– ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିଶେଷ ସମର୍ପଣ ଭାବ ଅଛି
– ଓଡ଼ିଶାର ବିଜୟର ଗାଥା ଓ ଇତିହାସକୁ ବଟ୍ଟବୃକ୍ଷର ରୂପ ଦେବା ପାଇଁ ଶାହ ସର୍ବଦା ମାର୍ଗଦର୍ଶନ ଦେଉଛନ୍ତି
– ଶାହଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ୩ ନମ୍ବରରୁ ୨ ନମ୍ବର ଦଳ ହୋଇଛି
– ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାରେ ପଟେଲଙ୍କ ପରେ ଶାହ ନିର୍ଣ୍ଣାୟକ ଭୂମିକା ନେଇଛନ୍ତି
– ଶାହଙ୍କ ଅନୁବାଦିତ ଓଡ଼ିଆ ପୁସ୍ତକକୁ ବିଜେପିର କାର୍ଯ୍ୟକର୍ତ୍ତା ଏବଂ ଓଡିଆ ସମାଜ ଅଧ୍ୟୟନ କରିବାକୁ ପରାମର୍ଶ
– ପୁସ୍ତକର ଲେଖକ ଅନିର୍ବାଣ ଗାଙ୍ଗୁଲି, ଶିବାନନ୍ଦ ଦ୍ୱିବେଦୀ ଏବଂ ଓଡ଼ିଆ ଅନୁବାଦକ ସରୋଜ ବଳଙ୍କୁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର, ଜୁଲାଇ ୧୧ (ଓଡ଼ିଆ ପୁଅ)– କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଲିଖିତ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକଟି କେବଳ ଜଣେ ବ୍ୟକ୍ତିର ପ୍ରଶଂସା ପାଇଁ ନୁହେଁ ବରଂ ଗୋଟିଏ ବିଚାରଧାରା ଓ ଜଣେ କାର୍ଯ୍ୟକର୍ତ୍ତାର କାହାଣୀ ବୋଲି ସୋମବାର ଭୁବନେଶ୍ୱର ଠାରେ ଏହି ପୁସ୍ତକକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରାଜନୈତିକ ଦୃଶ୍ୟପଟ୍ଟରେ ଭାରତୀୟ ଜନତା ପାର୍ଟିକୁ ନୂଆ ଶିଖରକୁ ନେଇଥିବା ଦୃଢ଼ ସଂଗଠକ ତଥା ଅନେକ ଐତିହାସିକ ନିଷ୍ପତିର ମୁଖ୍ୟ ବିନ୍ଧାଣୀ ଅମିତ ଶାହଙ୍କ ଉପରେ ଲିଖିତ ପୁସ୍ତକର ଓଡ଼ିଆ ସଂସ୍କରଣ ପ୍ରକାଶିତ ହୋଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ପୁସ୍ତକର ମୂଳ ଇଂରାଜି ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ୱିବେଦୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ପ୍ରକାଶନ ସଂସ୍ଥା ବ୍ଲୁମ୍ସବରି ଓ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିବା ଟାଇମ୍ସ ପାସ ପ୍ରକାଶନ ସଂସ୍ଥାର ମୁଖ୍ୟ ସାହିତ୍ୟିକ ସରୋଜ ବଳଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ପୁସ୍ତକରେ ଶାହଙ୍କ ଜୀବନର ବିଭିନ୍ନ ଦିଗ ଓ ବିଜେପି ଯାତ୍ରାରେ ତାଙ୍କ ଅକଳ୍ପନୀୟ ଭୂମିକା ଉପରେ ଉଲ୍ଲେଖ କରାଯାଇଛି । ପୁସ୍ତକର ଓଡ଼ିଆ ସଂସ୍କରଣ ଓଡ଼ିଆ ଜୀବନଯାତ୍ରାର ଏକ ପ୍ରବକ୍ତା ହେବ ଓ ଜନମାନସରେ ଆଦୃତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ବିଶେଷ ସମର୍ପଣ ଭାବ ଅଛି । 1984 ମସିହାରେ ଗୁଜୁରାଟର ଅହମ୍ମଦବାଦରେ ଏକ ଅଭାବନୀୟ ଘଟଣା ପରେ ମହାପ୍ରଭୁଙ୍କ ପ୍ରତି ଲୋକମାନଙ୍କ ଆସ୍ଥା କିପରି ଅତୁଟ ରହିବ, ତାହାର ମୁଖ୍ୟ ବିନ୍ଧାଣୀ ସାଜିଥିଲେ ମୋଦି ଓ ଶାହ । ସେହି ଘଟଣା ପରେ ଜନଆସ୍ଥା ପାଇଁ ଆଜି ପୃଥିବୀରେ ବିଜେପି ଏକ ସଶକ୍ତ ରାଜନୈତିକ ସଂଗଠନ ପାର୍ଟି ଭାବେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହର ଗାଥା ଉଜ୍ଜିବୀତ କରିବା, ଓଡ଼ିଶା ଇତିହାସ ହିନ୍ଦିରେ ଅନୁବାଦ କରିବା, ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଆ ସଂଗ୍ରାମୀଙ୍କ ଇତିହାସକୁ ବଟ୍ଟବୃକ୍ଷର ରୂପ ଦେବା ପାଇଁ ଅମିତ ଶାହ ମୋତେ ବିଗତ ଦିନରେ ପରାମର୍ଶ ଦେଇଛନ୍ତି । ଅମିତ ଶାହ ଦେଶର ଜଣେ ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ଵ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେଳେ ଓଡ଼ିଶାର ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ପ୍ରତି ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସହ ଶାହ କଥା ହୋଇ ରଣନୀତି ପ୍ରସ୍ତୁତ କରୁଥିଲେ । ଓଡିଶାର ସଙ୍ଗଠନାତ୍ମକ ଶକ୍ତି ବୃଦ୍ଧି ସେହି ସମୟରେ ହୋଇଥିଲା । ରାଜ୍ୟରେ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ଦଳ ହୋଇଛି ଏବଂ ବିରୋଧୀ ଦଳ ଭାବେ ସ୍ଵୀକୃତି ପ୍ରାପ୍ତ ନେତୃତ୍ଵ ମଧ୍ୟ ବିଜେପିକୁ ମିଳିଛି । ଏଥିରୁ ଶାହଙ୍କ ଓଡ଼ିଆ ଜନଜୀବନ ପ୍ରତି ଭଲ ପାଇବାର ପ୍ରମାଣ ଓ ଦୃଢ଼ ସଂଗଠକର କୃତିତ୍ୱକୁ ଦର୍ଶାଉଛି।
ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରେ ଶାହ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଦେଶକୁ ଏକୀକୃତ କରିବା ଓ ତିନି ତଲାକକୁ ବେଆଇନ ଘୋଷଣା କରିବା ଶାହଙ୍କ ନିର୍ଭୀକ ନେତୃତ୍ୱର ପରିଚୟ ଦିଏ । ଶାହଙ୍କ ସ୍ପଷ୍ଟତା, ଦୃଢ ନିଷ୍ପତି, ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଦେଶର ଅନ୍ତରୀଣ ସୁରକ୍ଷା ସୁଦୃଢ଼ ହୋଇଛି । ଏ ସବୁ ବିଷୟରେ ଓଡିଶାରେ ଅଧିକ ଚର୍ଚ୍ଚା ହେବା ସହ ବିଜେପିର କାର୍ଯ୍ୟକର୍ତ୍ତା ଓ ଓଡିଆ ସମାଜ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକକୁ ଅଧିକ ଅଧ୍ୟୟନ କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଓ ଶାହଙ୍କ ନେତୃତ୍ୱରେ ଆଜି ଗରିବ କଲ୍ୟାଣ ହିଁ ଶାସନର ମୂଳ କେନ୍ଦ୍ରବିନ୍ଦୁ ହୋଇଛି । ଶକ୍ତିଶାଳୀ ସଂଗଠନ ବା ଶାସନ ବ୍ୟବସ୍ଥା କେବଳ କ୍ଷମତାକୁ ଉପଭୋଗ କରିବା ନୁହେଁ ବରଂ ଶାସନକୁ ଲୋକସେବା ଆଧାରରେ ନୂଆ ବେଞ୍ଚମାର୍କ ସ୍ଥାପନ ହେବା ଦରକାର, ଯାହା ଲୋକାର୍ପିତ ପୁସ୍ତକରେ ବର୍ଣ୍ଣନା କରାଯାଇଥିବା ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି ।

