ପାଇଁ ପୁଲିସ୍ ଏନଫୋସ୍‌ର୍ମେଣ୍ଟକୁ ନେଇ ଏବେ ସବୁଠି ଉଠିଛି ପ୍ରଶ୍ନ । କାରଣ ପୁଲିସ୍ କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ନେବା କଥା ନେଉନାହିଁ । ବରଂ ମୋଟରଯାନ ଆଇନ୍ (ଏମ୍‌ଭିଆଇ ରୁଲ୍‌) ଉଲ୍ଲଂଘନକାରୀଙ୍କ ଉପରେ ଦାଉ ସାଧୁଛି । ଯାହାକି ଗତମାସ ପୁଲିସ୍ ବିଭାଗର ସୂଚନାରୁ ଏହା ସ୍ପଷ୍ଟ । କାରଣ ପୁଲିସ୍ ଯେଉଁ ୧ କୋଟି ଟଙ୍କାର ଜରିମାନା ଆଦାୟ କରିଥିବା ଦର୍ଶାଇଥିଲା, ସେଥିମଧ୍ୟରେ ମୋଟର ଯାନ ଆଇନ୍ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ଜରିମାନାର ପରିମାଣ ଥିଲା ୪୫ ଲକ୍ଷ ଟଙ୍କା । ଏବେ ମଧ୍ୟ ପୁଲିସ୍ ଅନୁରୂପ କାର୍ଯ୍ୟ ଚଳାଇଛି । ସବୁଠାରୁ ପରିତାପର ବିଷୟ ହେୁଛି, ନିର୍ମାଣ କାର୍ଯ୍ୟ ପାଇଁ ସରକାର ଲକଡାଉନ୍ ଆରମ୍ଭରୁ କୌଣସି ପ୍ରତିବନ୍ଧକ ରଖିନଥିବାବେଳେ ଏ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପୁଲିସ୍ ଜରିମାନା ଆଦାୟ କରିବାକୁ ପଛାଉନାହିଁ । କୋଭିଡ୍ ଅମାନିଆଙ୍କ ବିରୋଧରେ ପୁଲିସ୍ ନୀରବ ରହୁଥିବାବେଳେ ସାଧାରଣ ଶ୍ରମିକଙ୍କ ଠାରୁ ଜରିମାନା ଆଦାୟକୁ ସିପିଆଇ (ଏମ୍‌ଏଲ୍‌) ନେତା ସମର ବଳ ତୀବ୍ର ନିନ୍ଦା କରିଛନ୍ତି । ଜିଲା ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ନିଜ ବିଭାଗର କର୍ମଚାରୀଙ୍କୁ ଶ୍ରମିକଙ୍କ ଉପରେ ଜୁଲମ ନକରିବାକୁ ଶ୍ରୀ ବଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.