Home ଜିଲ୍ଲା ପରିକ୍ରମା ଅନିୟମିତତା ପ୍ରତିକାର ପାଇଁ ୩ ସରପଞ୍ଚଙ୍କ ଦାବି; ଡିଲର ମିଟିଂ ଅଧାରୁ ବନ୍ଦ

ଅନିୟମିତତା ପ୍ରତିକାର ପାଇଁ ୩ ସରପଞ୍ଚଙ୍କ ଦାବି; ଡିଲର ମିଟିଂ ଅଧାରୁ ବନ୍ଦ

47

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୋଗାଣ ସାମଗ୍ରୀ ବିତରଣରେ ସ୍ୱଚ୍ଛତା ଓ ଶୃଙ୍ଖଳା ଆଣିବା ପାଇଁ ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ଆହୂତ ପିଡିଏସ ଡିଲରମାନଙ୍କ ବୈଠକ ଗୁରୁବାର ଅଧାରୁ ବାତିଲ କରି ଦିଆଯାଇଛି । ହିତାଧିକାରୀମାନଙ୍କ ଆଧାର ଜନିତ ତୃଟି ପାଇଁ ବିତରଣ ନହୋଇ ମହଜୁଦ ରହିଥିବା ସାମଗ୍ରୀ ସମସ୍ୟାର ସୁଧାର ପାଇଁ ଏହି ବୈଠକ ବିଡିଓଙ୍କ ପକ୍ଷରୁ ଆହ୍ୱାନ କରାଯାଇଥିଲା । ବ୍ଲକ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ଏହି ବୈଠକରେ ବିଡିଓ ବିଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ବ୍ଲକ ଯୋଗାଣ ଅଧିକାରୀ ରେବତୀସ ସିଂ ନାୟକ, ବ୍ଲକ ଅଞ୍ଚଳର ସମସ୍ତ ଡିଲର, ସ୍ୱୟଂସହାୟିକା ଗୋଷ୍ଠୀ ଡିଲର, ଡିଲର ଦାଇତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇଥିଲେ । ଏହା ସହ ଯୋଗାଣ ସାମଗ୍ରୀ ପରିବହନରେ ନିୟୋଜିତ ଠିକାଦାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଧାମନଗରଛକସ୍ଥିତ ଗୋଦାମ ପରିଚାଳକ ଆଦି ଯୋଗ ଦେଇଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ ଦକ୍ଷିଣବାଡ ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବୟାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ରଣଜିତ ସରପଞ୍ଚ ମନୋଜ କୁମାର ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ହୋଇ ଯୋଗାଣ ସାମଗ୍ରୀରେ ହୋଇଥିବା ଅନୀୟମିତା ଅଭିଯୋଗ ଓ ଏହାର ତଦନ୍ତ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଥମେ ଆଲୋଚନା କରିବାକୁ ଦାବି କରିଥିଲେ । ଯୋଗାଣ ବ୍ୟବସ୍ଥାରେ ଅନୀୟମିତତାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସରପଞ୍ଚମାନେ ଚେତାବନୀ ଦେଇ ଏହାର ପ୍ରତିକାର କରିବାକୁ ଦୃଢ ଦାବି ଜଣାଇଥିଲେ । ଫଳରେ ବୈଠକକୁ ବନ୍ଦ କରିଦିଆଯାଇଥିଲା । ବ୍ଲକ ଅଞ୍ଚଳରେ ବନ୍ଦ ହୋଇପଡିରହିଥିବା ପ୍ରାୟ ଛଅ ହଜାର ହତାଧିକାରୀଙ୍କ ଆଧାରଜନିତ ତୃଟି ସୁଧାର ପାଇଁ ଚଳିତ ମାସ ୩୦ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା ।

ଏଥିନେଇ ପଦକ୍ଷେପ ନେବାପାଇଁ ସମୟ ହେବା ନେଇ ଯୋଗାଣ ଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଭଣ୍ଡାରିପୋଖରୀ ବ୍ଳକର ରାସନ ସାମଗ୍ରୀ ଗ୍ରହଣ, ଯୋଗାଣ, ବିତରଣ ଓ ମହଜୁଦରେ ଚାଲିଥିବା ହେରାଫେରି ସୀମା ଲଙ୍ଘଛି । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଚଉଦ ଜଣ ଡିଲରଙ୍କ ବିରୋଧରେ ହୋଇଥିବା ପ୍ରାଥମିକ ତଦନ୍ତରୁ ସାମଗ୍ରୀ ଯୋଗାଣରେ ଠକେଇ ଉପରୁ ପରଦା କ୍ରମେ ହଟୁଛି । ତଦନ୍ତ ସମୟରେ ସାରୋ ଆଦି କେତେକ ସ୍ଥାନରେ ଅକ୍ଟୋବର ଓ ନଭେମ୍ବର ମାସ ରାସନ ସମଗ୍ରୀ ବିତରଣ କରାଯାଇନଥିବା ସ୍ପଷ୍ଟ ହୋଇଥିଲା । ଏପରିକି ସାମଗ୍ରୀ ପ୍ରାପ୍ତି ସ୍ୱୀକାର ପତ୍ରରେ ସମସ୍ତ ଯୋଗାଣ ସାମଗ୍ରୀ ହସ୍ତଗତ ହୋଇଥିବା ଜଣାପଡିଥିବା ବେଳେ କେତେକସ୍ଥାନରେ ବାସ୍ତବରେ ଗଚ୍ଛିତ ନଥିଲା । ଏହି ଅନୀୟମିତତା ସମ୍ପର୍କର ଜନୈକ ଡିଲର ପରିବହନ ଠିକାଦାରଙ୍କ ବିରୋଧରେ ଲିଖିତ ବୟାନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦେଇଥିବା ଜଣାଯାଇଛି । ଯୋଗାଣ ସାମଗ୍ରୀ ପରିବହନ ଦାଇତ୍ୱରେ ଥିବା ଠିକାଦାର କମ ପରିମାଣର ସାମଗ୍ରୀ ଦେଇ ସମ୍ପୁର୍ଣ୍ଣ ସାମଗ୍ରୀ ଯୋଗାଣ ହୋଇଥିବା ନେଇ ପ୍ରାପ୍ତିସ୍ୱୀକାର ପତ୍ରରେ ଲେଖାଇ ନେଇଥିବା ପ୍ରକାଶ କରିଛନ୍ତି । ବଳକା ସାମଗ୍ରୀର ଅର୍ଥ ଭାଗବଣ୍ଟା କରି ପକେଟକୁ ନେଉଥିବା ଭଳି ଅଭିଯୋଗ ଆସିଛି । ଏଭଳି କୁକାର୍ଯ୍ୟ ଦୀର୍ଘ ଦିନ ଧରି ଚାଲୁଥିବାରୁ ସାମଗ୍ରୀର ବାଟମାରଣାର ଚେର ପାତାଳକୁ ଲମ୍ବିଛି ବୋଲି କୁହାଯାଉଛି । ଯୋଗାଣ ସାମଗ୍ରୀ ବିତରଣ ଦାଇତ୍ୱରେ ଥିବା କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ମଧ୍ୟ ଏହି ଅନୀୟମିତତାରୁ ମୁକ୍ତ ନୁହନ୍ତି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.