Home ଜିଲ୍ଲା ପରିକ୍ରମା ଅଧ୍ୟାପକ ଡ. ପୀତାମ୍ବର ସ୍ୱାଇଁଙ୍କ ୯୦ ତମ ଜୟନ୍ତୀ ଉତ୍ସବ, ନାଟ୍ୟକାର ଡ. ବିଜୟ ଶତପଥୀଙ୍କୁ...

ଅଧ୍ୟାପକ ଡ. ପୀତାମ୍ବର ସ୍ୱାଇଁଙ୍କ ୯୦ ତମ ଜୟନ୍ତୀ ଉତ୍ସବ, ନାଟ୍ୟକାର ଡ. ବିଜୟ ଶତପଥୀଙ୍କୁ ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ

31

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ବିଶିଷ୍ଟ ବାଗ୍ମୀ, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ଭଞ୍ଜସାହିତ୍ୟର ଗବେଷକ ତଥା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱନାମଧନ୍ୟ ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁ ୯୦ ତମ ରାଜ୍ୟସ୍ତରୀୟ ଉତ୍ସବ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି । ସ୍ମୃତିସଂସଦର ଉପସଭାପତି ବିଶିଷ୍ଟ ଅଧୀବକ୍ତା ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଡ. ରାଧାବିନୋଦ ନାୟକ ଯୋଗଦେଇ ସାଧାରଣ ଜୀବନ ଜିଉଁଥିବା ପୀତାମ୍ବର ସ୍ୱାଇଁଙ୍କ ଅସାଧାରଣ ଉଚ୍ଚାରଣ ହିଁ ତାଙ୍କୁ ଦିବ୍ୟ ଜୀବନର ସନ୍ଧାନ ଦେଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଘଟଗାଁ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ ସମାଲୋଚକ ଡ. ଚିତ୍ତରଂଜନ ମିଶ୍ର ଯୋଗଦେଇ ‘ଓଡ଼ିଆ କବିତାରେ ଗାଁ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରି ପୀତାମ୍ବର ସ୍ୱାଇଁଙ୍କୁ ଗାଁର ମଣିଷ ଓ ମାଟିର ରତ୍ନ ବୋଲି ଅଭିହିତ କରିଥିଲେ ।

ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ପ୍ରଫେସର ଡ. ବିଜୟ କୁମାର ଶତପଥୀଙ୍କୁ ଚଳିତବର୍ଷ ପାଇଁ ମର୍ଯ୍ୟାଦାଜନକ ‘ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ବିଶିଷ୍ଟ ଚିକିତ୍ସକ ସମାଜସେବୀ ବିଚିତ୍ରାନନ୍ଦ ମିଶ୍ରଙ୍କୁ ଜିଲ୍ଲାସ୍ତରୀୟ ବିରଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ଉଭୟ ପ୍ରତିଭା ସ୍ୱର୍ଗତ ସ୍ୱାଇଁଙ୍କ ଭଳି କୃତି ଶିକ୍ଷକଙ୍କ ଛାତ୍ରହେବାର ଗୌରବ ଅର୍ଜନ କରିଥିଲେ ବୋଲି କହିଥିଲେ । ଅଧ୍ୟାପିକା ଡ. ମମତା ସାହୁ ଓ ‘ବାଇଚଢ଼େଇ’ର ସମ୍ପାଦକ ବିକାଶ କୁମାର ଶତପଥୀ ମାନପତ୍ର ପାଠ କରିଥିଲେ । ସ୍ମୃତିସଂସଦର ସଦସ୍ୟ ଅଧ୍ୟାପକ ବିଶ୍ୱରଂଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସମ୍ପାଦକ ଡକ୍ଟର ଶଶଧର ଦାସ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଡକ୍ଟର ସ୍ୱାଇଁଙ୍କ ଜ୍ୟେଷ୍ଠପୁତ୍ର ଐର ଖାରବେଳ ସ୍ୱାଇଁ ସାହିତ୍ୟ ସଂସ୍କୃତିର ଜୟଯାତ୍ରା ସ୍ମୃତି ଉତ୍ସବର ତାତ୍ପର୍ଯ୍ୟ ବୋଲି ମତଦେଇଥିଲେ । ବୃନ୍ଦାବନ କଳାକେନ୍ଦ୍ର ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା । କବି ହୃଦାନନ୍ଦ ପାଣିଗ୍ରାହୀ, ଡକ୍ଟର କ୍ଷୀରୋଦ କୁମାର ସାମଲ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ଶ୍ରୀହର୍ଷ ସ୍ୱାଇଁ ପ୍ରମୁଖ ସଦସ୍ୟଗଣ ଉତ୍ସବ ପରିଚାଳନାରେ ଅଂଶଗ୍ରହଣ କରିଥିଲେ । ସଦସ୍ୟ ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.