Home ଜିଲ୍ଲା ପରିକ୍ରମା ଅଭିଯୋଗ ନାହିଁ କି କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ , ବଢ଼ିଚାଲିଛି ପିଲା ଚୋରି ଗୁଜବ, ଆକ୍ରୋଶର...

ଅଭିଯୋଗ ନାହିଁ କି କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ , ବଢ଼ିଚାଲିଛି ପିଲା ଚୋରି ଗୁଜବ, ଆକ୍ରୋଶର ଶୀକାର ହେଉଛନ୍ତି ମାନସିକ ଅନଗ୍ରସର

44

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପିଲାଟି ଦିନେ ‘ଛୁଆଧରା ବାୟା ଆସିଲାଣି, ଶୀଘ୍ର ଖାଇ ଦେ ନହେଲେ ନେଇଯିବ’ ଏମିତି କିଛି କହି ମା’ ନିଜ ଶିଶୁକୁ ଡରାଉଥିଲା । କିନ୍ତୁ ଏବେ ଏପରି ସମୟ ଆସିଛି ସତକୁ ସତ ମା’ ନିଜେ ଛୁଆଧର ବାୟାକୁ ନେଇ ଡରି ଯାଇଛି । ବିଶେଷକରି ଭଦ୍ରକ ସହରାଞ୍ଚଳରେ ଏବେ ନିୟମିତ ଭାବେ ଛୁଆ ଧରା ବାୟା ବା ପିଲା ଚୋରଙ୍କୁ ନେଇ ନୂଆ ନୂଆ ଚର୍ଚ୍ଚା ଲାଗି ରହିଛି । ଅମୁକ ଯାଗାରୁ ଗୋଟେ ପିଲାକୁ ନେଇ ପଳାଉଥିବାବେଳେ, ଲୋକମନେ ପିଲା ଚୋରକୁ ଧରିଛନ୍ତି । ଜଣେ ପିଲାକୁ ଉଦ୍ଧାର କରି ଲୋକେ ତାକୁ ପୁଲିସରେ ଦେଇଛନ୍ତି । ସମୁକ ସ୍ଥାନରେ ଗୋଟେ ପିଲା ଚୋର କବଳରୁ ଖସି ପଳାଇ ଆସିଛି । ଏହି ପରି ପ୍ରତ୍ୟେକ ଦିନ କିଛିନା କିଛି କଥା ଶୁଣିବାକୁ ମିଳୁଛି ଭଦ୍ରକ ସହରରେ । ତେବେ ଏପର୍ଯ୍ୟନ୍ତ ପୁଲିସ ନିକଟରେ କେହି ଜଣେ ହେଲେ ମଧ୍ୟ ଅଭିଯୋଗ କରି ନାହାନ୍ତି ବୋଲି ଜଣାପଡ଼ିଛି । ତେଣୁ ଏହା ସମ୍ପୂର୍ଣ୍ଣ ଗୁଜବ ଓ ଏପରି ଚର୍ଚ୍ଚାରେ କୌଣସି ସତ୍ୟତା ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସି ନାହିଁ । ଅପରପକ୍ଷେ କେତେକ ବ୍ୟକ୍ତି ଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ସୂଚନା ଅନୁଯାୟୀ ସହରର କତେକ ସ୍ଥାନରେ ଲୋକେ ସନ୍ଦେହରେ କିଛି ବ୍ୟକ୍ତିଙ୍କୁ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏପରିକି ପ୍ରବଳ ମାଡ଼ ମାରିବା ପରେ ସେମାନେ ପୁଲିସକୁ ହସ୍ତାନ୍ତର କରୁଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ନିର୍ଦ୍ଧିଷ୍ଟ ପ୍ରମାଣ ସହ ପୁଲିସ ନିକଟରେ ଅଭିଯୋଗ କରୁ ନାହାନ୍ତି । ପରେ ପୁଲିସର ପଚରାଉଚୁରା ସମୟରେ ଅଧିକାଂଶ ମାନସିକ ଅନଗ୍ରସର ବୋଲି ଜଣାପଡ଼ୁଛନ୍ତି । ଇତିମଧ୍ୟରେ ସହରରେ ଗତ ୧୦ ଦିନ ମଧ୍ୟରେ ୭ରୁ ଉର୍ଦ୍ଧ୍ୱ ଏହିପରି ଘଟଣା ଘଟିଲାଣି । କିଛିଦିନ ପୂର୍ବେ ଅନ୍ନପାଳ ନିକଟସ୍ଥ ଏକ ଗ୍ରାମର ଜଣେ ବ୍ୟକ୍ତି ନିଜ କୁନି ଝିଅକୁ ଚରମ୍ପାରୁ ନେଇ ଫେରିବା ସମୟରେ ଆରଡ଼ି ଛକ ଠାରେ ଜଳଖିଆ ଖାଇବାକୁ ଅଟକିଥିଲେ । ଥଟା ମଜାକରେ ଏ ପିଲା ଚରମ୍ପାରେ ବୁଲୁଥିଲା, ନେଇ ଆସିଛି ବୋଲି ନିଜ ଗ୍ରାମର ଜଣେ ବ୍ୟକ୍ତିକୁ କହିଥିଲେ । କିଛି ନବୁଝି ସ୍ଥାନୀୟ ଲୋକେ ପିଲା ଚୋର କହି ସଂପୃକ୍ତ ବ୍ୟକ୍ତିକୁ ମାଡ଼ ମାରି ଗ୍ରାମାଞ୍ଚଳ ପୁଲିସକୁ ହସ୍ତାନ୍ତର କରିଥିଲେ । ଥାନାରେ ପୁଲିସ ସବୁ ଜାଣିବା ପରେ ବାପ ଝିଅକୁ ନେଇ ପୁଲିସ ଗାଡ଼ିରେ ତା’ ଘରେ ଛାଡ଼ିଥିଲା ।

ସେହିପରି ୨ଦିନ ପୂର୍ବେ ଚରମ୍ପା ଠାରେ ଜଣେ ଅଣ ଓଡ଼ିଆ ଯୁବକକୁ ସନ୍ଦେହରେ କେତେକ ବ୍ୟକ୍ତି ମାଡ ମାରିବା ସହ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ । ପରେ ସେ ଜଣେ ମାନସିକ ଅନଗ୍ରସର ଯୁବକ ବୋଲି ଜଣାପଡ଼ିବା ପରେ ପୁଲିସ ତାକୁ ଥାନାରୁ ଛାଡ଼ି ଦେଇଥିଲା । ମହୁ ବିକ୍ରି କରିବାକୁ ଯାଇଥିବା ଜଣେ ବ୍ୟକ୍ତିକୁ ମଧ୍ୟ ସନ୍ଥିଆ ନିକଟରେ କେତେକ ଲୋକେ ମାଡ଼ ମାରି ପୁଲିସକୁ ଦେଇଥିଲେ । ଏଗୁଡ଼ିକ ଗୋଟିଏ ଗୋଟିଏ ଉଦାହରଣ । ଅନୁରୂପ ବହୁ ଘଟଣା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତିମଧ୍ୟ ଘଟିଥିବା ଦେଖିବାକୁ ମିଳୁଛି । ତେବେ ଆଜିପର୍ଯ୍ୟନ୍ତ ଯେତେ ସବୁ ଏହିପରି ଘଟଣା ଦୃଷ୍ଟିକୁ ଆସିଛି, ସେମାନଙ୍କ ମଧ୍ୟରୁ ବାଟ ଭୂଲି ଏଣେତେଣେ ବୁଲୁଥିବା ମାନସିକ ଅନଗ୍ରସରଙ୍କ ସଂଖ୍ୟା ଅଧିକ । ଯେଉଁମାନେକି ଲୋକଙ୍କ ଆକ୍ରୋଶାର ଶୀକାର ହେଉଛନ୍ତି । ତେବେ ପୁଲିସ କହିବାନୁଯାୟୀ ଏହା ଗୁଜବ । କାରଣ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଅଭିଯୋଗ ଆମ ନିକଟରେ ନାହିଁ । ଯଦି ଏହା ଗୁଜବ, ତେବେ ଏସମସ୍ତ ମାନସିକ ଅନଗ୍ରସରଙ୍କୁ ମାଡ ମାରି ଆଇନକୁ ନିଜ ହାତକୁ ନେଉଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ କାହିଁକି? ମାଡ ମାରିବାର ଭାଇରାଲ ଭିଡିଓରୁ ପୁଲିସ ତ ସେମାନଙ୍କୁୂ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତା । ଅପରପକ୍ଷେ ବଢ଼ି ଚାଲିଥିବା ଗୁଜବ ପାଇଁ କେବଳ ମାନସିକ ଅନଗ୍ରସର, ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିବିଶେଷ ନୁହନ୍ତି, ବୁଲି ବୁଲି ଫେରି ବ୍ୟବସାୟ କରୁଥିବା ଲୋକ ମଧ୍ୟ ସନ୍ଦେହ ଘେରକୁ ଆସୁଛନ୍ତି । ତେଣୁ ଏଦିଗରେ ପୁଲିସ ସହରରେ ବ୍ୟାପକ ସଚେତନତତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.