ସବୁ କଳ୍ପନାର ଅବସାନ ଘଟିଲା। ୧୯୯୦ ବ୍ୟାଚ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ପୋଲିସର ନୂଆ ମୁଖିଆ। ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ସେହି ଦାୟିତ୍ୱ ସହିତ ପୋଲିସ ଡିଜି ପଦବୀ ତାଙ୍କର ଅତିରିକ୍ତ ଦାୟିତ୍ୱ ହେବ। ଦୀର୍ଘ ଦିନ ବ୍ୟବଧାନ ପରେ ଜଣେ ଓଡ଼ିଆ ଆଇପିଏସ ଡିଜି ପଦବୀରେ ଅବସ୍ଥାପିତ ହେଇଛନ୍ତି। ଶେଷଥର ପାଇଁ ପ୍ରକାଶ ମିଶ୍ର ଓଡ଼ିଶା ପୋଲିସର ଡିଜି ହୋଇଥିଲେ। ଡିସେମ୍ବର ୩୧ ତାରିଖ ଦିନ ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିଲା। ନୂଆ ଡିଜି ପଦବୀକୁ ନେଇ ଅନେକ ଆଇପିଏସଙ୍କ ନାମ ଚର୍ଚ୍ଚାରେ ଥିଲା। ବିଶେଷ କରି ବି. ରାଧିକା ଚର୍ଚ୍ଚାରେ ସର୍ବାଗ୍ରେ ଥିଲେ। ଖବର ଲଗାତାର ପ୍ରକାଶ ପାଉଥିଲା ଓଡ଼ିଶା ପ୍ରଥମ ଥର ପାଇଁ ଜଣେ ମହିଳା ଡିଜି ପାଇବ।
ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ପଦବୀ ପାଇଁ କାହିଁକି ବାଛିଲେ। ବରିଷ୍ଠତା ଦୃଷ୍ଟିରୁ ଅରୁଣଙ୍କ ଉପରେ ଆହୁରି ୬ ଜଣ ଆଇପିଏସ ଅଧିକାରୀ ଥିଲେ। କେନ୍ଦ୍ରର ଅନୁମୋଦନ ପାଇଁ ତିନି ଜଣ ଆଇପିଏସଙ୍କ ନାମ ରାଜ୍ୟ ସରକାର ସୁପାରିସ କରିଥିଲେ। ତାହା ମଧ୍ୟ ଏ ପର୍ଯ୍ୟନ୍ତ ଅନୁମୋଦନ ହୋଇ ଆସି ପାରିଲା ନାହିଁ। ତେଣୁ ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ପଦରେ ବସାଇ ରାଜ୍ୟ ସରକାର ଗୋଟିଏ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା। ଅରୁଣ ଷଡ଼ଙ୍ଗୀ ହେଉଛନ୍ତି ଓଡ଼ିଶା ପୋଲିସର ଜଣେ ନିର୍ବିବାଦୀୟ ଓ ଅଭିଜ୍ଞ ଆଇପିଏସ ଅଧିକାରୀ। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସହିତ ରାଜ୍ୟ କ୍ରାଇମବ୍ରାଞ୍ଚ, ଗୁଇନ୍ଦା, ଭିଜିଲାନ୍ସ ବିଭାଗରେ କାର୍ଯ୍ୟ କରି ଦକ୍ଷତାର ସହିତ ଦାୟିତ୍ୱ ସମ୍ପନ୍ନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା କେବଳ ପୋଲିସ ବିଭାଗ ନୁହେଁ ନିଜର କାର୍ଯ୍ୟ ଦକ୍ଷତା ସକାଶେ ଅରୁଣ ଷଡ଼ଙ୍ଗୀ ଜଣେ ପିପୁଲସ ଅଫିସର ଭାବରେ ଓଡ଼ିଶାରେ ପରିଚିତ। ୨୦୨୪ ହେଉଛି ନିର୍ବାଚନ ବର୍ଷ। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ ମସିହାରେ ହେଵ। ନିର୍ବାଚନକୁ ସୂଚାରୁ ରୂପେ ପାଳନ କରିବା ପାଇଁ ଜଣେ ଦକ୍ଷ ଅଫିସରଙ୍କ ଆବଶ୍ୟକତା ଥିଲା। ଦ୍ୱତୀୟରେ ସବୁ ନିର୍ବାଚନ ସମୟରେ ବିରୋଧୀମାନେ ସ୍ଵଚ୍ଛ ନିର୍ବାଚନ ନେଇ ପୋଲିସ ବିଭାଗ ପ୍ରତି ଆଙ୍ଗୁଳି ଉଠାଇ ଥାନ୍ତି। ଏ ସବୁ ବିବାଦକୁ ଏଡାଇବା ପାଇଁ ଅରୁଣ ଷଡ଼ଙ୍ଗୀଙ୍କ ଛବିକୁ ସାମ୍ନାକୁ ଆଣିଛି ଶାସକ ବିଜେଡ଼ି। କାରଣ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଏପରି ଜଣେ ଆଇପିଏସ ଅଧିକାରୀ ଯିଏ ଶାସକ ହୁଅନ୍ତୁ ବା ବିରୋଧୀ ସବୁ ନେତାଙ୍କ ପ୍ରିୟ। ସବୁ ଦଳର ଗୋଟିଏ ଭରସା ରହିବ ଯେ ଅରୁଣ ଷଡ଼ଙ୍ଗୀ ନିଶ୍ଚିନ୍ତ ଭାବରେ ପୋଲିସ ମୁଖିଆ ପଦବୀର ସ୍ୱଚ୍ଛତା ଅବଲମ୍ବନ କରିବେ।
ଗତ କିଛି ବର୍ଷ ହେଲା ଓଡ଼ିଶା ପୋଲିସ ରାଜ୍ୟବାସୀଙ୍କୁ ସେବା ଯୋଗାଇବାରେ ବ୍ୟକଫୁଟରେ ରହିଛି। ଆଇନା ଶୃଙ୍ଖଳା ଏକ ପ୍ରକାର ଭୁଶୁଡିବା ପରିସ୍ଥିତିରେ। ନୂଆ ଡିଜି ଆସିଲେ ଏଥିରେ ପରିବର୍ତ୍ତନ ଆସିବ ବୋଲି ସାଧାରଣ ଜନତା ଆଶା ରଖିଛନ୍ତି।
ନିଶ୍ଚିନ୍ତ ଭାବରେ ନୂତନ ଡିଜିଙ୍କ ପାଇଁ ଏହି ପଦବୀରେ ବହୁତ ଚାଲେଞ୍ଜ ରହିବ। କିନ୍ତୁ ନିର୍ବାଚନୀ ବର୍ଷରେ ଅରୁଣ ଷଡ଼ଙ୍ଗୀଙ୍କୁ ଏହି ନୂଆ ଦାୟିତ୍ୱ ଦେଇ ବିଜେଡ଼ି ସରକାର ଗୋଟିଏ ବଡ଼ ମାଷ୍ଟରଷ୍ଟ୍ରୋକ ଖେଳିଛି ଏହା ନିଃସନ୍ଦେହ।
ପ୍ରିୟ ରଞ୍ଜନ ସାହୁ








