ଭୁବନେଶ୍ୱର: ଓଡ଼ିଶା ବିଜେପିରେ କ୍ଷମତା କେନ୍ଦ୍ର ହେବାକୁ ତଥା ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ନିଜକୁ ଉପସ୍ଥାପନ କରିବା ପାଇଁ ନେତୃତ୍ୱଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ।ଆଉ ଏହି ଶୀତଳ ଯୁଦ୍ଧର ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବା ସତ୍ତ୍ୱେ ସେ ନିଜକୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରି ବିଫଳ ହେଲେ।ଓଡ଼ିଶାରେ ଲୋକେ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଗ୍ରହଣ କଲେ ନାହିଁ କି, ତାଙ୍କୁ ନବୀନଙ୍କ ବିକଳ୍ପ ଭାବରେ ଦେଖିପାରିଲେ ନାହିଁ।ତଥାପି ଏବେ ବି ଧର୍ମେନ୍ଦ୍ର ସେହି ପ୍ରୟାସରୁ ଓହରି ନଥିବା ବେଳେ ଏଥିରେ ଆଉ ଜଣେ ପ୍ରତିଦ୍ବନ୍ଦୀ ସାମିଲ ହୋଇଛନ୍ତି, ଅପରାଜିତା ଷଡ଼ଙ୍ଗୀ।
ଅପରାଜିତା ଷଡ଼ଙ୍ଗୀ ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି।ବିଜେପିରେ ସାମିଲ ହୋଇ ୨୦୧୯ ନିର୍ବାଚନରେ ପ୍ରଥମ ପ୍ରଦାର୍ପଣରେ ସେ ଭୁବନେଶ୍ୱର ପରି ସମ୍ମାନଜନକ ଆସନରୁ ବିଜେପିକୁ ସଫଳତା ଦେଇଛନ୍ତି।ତେବେ, ୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି କେବଳ ଏକ ସାଂସଦ ହେବା ପାଇଁ ଯେ ସେ ରାଜନୀତିକୁ ଆସିନାହାଁନ୍ତି।ତାଙ୍କର ନିଶ୍ଚିତ କିଛି ବଡ଼ ମହତ୍ତ୍ୱକାଂକ୍ଷା ରହିଛି।ସାରା ଓଡ଼ିଶାକୁ ସେ ଫୋକସ୍ କରୁଛନ୍ତି।ନିର୍ବାଚନ ପୂର୍ବରୁ ଏବଂ ଏବେ ଜିତିବା ପରେ ଅପରାଜିତାଙ୍କ ଗତିବିଧି ମଧ୍ୟ ସେହିପରି ରହୁଛି।ଅପରାଜିତା ଷଡ଼ଙ୍ଗୀ କେବଳ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭିତରେ ନିଜକୁ ସୀମିତ ନରଖି ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଗତି କରୁଛନ୍ତି।ରାଜ୍ୟର ବିଭିନ୍ନ ସ୍ଥାନରେ ଅତିଥି ହେଉଛନ୍ତି।ଏବଂ ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ରଣନୀତି ପ୍ରସ୍ତୁତ କରାଯାଉଛି।ନବୀନ ପଟ୍ଟନାୟକଙ୍କ ଆଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ବିଫଳତା ପରେ ତୃଣମୂଳର ଏକ ସ୍ତରରୁ ଅପରାଜିତାଙ୍କୁ ବିଜେପିର ଚେହେରା ଭାବରେ ଉପସ୍ଥାପନା କରାଯାଉଛି।ବିଜେଡିକୁ କଡ଼ା ଟକ୍କର ଦେବାକୁ ହେଲେ ଅପରାଜିତାଙ୍କୁ ରାଜ୍ୟ ସଭାପତି କରାଯାଉ ବୋଲି ମଧ୍ୟ କିଛି ମହଲରୁ ଦାବି ଉଠୁଛି।
ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

ଏ’ ଭିତରେ ଅପରାଜିତା ଏବେ ‘ଅଜିତା’ ନାମରେ ଏକ ନାରୀ ସଙ୍ଗଠନ ଆରମ୍ଭ କରିଛନ୍ତି।ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଆରମ୍ଭ ହୋଇ କ୍ରମଶଃ ଏହା ସାରା ଓଡ଼ିଶାରେ କାମ କରିବ ବୋଲି ଉଦ୍ଦେଶ୍ୟ ରହିଛି।ମହିଳା ସଙ୍ଗଠନ ସମେତ ଯୁବ ସଙ୍ଗଠନ ଉପରେ ମଧ୍ୟ ଅପରାଜିତାଙ୍କ ନଜର ରହିଛି।”ୟୁଥ୍ ଫର୍ ଆକ୍ସନ୍” ନାମରେ ସେ ଏକ ଯୁବା ସଙ୍ଗଠନ କରିବାକୁ ଯାଉଛନ୍ତି।ସମ୍ଭବତଃ ଜାନୁୟାରୀ ୧୨ ତାରିଖରେ ଏହା ଲଞ୍ଚ ହେବାର ଅଛି।ଏହି ଯୁବା ସଙ୍ଗଠନ ମଧ୍ୟ ସାରା ରାଜ୍ୟରେ କାମ କରିବ।ଏ’ ସବୁ ଅଣ ରାଜନୈତିକ ସଙ୍ଗଠନ ବୋଲି କୁହାଯାଉଛି।ରାଜ୍ୟ ସରକାରଙ୍କ “ମିଶନ ଶକ୍ତି” ମହିଳା ସଙ୍ଗଠନକୁ ଟକ୍କର ଦେବା ପାଇଁ “ଅଜିତା” ଏବଂ “ବିଜୁ ଯୁବା ବାହିନୀ”କୁ ଟକ୍କର ଦେବା ପାଇଁ “ୟୁଥ୍ ଫର୍ ଆକ୍ସନ୍” ଯୁବା ସଙ୍ଗଠନ ଗଢ଼ା ଯାଉଥିବା କୁହାଯାଉଛି।ତେବେ କାହା ସହିତ ପ୍ରତିଯୋଗିତା ପାଇଁ ଏହାର ଗଠନ ନୁହେଁ ବୋଲି ଅପରାଜିତା କହିଛନ୍ତି।ତେବେ ବିଜେପିରେ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଥାଉଥାଉ “ଅଜିତା” ବା “ୟୁଥ୍ ଫର୍ ଆକ୍ସନ୍”ର କାହିଁକି ବା ଆବଶ୍ୟକତା ପଡ଼ିଲା?କିଛି ଦିନ ତଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପୂର୍ବତନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରଯାଇଥିଲା ଯେ ଅପରାଜିତା ଦଳ ଭିତରେ ନିଜସ୍ୱ ଏକ ସଙ୍ଗଠନ କରୁଛନ୍ତି।ତେବେ, ସେ ଅଭିଯୋଗର କ’ଣ କିଛି ସତ୍ୟତା ଥିଲା?ଅବଶ୍ୟ ଅପରାଜିତା ଘୋଷିତ ଭାବରେ ଏପରି ସଙ୍ଗଠନ କରୁଥିବା ବେଳେ ଧର୍ମେନ୍ଦ୍ରଙ୍କ ପକ୍ଷରୁ ପରୋକ୍ଷ ଭାବରେ ତାଙ୍କ ଗୋଷ୍ଠୀ ମାଧ୍ୟମରେ ମଧ୍ୟ “ନୂଆ ଓଡ଼ିଶାର ଧର୍ମପଦ: ଧର୍ମେନ୍ଦ୍ର” ନାମରେ ଗୋଷ୍ଠୀ କରି ତାଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନା କରାଯାଇ ଆସୁଅଛି।ମନେଥିବ, ଆଇଏଏସ ଚାକିରୀ ଛାଡ଼ି ରାଜନୀତିକୁ ଆସିବା ସମୟରେ କାରଣ ଦର୍ଶାଇ ଅପରାଜିତା କହିଥିଲେ ଯେ, ରାଜନୀତି ଲୋକସେବା କରିବାର ଏକ ବଡ଼ ମାଧ୍ୟମ।ପ୍ରଶାସନିକ ଅଧିକାରୀ ହିସାବରେ ଏକ ସୀମିତ ବାତାବରଣ ଭିତରେ କାମ କରିବାକୁ ପଡ଼େ।କିନ୍ତୁ ରାଜନୀତି ଏକ ବଡ଼ ପ୍ଲାଟଫର୍ମ ଦେଇଥାଏ।ଏହାସହ ଅପରାଜିତା କହିଥିଲେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବାର ସଂକଳ୍ପ ନେଇ ଆସିଛି।ଆଉ ଏବେ ଯାହା ଅନୁଭବ ହେଉଛି, ତାଙ୍କ ଟାର୍ଗେଟରେ ସଂପୂର୍ଣ୍ଣ ଓଡ଼ିଶାର ନେତୃତ୍ୱ ନେବାର ଅଭିଳାଷ ରହିଛି!/-ଦେବଦତ୍ତ ରଥ
ଧର୍ମେନ୍ଦ୍ରଙ୍କ ଶକ୍ତି ପ୍ରଦର୍ଶନ; ଛାଡ଼ୁ ନାହାଁନ୍ତି ଓଡ଼ିଶା !

