ନୟାଗଡ଼, ୧୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ୧୯୯୪ ପିସିପିଏନ୍ଡିଟି ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୦ ଗୋଟି ଅଲଟ୍ରାସାଉଣ୍ଡ୍ କ୍ଲିନିକ୍ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା। ବାରମ୍ବାର ତାଗିଦ୍ ସତ୍ୱେ ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର ଓ ଦୁର୍ଗା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର, କନ୍ଧ ନୟାଗଡ଼ର ନବୀକରଣକୁ ବୈଠକରେ ଅନୁମୋଦନ କରାଯାଇଥିଲା। ନିୟମିତ ସମୟ ବ୍ୟବଧାନରେ ସମସ୍ତ କାର୍ଯ୍ୟକ୍ଷମ ଅଲଟ୍ରା ସାଉଣ୍ଡ୍ କ୍ଲିନିକ୍ ଗୁଡ଼ିକର ନିରୀକ୍ଷଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ କୋଡ଼ିଡ୍ ମହାମାରୀ ପ୍ରତିଷେଧକ ଟୀକାକରଣ ଉପରେ ସମୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ୧୨ ରୁ ୧୪ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ପ୍ରତିଷେଧକ ପ୍ରଥମ ପାନ ୧୨୫%, ଦ୍ୱିତୀୟ ପାନ ୯୪%, ୧୫ ରୁ ୧୭ବର୍ଷ ବୟସର ପିଲାମାନଙ୍କୁ ପ୍ରଥମ ପାନ ୧୦୯%, ଦ୍ୱିତୀୟ ପାନ ୧୦୦%, ୧୮ବର୍ଷ ବୟସରୁ ଉର୍ଦ୍ଧ ଲୋକମାନଙ୍କୁ ପ୍ରଥମ ପାନ ୧୦୨%, ଦ୍ୱିତୀୟ ପାନ ୯୯%, ତୃତୀୟ ପାନ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟକର୍ମୀ ୯୩%, ଆଗଧାଡ଼ୀର କର୍ମୀ ୧୬୬%, ୧୮ ରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ୪୬%, ୬୦ବର୍ଷ ଏବଂ ତଦୁର୍ଦ୍ଧ ୬୯% କୋଭିଡ୍ ପ୍ରତିଷେଧକ ଟୀକା ଦିଆଯାଇଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା ପ୍ରକାଶ କରିଥିଲେ। କେତେକ କ୍ଷେତ୍ରରେ ଟୀକାକରଣ ଲକ୍ଷ ଠାରୁ ଅଧିକ ହୋଇଛି ତ ଅନ୍ୟ କେତେକ କ୍ଷେତ୍ରରେ ଲକ୍ଷ ଛୁଇଁ ପାରିନାହିଁ। ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ପ୍ରତିଷେଧକ ଟୀକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ଏବଂ ଘର ଘର ବୁଲି ଲକ୍ଷ ହାସଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଯେଉଁମାନେ ମାଗଣା ବୁଷ୍ଟର ଡୋଜ ଅଦ୍ୟାବଧି ନେଇନାହାଁନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଏହି ମାଗଣା ନେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ପରେ ପରେ ୨୦୨୧-୨୨ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ୪ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୬ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୮ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଶାଇ ସମୁଦାୟ ୨୮ଗୋଟି ଅନୁଷ୍ଠାନକୁ ଜିଲ୍ଲପାଳ ଡା. ପୋମା ଟୁଡୁ ପୁରସ୍କାର ପ୍ରଦାନ କରିଥିଲେ।
ଏହି ବୈଠକରେ ସ୍ତ୍ରୀରୋଗ ବିଶେଷଜ୍ଞ ଡା.ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଶିଶୁରୋଗ ବିଶେଷଜ୍ଞ ଡା. ତିଳୋତ୍ତମା ଷଡ଼ଙ୍ଗୀ, ଡା. ନୌସଦ୍ ଅଲ୍ଲୀ ଖାଁ, ଡା. ପୁଷ୍ପା ନିଳିମା ଲାକ୍ରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସ୍ୱେଚ୍ଛାସେବୀ ସଂଗଠନ ନିଶ୍ୱାର୍ଥର ସଂପାଦକ ଅରୁଣ କୁମାର ମହାନ୍ତି, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଜିଲ୍ଲା ସହପରିଚାଳକ ଆଇନ୍ର ଅଜିତ୍ କୁମାର ପାଣିଗ୍ରାହୀ, ଉପସହାୟକ ଶ୍ରୀ କିଶୋର ଦାଶ, ସହ ପରିଚାଳକ ଗୁଣାବତ୍ତା ବିଭାଗର ସନତ୍ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।