ନୂଆଦିଲ୍ଲୀ,୨୬/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ମାଓବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର କରିବାକୁ ପ୍ରସ୍ତୁତ ହେଉଛି ନୂଆ ବ୍ଲୁ-ପ୍ରିଣ୍ଟ। ଦିଲ୍ଲୀ ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଚାଲିଛି ନକ୍ସଲ ଅଧ୍ଯୁଷିତ ରାଜ୍ୟ ମୁଖ୍ୟଙ୍କ ସହ ବୈଠକ। ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶା ସମେତ ୧୧ଟି ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ।
ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କେରଳର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଯୋଗଦେବାକୁ କୁହାଯାଇଥିଲା। ବୈଠକରେ ମାଓବାଦୀଙ୍କ ଫଣ୍ଡିଂ ଉପରେ ଅଙ୍କୁଶ ଲଗାଇବା ସହ ଛାମୁଆ ସଂଗଠନ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ଆଲୋଚନା ହେଉଥିବା ସୂଚନା ମିଳିଛି। ବୈଠକରେ ସୁରକ୍ଷା ବ୍ୟବସ୍ଥା ସହ ମାଓ ପ୍ରଭାବିତ ଜିଲ୍ଲାଗୁଡିକରେ ଟେଲି ଯୋଗାଯୋଗ ଓ ବ୍ୟାଙ୍କିଂ ସେବା ବୃଦ୍ଧି ପାଇଁ ଦାବି କରିପାରେ ଓଡ଼ିଶା। କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ବାବଦ ଖର୍ଚ୍ଚ ପ୍ରସଙ୍ଗ ମଧ୍ୟ ଉଠିପାରେ।







