Home Coronavirus Outbreak ଅନ୍ଧାରରେ ବାଡି ବୁଲାଉଛି ସରକାର

ଅନ୍ଧାରରେ ବାଡି ବୁଲାଉଛି ସରକାର

198

ଚାରିଆଡେ ଏବେ କରୋନା ଗ୍ରାସ କରିଛି। ସବୁଆଡେ ସେହି ଆଲୋଚନା। ପରିବାର ଠାରୁ ଆରମ୍ଭ କରି, ରାସ୍ତାଘାଟ, ଟେଲିଭିଜନ, ପ୍ରିଟଂ, ସୋସଆଲ ମିଡିଆ ସବୁଆଡେ କେବଳ କରୋନା ହିଁ କରୋନା। ଭାରତ ବର୍ଷ ଏବେ କରୋନାର ଦ୍ୱିତୀୟ ଲହରୀ ଦେଇ ଗତି କରୁଛି। ଗତ ବର୍ଷ ଆମେ କରୋନାର ପ୍ରଥମ ଲହରୀକୁ ମୁକାବିଲା କରି ସାରିଛେ। ଏବେ ଦ୍ୱିତୀୟ ଲହରୀ ସହିତ ଲଢୁଛେ। ବିଶ୍ୱର ଅଧିକାଂଶ ରାଷ୍ଟ୍ର ଏବେ କରୋନାମୁକ୍ତ। କିଛି ରାଷ୍ଟ୍ର ଦ୍ୱିତୀୟ ଲହରୀକୁ ସାମନା କରି ମୁକ୍ତ ମଧ୍ୟ ହୋଇ ସାରିଲେଣି। ମାତ୍ର ଆମେ ଦେଶ ଏବେ ଦ୍ୱିତୀୟ ଲହରୀ ସହିତ ଲଢୁଛେ। ଆଉ କିଛି ମାସ ପରେ ଭାରତରେ କରୋନାର ତୃତୀୟ ଲହରୀର ଆଗମନ ହେବ ବୋଲି ଆମ ଦେଶର ତଥତକଥିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତପୋଷଣ କରି ସାରିଲେଣି। ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ର ତୃତୀୟ ଲହରୀ ବାବଦରେ ଏପର୍ଯ୍ୟନ୍ତ କିଛି ମଧ୍ୟ ପୁର୍ବାନୁମାନ କରି ନାହିଁ।

ବିଶ୍ୱର ସର୍ବ ବୃହତ ରାଷ୍ଟ୍ର ଚାଇନାର ଉହାନ ସହରରୁ ପ୍ରଥମେ ଏହି କରୋନା ଭୁତାଣୁର ଆବିଷ୍କାର ହୋଇଥିଲା। କରୋନା କେବଳ ସେହି ଉହାନ ସହର ଭିତରେ ରହିଥିଲା ଏବଂ ଚାଇନା ଆଜିକା ଦିନରେ କରୋନାକୁ ବହୁ ପଛରେ ପକାଇ ସାରିଲାଣି। ସେହିପରି ଅନ୍ୟ ଏକ ଜନ ବହୁଳ ତଥା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା କରୋନାକୁ ମାତ ଦେଇ ମାସ୍କ ଫ୍ରି ରାଷ୍ଟ୍ର ଭାବରେ ନିଜକୁ ଘୋଷଣା କରି ସାରିଲାଣି। ସେହିପରି ଅବିଭକ୍ତ ସୋଭିଏତ ରୁଷ, ଅଧିକାଂଶ ୟୁରୋପିୟ ରାଷ୍ଟ୍ର, ଆଫ୍ରିକୀୟ ରାଷ୍ଟ୍ର, ଅଷ୍ଟ୍ରେଲିଆ, ନ୍ରୁଜିଲାଣ୍ଡ ତଥା ଅନେକ ଏସିୟ ରାଷ୍ଟ୍ର ଆଜି କରୋନା ଉପରେ ବିଜୟ ଲାଭ କରି ସାରିଲେଣି। ସୁଚିନ୍ତିତ ରଣକୌଶଳ, ପରିବକ୍ୱତା ତଥା ସଠିକ ଜନ ସଚେତନତା ସକାଶେ ଏ ସବୁ ରାଷ୍ଟ୍ର ଆଜି କରୋନାମୁକ୍ତ। ସଠିକ ସମୟରେ ଔଷଧ ବାହାର କରି ତାର ସଠିକ ସମୟରେ ପ୍ରୟୋଗ, ସଠିକ ସମୟରେ କରୋନା ଟୀକା ବାହାର କରି ନିଜ ଦେଶବାଶୀଙ୍କୁ ଟୀକା କରଣ କରାଇବା, ଜନସାଧାରଣଙ୍କ ମନରେ ସଚେଜନତାର ସଠିକ ବାର୍ତା ଦେଇ ଜୀବନର ମୂଲ୍ୟବୋଧ ଶିଖାଇବା ଆଜି ସମସ୍ତ ସକାରାତ୍ମକ ଚିନ୍ତାଧାରା ସକାଶେ ଏହି ରାଷ୍ଟ୍ରମାନେ କରୋନାକୁ ବାଏବାଏ କରି ସାରିଲେଣି।

ମାତ୍ର ଆମ ରାଷ୍ଟ୍ର ଭାରତରେ ଏହାର ସଂପୂର୍ଣ୍ଣ ଓଲଟା। ଆମ ଦେଶରେ ଏକ ଭିନ୍ନ ଢଙ୍ଗରେ କରୋନା ସଚେତନତା ଚାଲିଛି। ଜନସାଧାରଣଙ୍କୁ କୌଣସି ଏକ ବିଷୟରେ ସଚେତନତାର ମାଧ୍ୟମ ହେଉଛି ଟେଲିଭିଜନ, ଖବରକାଗଜ ଓ ସାମାଜିକ ଗଣ ମାଧ୍ୟମ। ଭାରତରେ ବିଭିନ୍ନ ଜାତୀୟ ଓ ଆଂଚଳିକ ଗଣମାଧ୍ୟମ ଗୁଡିକରେ ପ୍ରତିଦିନ କରୋନାର କରାଳ ରୂପକୁ ଏପରି ବିକୃତ ଭାବରେ ଉପସ୍ଥାପନା କରାଯାଉଛି ଯେ ସୁସ୍ଥ ଲୋକଟିଏ ବି କରୋନା ନାଁ ଶୁଣିଲେ ଆତଙ୍କିତ ହୋଇ ପଢୁଛି। ବଢୁଥିବା ସଂକ୍ରମଣ ସଂଖ୍ୟା, ମୃତ୍ୟୁ ସଂଖ୍ୟା, ମଶାଣିରେ ଶବ ଦାହର ଦୃଶ୍ୟକୁ ଟେଲିଭିଜନ ଆଙ୍କରମାନେ ଯେପରି ରଡି ଛାଡି ଉପସ୍ଥାପନା କରୁଛନ୍ତି ତାହା ଅନ୍ୟ ଦେଶରେ ଦେଖିବାକୁ ବିରଳ। ସୁସ୍ଥ ହାର ତଥା ସଂକ୍ରମଣ ହ୍ରାସ ହାର ବର୍ଣ୍ଣନା କଲା ବେଳକୁ ଏମାନଙ୍କ ସ୍ୱର ପୁରା ନରମି ଯାଉଛି। ଖବର କାଗଜ ଓ ସୋସିଆଲ ମିଡିଆ ଅବସ୍ଥା ମଧ୍ୟ ସେଇଆ। ମହାମାରୀର ଫାଇଦା ନେଇ ଟିଆପି ଓ ପ୍ରସାରଣ ବଢାଇ ବିଜ୍ଞାପନ ହାତେଇବା ମୂଳ ଲକ୍ଷ୍ୟ। ଲୋକ ପଛେ ଭୟଭୀତ ହୋଇ ମରନ୍ତୁ ଏମାନଙ୍କର ପରବାୟ ନାହିଁ। ଅନ୍ୟ ଏକ ତଥ୍ୟ ରହିଲା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ। ଦେଖିବାକୁ ଗଲେ କରୋନା ଏକ ଭୁତାଣୁ ଜନିତ ରୋଗ। ଭେଷଜ ବା ଯାହାକୁ କୁହାଯାଏ ମେଡିସିନ ବିଭାଗର ଡାକ୍ତର କରୋନା ବାବଦରେ ରିସର୍ଚ୍ଚ କରୁଛନ୍ତି ଏବଂ ଏମାନେ ସଠିକ ତଥ୍ୟ ଦେଇ ପାରିବେ। ମାତ୍ର ଆମେ ଦେଶରେ ସ୍ତ୍ରୀ ଓ ପ୍ରସୁତୀ ବିଭାଗର ଡାକ୍ତର, ନ୍ୟୁରୋ ସର୍ଜରୀ ଡାକ୍ତର, ହାତ ଗୋଡ ଭଙ୍ଗା ଡାକ୍ତର, ମସ୍ତିସ୍କ ରୋଗୀଙ୍କ ଡାକ୍ତର , ଏମାନେ ସବୁ କରୋନା ବିଶେଷଜ୍ଞ ଭାବରେ ବିଭିନ୍ନ ମିଡିଆରେ ଆବିର୍ଭାବ ହେଉଛନ୍ତି। ସାଧାରଣ ଜନତାଟିଏ ଗୁଗୁଲ ସର୍ଚ୍ଚ କରି କରୋନା ବାବଦରେ ଯାହା ଜାଣୁଛି ଏମାନେ ମଧ୍ୟ ସେଇଆ ଜାଣୁଛନ୍ତି। ମାତ୍ର ତାକୁ ଏ ଭଳି ଭାବରେ ଉପସ୍ଥାପନା କରୁଛନ୍ତି ଯେ ନିରୋଗୀ ଲୋକଟିଏ ଏମାନଙ୍କ ଭାଷଣ ଶୁଣି ନିଜକୁ କରୋନା ରୋଗୀ ଭଳି ଭାବିବା ଆରମ୍ଭ କରିବ। ଏହାର କାରଣ ମଧ୍ୟ ରହିଛି। ଲୋକଙ୍କ ମନରେ ଭୟର ମାତ୍ରାଧିକ ବାତାବରଣ ସୃଷ୍ଟି କଲେ ଅସୁସ୍ଥ ହେବେ। ମେଡିକାଲକୁ ଯିବେ ଓ ଅଛାଖାସା ଲୁଟର ଶୀକାର ହେଇ ଘରକୁ ଫେରିବେ ନଚେତ ଉପରକୁ।

ଶେଷରେ ଆମେ ଆଲୋଚନା କରିବା ଆମ ଭାରତ ସରକାର କିପରି କରୋନାକୁ ମୁକାବିଲା କରୁଛି। କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଲୋକ ମରିବା ଆରମ୍ଭ କଲେଣି ମାତ୍ର ଆମ ସରକାର ସେଥିପ୍ରତି ଭୃକ୍ଷେପ ନ କରି ୫ ଗୋଟି ରାଜ୍ୟରେ ନିର୍ବାଚନରେ ମାତିଲେ। ଲକ୍ଷ ଲକ୍ଷ ନେତା କର୍ମୀ ବିଭିନ୍ନ ଦଳର କୁଣ୍ଡାକୁଣ୍ଡି ହୋଇ ନିର୍ବାଚନ ପ୍ରଚାରରେ ମାତିଲେ। ଶହରୁ ହଜାର, ହଜାରରୁ ଲକ୍ଷ ଲକ୍ଷ କରୋନା ରୋଗୀ ଦେଶ ଯାକ ଖେଳି ଗଲେ। ସେହିପରି ଆମ ସରକାର ଲକ୍ଷ ଲକ୍ଷ ଲୋକଙ୍କୁ ଅନୁମତି ଦେଲେ ଗଙ୍ଗାରେ ବୁଡ ପକାଇବା ପାଇଁ। ସାରା ଭାରତରୁ ଧର୍ମ କରିବା ପାଇଁ ଲୋକ ଆସି ଗଙ୍ଗାରେ ବୁଡ ପକାଇ କରୋନା ଧରି ନିଜ ନିଜ ଅଂଚଳକୁ ଚାଲିଲେ। ସରକାର ଦୁଇଟି କଂପାନୀକୁ ପ୍ରୋତ୍ସାହନ ଦେଇ ଟୀକା ପ୍ରସ୍ତୁତ କଲେ। ଭାରତ ବାୟୋଟେକ ତିଆରି କଲା କୋଭାକସିନ ଓ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କଲା କୋଭିସିଲ୍ଡ। ନିଜ ଦେଶର ନାଗରିକଙ୍କୁ ସଂପୂର୍ଣ୍ଣ ଟୀକାକରଣ ନକରାଇ ଆମ ସରକାର କୋଭିସିଲ୍ଡ ଟୀକାକୁ ୯୩ ରାଷ୍ଟ୍ରକୁ ଦେଇ ଦେଲେ। କୋଭିସିଲ୍ଡ ଟୀକାର ପ୍ରଥମ ଡୋଜ ନବାର ୨୧ ରୁ ୨୮ ଦିନ ଭିତରେ ୨ୟ ଡୋଜ ନେବା ପାଇଁ ନିର୍ଦ୍ଦେଶନାମା ଜାରି କଲେ। ଏହି ଟୀକାର ଅଭାବ ପରିଲକ୍ଷିତ ହେବା ପରେ ୨ୟ ଡୋଜର ଅବଧି ବଢାଇ ଦେଲେ ୧୬ ରୁ ୨୮ ସପ୍ତାହ। ଏବେ ଏହି ଟୀକାର ୨ୟ ଡୋଜର ଆବଶ୍ୟକତା ଆଉ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି। କାରଣ ସିରମ ଇନଷ୍ଟିଚ୍ୟୁଟର ମାଲିକ ତାର ପୁରା ପରିବାରର ସଦସ୍ୟଙ୍କ ସହିତ ଲଣ୍ଡନରେ। ଜୀବନ ରକ୍ଷାକାରୀ ଟୀକାର ପ୍ରସ୍ତୁତକର୍ତା କାହିଁ ଭାରତ ଛାଡି ଲଣ୍ଡନରେ ବସିଛି ତାହା ମଧ୍ୟ ରହସ୍ୟ ଘେରରେ।

ଏବେ ଭାରତରେ ବ୍ଲାକ ଫଙ୍ଗସ ନାମକ ଏକ ନୂଆ ଭୁତାଣୁ ବାହାରିଲାଣି। ଏହା କରୋନାରୁ ମୁକ୍ତ ରୋଗୀଙ୍କ ପାଖରେ ଦେଖାଯାଉଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଲାଣି। କିଛି ରାଜ୍ୟ ଏହାକୁ ନୋଟିଫାଏଡ୍‌ ଡିଜିଜ୍‌ ମଧ୍ୟ ଘୋଷଣା କରି ସାରିଲେଣି। ଏହି ଭୁତାଣୁ ପାଇଁ ମଧ୍ୟ ଆଗାମୀ ଭାରତ ବର୍ଷରେ ନାନା ତର୍ଜ୍ଜମା ଚାଲିବ ଏଥିରେ ସନ୍ଦେହ ନାହିଁ। ବିଶ୍ୱର ଅନ୍ୟତମ ପ୍ରଗତିଶୀଳ ରାଷ୍ଟ୍ର ବୋଲାଉ ଥିବା ଭାରତର ମହାମାରୀକୁ ସାମନା କରିବାର ଭିନ୍ନ ଭିନ୍ନ କୌଶଳକୁ ଦେଖି ସାରା ବିଶ୍ୱ ଆଜି ସ୍ତବଧ।
– ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.