ଭୁବନେଶ୍ୱର, ତା ୨୫.୦୯ (ଓଡ଼ିଆ ପୁଅ) : ପୁନାଚୁକ୍ତି ଦିବସ ପାଳନ ଅବସରରେ ଭୁବନେଶ୍ୱର, କଳିଙ୍ଗ ବୁଦ୍ଧବିହାର ସଭାକକ୍ଷରେ “ଅନୁସୂଚିତ ବର୍ଗଙ୍କ ସଂରକ୍ଷଣର ସୁରକ୍ଷା’ ଶୀର୍ଷକ ଏକ ଆଲୋଚନାଚକ୍ର ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଳିକଙ୍କ ସଭାପତିତ୍ୱରେ ଗତକାଲି ୨୪ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଯାଇଛି। ୧୯୩୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଭାରତର ସ୍ୱାଧୀନତାଦାତା ପରମଧାର୍ମିକ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ବିପ୍ଳବୀ ସମାଜ ସଂସ୍କାରକ, ସ୍ୱାଧୀନ ଭାରତର ସମ୍ବିଧାନ ପ୍ରଣେତା ତଥା ଆଧୁନିକ ଭାରତର ଭିତ୍ତିଭୂମି ସ୍ରଷ୍ଟା ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମଧ୍ୟରେ ଆଲୋଚନା ହୋଇ ଇରୋଭଦା ଜେଲରେ ପୁନାଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାଦ୍ୱାରା ଭାରତୀୟ ସମାଜ, ଅର୍ଥନୀତି ଓ ରାଜନୀତିରେ ଏକ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇପାରିଥିଲା। କିନ୍ତୁ ପରିତାପର ବିଷୟ, ଐତିହାସିକମାନେ ଏହାକୁ ଅଣଦେଖା କରିଛନ୍ତି।
ଦ୍ୱିତୀୟ ଗୋଲଟେବୁଲ୍ ବୈଠକରେ ଡଃ ଆମ୍ବେଦକରଙ୍କ ବଳିଷ୍ଠ ତଥ୍ୟ ଉପସ୍ଥାପନା ବିଶ୍ୱକୁ ଚକିତ କରିଦେଇଥିଲା। କଂଗ୍ରେସର ସହମତିରେ ବି୍ରିଟିଶ୍ ସରକାର ଭାରତରେ ଦଳିତମାନଙ୍କ ପାଇଁ ଦ୍ୱୈତ ସାମ୍ବିଧାନିକ ବ୍ୟବସ୍ଥା ଲାଗୁ କରିବା ନିମିତ୍ତ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମହାତ୍ମା ଗାନ୍ଧୀ ଏହା ବିରୁଦ୍ଧରେ ଅନଶନ କରିବାରୁ ଭାରତରେ ଅଶାନ୍ତି ସୃଷ୍ଟି ହୋଇ ଦଳିତମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ମୁସଲମାନ ଓ ଖୀରସ୍ତାନମାନଙ୍କୁ ଶାସନରେ ଭାଗିଦାରୀ କରିବାକୁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦଳିତ ଓ ଆଦିବାସୀମାନଙ୍କୁ ତାହା ମିଳିନଥିଲା। ଜୟପାଲ ସିଂ ଆଦିବାସୀଙ୍କ ନିମନ୍ତେ ଓ ରାମ ମନୋହର ଲୋହିଆ ଅନଗ୍ରସର ବର୍ଗଙ୍କ ପାଇଁ ମଧ୍ୟ ସଂଗ୍ରାମ କରିଛନ୍ତି। ନିଜର ଇଚ୍ଛା ବିରୁଦ୍ଧରେ ଡଃ ଆମ୍ବେଦକର ନିର୍ଯ୍ୟାତନାର ତାଡ଼ନା ଓ ଗାନ୍ଧିଜୀଙ୍କ ଜୀବନ ରକ୍ଷା ପାଇଁ ପୁନାଚୁକ୍ତି ସ୍ୱାକ୍ଷର କରିବା ପାଇଁ ବାଧ୍ୟ ହୋଇଥିଲେ। ସେ ଦଳିତ, ଆଦିବାସୀମାନଙ୍କ ପାଇଁ ସମାନ ମାନବିକ ଅଧିକାର ଚାହୁଁଥିଲେ। ଡଃ ଆମ୍ବେଦକର ଚାହୁଁଥିଲେ ଜାତିପ୍ରଥାର ବିଲୋପ, ଯାହାଦ୍ୱାରା ଅସ୍ପୃଶ୍ୟତାର ବିଲୋପ ହୋଇଥାନ୍ତା। ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଆଜି ଏହି ଅସ୍ପୃଶ୍ୟତା ବ୍ୟାଧି ଭଲ ହୋଇପାରିନି। ଏହି ବ୍ୟାଧି ପାଇଁ ଆମକୁ ସଂରକ୍ଷଣ ଔଷଧ ଦିଆଯାଇଥିଲା। ଏଣୁ ରୋଗ ଭଲ ନହେବା ଯାଏଁ ଏହି ସଂରକ୍ଷଣ ଔଷଧ ଚାଲୁ ରହିବ। ଏହାକୁ କେହି କାଟିପାରିବେ ନାହିଁ। କିନ୍ତୁ ମନୁବାଦୀମାନଙ୍କ ଆନ୍ତରିକତାର ଅଭାବ ଓ ଚକ୍ରାନ୍ତ ଫଳରେ ଏହାର ଆଂଶିକ ସଫଳତା ମିଳିଛି। ବାସ୍ତବରେ ଏସ୍.ସି., ଏସ୍.ଟି.ମାନଙ୍କ ସଂଖ୍ୟା ୪୫ ଭାଗ ହୋଇଥିଲେ ମଧ୍ୟ ଆମକୁ ପ୍ରାୟତଃ ୫ ଭାଗ ସଂରକ୍ଷଣ ମିଳିଛି। ସଂରକ୍ଷଣର ସିଂହଭାଗ ସବର୍ଣ୍ଣମାନଙ୍କ ଦ୍ୱାରା ଚୋରି ହୋଇଯାଇଛି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ସଂରକ୍ଷଣ ରଖିବା ପାଇଁ ବାରମ୍ବାର ଜୋର୍ ଦେଉଥିଲେ ମଧ୍ୟ ମନୁବାଦୀମାନେ ସଂରକ୍ଷଣ ଉଠାଇବା ନେଇ ସକ୍ରିୟ ହୋଇ ପଡ଼ିଛନ୍ତି। ତେଣୁ ଆମେ ଏହାର ଦୃଢ଼ ବିରୋଧ କରିବା ସହିତ ସଂରକ୍ଷଣ ସଠିକ୍ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ନିମିତ୍ତ ଦାବି କରୁଅଛୁ। ଅନ୍ୟଥା ଆମେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟହେବୁ।
ଏହି ଆଲୋଚନାଚକ୍ରରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଳିକ ମୁଖ୍ୟ ଅତିଥି, ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏତଦ୍ ସହିତ ପ୍ରଫେସର ରମେଶ ମଲ୍ଲିକ, ବାଣୀବିହାର ବିଶିଷ୍ଟ ସମ୍ମାନିୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ପ୍ରଭାକର ମଲ୍ଲିକ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଶେଖ ଅବଦୁଲ ୱାଲି, ଅଧ୍ୟକ୍ଷ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ, ଅଶୋକ ମଲ୍ଲିକ, ସଭାପତି, ଜାତୀୟ ଦଳିତ ମହାସଂଘ, ଆଡ୍ଭୋକେଟ୍ ଆକୁଳି ଚରଣ ସେଠୀ, ସଭାପତି, ରଜକ ମହାସଂଘ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ଶେଷରେ ରବିନ୍ଦ୍ର କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।