ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରୁଥିବା ଲୋକଙ୍କ ଅସହାୟତାର ସୁୂଯୋଗ ନେଇ ଚାଲିଛନ୍ତି କେତେକ ଆଉଟସୋର୍ସିଂ ସଂସ୍ଥା । ବେତନ ଠାରୁ ଆରମ୍ଭ କରି ସରକାର ପ୍ରଣୟନ କରିଥିବା ସବୁ କିଛି ନିତୀନିୟମକୁ ଉଲଂଘନ କରି ଚାଲିଛନ୍ତି ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା । ବିଭିନ୍ନ ବିଭାଗରେ ଉପରିସ୍ଥ ଅଧିକାରୀଙ୍କୁ ହାତରେ ରଖି ନିୟୋଜିତ କରିଥିବା କର୍ମଚାରୀଙ୍କ ସ୍ୱାର୍ଥ ବିନିମୟରେ ନିଜର ସ୍ୱାର୍ଥ ସାଧନ କରିବାକୁ ପଛାଉ ନାହାନ୍ତି । ଏହି କ୍ରମରେ ଶ୍ରମ ଆଇନକୁ ଖୋଲା ଖୋଲି ଉଲଂଘନ କରି ଚାଲିଛନ୍ତି ସଂପୃକ୍ତ ଆଉଟସୋର୍ସିଂ ସଂସ୍ଥା । ୨ବର୍ଷ ପୂର୍ବେ ଭଦ୍ରକ ପୌରପାଳିକାର ୨ଶହରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଇପିଏଫ ବାବଦକୁ କଟାଯାଇଥିବା ଅର୍ଥରାଶୀକୁ ଭୂବନେଶ୍ୱରସ୍ଥିତ ଏକ ସଂସ୍ଥା ହଣ୍ଟିଂ ହକ୍ ହଡ଼ପ କରିବାର ଅଭିଯୋଗ ଆସିଥିଲା । ଏହା ପରେ ପୌର କର୍ତ୍ତୃପକ୍ଷ ସଂପୃକ୍ତ ସଂସ୍ଥା ବିରୋଧରେ ସହରାଞ୍ଚଳ ଥାନାରେ ଏତଲା ଦେବା ସହିତ ଏହି ସଂସ୍ଥାକୁ କାର୍ଯ୍ୟରୁ ୍ରଅନ୍ତର କରିଥିଲେ । ଏହିକ୍ରମରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟ ଏକ ଆଉଟସୋର୍ସିଂ ସଂସ୍ଥା ସାରଳା ସକ୍ୟୁରିୀଟି ଏଣ୍ଡ ଫେସିଲିଟି ସର୍ଭିସ କିପରି ନିୟୋଜିତ କରିଥିବା କର୍ମଚାରୀଙ୍କୁ ଶୋଷଣ କରି ଚାଲିଛି ତାହାର ନମୁନା ଦେଖିବାକୁ ମିଳିଛି । ଭଦ୍ରକ ପୌରାଞ୍ଚଳ ଚରମ୍ପା ବରାଳପୋଖରୀ ଗ୍ରାମର ପ୍ରଭାତୀ ସାହୁ । ଦୀର୍ଘ ୧୧ ବର୍ଷ ଧରି ଜିଲ୍ଲା ଚିକିତ୍ସାଳୟରେ ସିକ୍ୟୁରିଟି କର୍ମଚାରୀ ଭାବେ କାର୍ଯ୍ୟରତ । ପ୍ରଥମେ ଭବାନୀ ସିକ୍ୟୁରିଟି ଅଧିନରେ ୩ବର୍ଷ, ହଣ୍ଟିଂ ହକ୍ରେ ୨ବର୍ଷ ସିକ୍ୟୁରିଟି ଭାବେ କାର୍ଯ୍ୟ କରିବା ପରେ ଗତ ୫ବର୍ଷ ହେଲା ସାରଳା ସକ୍ୟୁରିଟି ଏଣ୍ଡ ଫେସିଲିଟି ସଂସ୍ଥା ଦ୍ୱାରା ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାତୀଙ୍କ ଅଭିଯୋଗ ଅନୁଯାୟୀ ସାରଳା ସିକ୍ୟୁରିଟି ଏଣ୍ଡ ଫେସିିଲିଟି ସଂସ୍ଥା ସହ ଦୈନିକ ୩୨୦ଟଙ୍କା ମଜୁରୀରେ ସେ କାର୍ଯ୍ୟ କରିବାକୁ ଚୁକ୍ତିନାମା କରିଥିଲେ । କିନ୍ତୁ ତାଙ୍କୁ ୯ହଜାର ୬ଶହ ଟଙ୍କା ବଦଳରେ ମିଳୁଥିଲା ୪ହଜାର ୫ଶହ ଟଙ୍କା ।
କିନ୍ତୁ ତାଙ୍କ ଇପିଏଫ ଷ୍ଟେଟମେଣ୍ଟକୁ ଦେଖିଲେ ଯେ କେହି ବି ଚକିତ ହେବା ନିଶ୍ଚିତ । କାରଣ ଏହି ଷ୍ଟେଟମେଣ୍ଟ ଅନୁଯାୟୀ ପ୍ରଭାତୀଙ୍କୁ ୨୦୧୬ ମସିହା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ମିଳିଛି ମାସିକ ୪ଶହ ଟଙ୍କାର ବେତନ । ସେହି ଅନୁଯାୟୀ ତାଙ୍କର ଇପିଏଫ ଅର୍ଥରାଶୀ ୧୨ ପ୍ରତିଶତ ହିସାବରେ ୪୮ଟଙ୍କା କଟାଯାଇଛି । ଚୁକ୍ତିନାମା ଅନୁଯାୟୀ ଯଦି ହିସାବ କରାଯାଏ, ତେବେ ୨୦୧୬ରୁ ଆଜି ପର୍ଯ୍ୟନ୍ତ ତାଙ୍କର ଇପିଏଫ ରାଶୀ ପରିମାଣ ୫୫ହଜାର ୨୯୬ ଟଙ୍କା ଓ ନିୟୋଜନକାରୀ ସଂସ୍ଥାର ସେଆର ୫୯ହଜାର ୯୦୪ ଏହିପରି ମୋଟ ଏକଲକ୍ଷ ୧୨ଜାର ୨ଶହ ଟଙ୍କା ହେବା କଥା । କିନ୍ତୁ ମୋଟ ଜମାର ପରିମାଣ ହେଉଛି ୧୩ ହଜାର ୮୫୬ଟଙ୍କା । ଏଥିରୁ ସ୍ପଷ୍ଟ ଯେ ଉକ୍ତ ସଂସ୍ଥା କିପରି କର୍ମଚାରୀମାନଙ୍କୁ ଶୋଷଣ କରି ଚାଲିଛି । ପ୍ରଭାତୀଙ୍କୁ ସିନା ମିଳିଛି ଇପିଏଫ ସ୍ଲିପ୍ । କିନ୍ତୁ ତାଙ୍କ ପରି ଅନ୍ୟ ୧୩ଜଣଙ୍କୁ ଆଦୌ ଇପିଏଫ ସ୍ଲିପ ମିଳି ନାହିଁ । କିନ୍ତୁ ସେମାନଙ୍କ ବେତନରୁ ଇପିଏଫ ବାବଦରେ ଟଙ୍କା କଟୁଛି ବୋଲି କୁହାଯାଇଛି । ନିର୍ମଳ ଦାସ, ରଶ୍ମିତା ଜେନା, ଉର୍ବଷୀ ସାମଲ, ସଂଜୁଲତା ସେଠୀ, ଶ୍ରୀମନ୍ତ ଦାସ, ଅଶ୍ୱିନୀ ମହାନ୍ତି, କନକଲତା ସାହୁ, ଗାୟତ୍ରୀ ନାୟମ, ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ବାସିନ୍ଦା ତଥା ସଫେଇ କର୍ମଚାରୀ ଉମାକାନ୍ତ ସେଠୀ ଓ ତାଙ୍କ ପତ୍ନୀ ସୁମତୀ ସେଠୀଙ୍କ ମଜୁରୀରୁ ଇପିଏଫ କଟାଯାଇଥିଲେ ଏହା ଜମା କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ସମୟରେ ସରକାରଙ୍କ କୋଭିଡ ପ୍ରୋତ୍ସାହନ ରାଶୀକୁ ମଧ୍ୟ ସଂପୃକ୍ତ ସଂସ୍ଥା ହଡ଼ପ କରିଛି ବୋଲି ସେମାନେ ଗୁରୁତର ଅଭିଯୋଗ କରିଛନ୍ତି । ତେବେ ସହରର ଅନ୍ୟ ଏକ ଆଉଟ ସୋର୍ସିଂ ସଂସ୍ଥା ଭବାନୀ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ଅନ୍ୟ ଏକ ଗୁରୁତର ଅଭିଯୋଗ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ନାମରେ ଆସିଛି । ସିକ୍ୟୁରିଟି ସଂସ୍ଥା ଚଳାଇବା ପାଇଁ ପିଏଏସଏଆରଏ(ପସରା) ଲାଇସେନ୍ସ ବାଧ୍ୟତାମୂଳକ । କିନ୍ତୁ ସାରଳା ସିକ୍ୟୁରିଟି ଏଣ୍ଡ ଫେସିଲିଟି ସଂସ୍ଥାର ଏହି ଲାଇସେନ୍ସ ନାହିଁ ବୋଲି ଓଡିଶା ପୁଲିସର ପ୍ରାଇଭେଟ ସିକ୍ୟୁରିଟି ଏଜେନ୍ସି ସେଲ ଏକ ସୂଚନା ଅଧିକାର ତଥ୍ୟରେ ସ୍ପଷ୍ଟ କରିଛି ବୋଲି ଭବାନୀ ସକ୍ୟୁରିଟି ସଂସ୍ଥାର ମାଲିକ ଅକ୍ଷୟ ଦାସ କହିଛନ୍ତି । ଏପରିସ୍ଥଳେ ଏକ ଜାଲ ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ କିପରି ଭାଗନେବାକୁ ଅନୁମତି ଦିଆ ଯାଉଥିଲା ବୋଲି ସଂସ୍ଥା ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହାବ୍ୟତୀତ ଏହି ସଂସ୍ଥା ଅନ୍ୟ ଏକ ଆଉଟସୋର୍ସିଂ ସଂସ୍ଥାର ପସରା ଲାଇସେନ୍ସକୁ ଜାଲ କରି ଆସୁଥିଲା ବୋଲି ଶ୍ରୀ ଦାସ କହିଛନ୍ତି । ତେବେ ଶୋଷଣର ଶୀକାର ଉପରୋକ୍ତ କର୍ମଚାରୀମାନେ ଖୁବଶୀଘ୍ର ଶ୍ରମ ଆୟୋଗଙ୍କ ଶରଣାପନ୍ନ ହେବେ ବୋଲି ସୂଚନା ଦେଇଛନ୍ତି ।