ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଛତାବର ଛକ ଗଳିପୋଲ ତଳେ ଅଜଣା ହାଇୱା ଧକ୍କାରେ ଆହତ ହୋଇ ଯନ୍ତ୍ରଣା ଭୋଗୁଥିବା ବୃଷଭର ଚିକିତ୍ସା ପ୍ରଶାସନ କରୁ ବୋଲି ସାଧାରଣରେ ଦାବି ହୋଇଛି । ମହାଦେବଙ୍କ ସମ୍ମୁଖରେ ଥିବା ପଥର ବୃଷଭକୁ ଲୋକେ ପୂଜା କରୁଛନ୍ତି । ହେଲେ ଏକ ଜୀବନ୍ତ ବୃଷଭ ଆହତ ହୋଇ ରାଜରାସ୍ତାରେ ଛଟପଟ ହେଉଥିବା ବେଳେ ସାଧାରଣ ଲୋକେ ଓ ପଶୁଚିକିତ୍ସା ବିଭାଗ ଚିକିତ୍ସା ଦାଇତ୍ୱ ଗ୍ରହଣ ନକରିବା ଘଟଣା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୫ ପୂର୍ବେ ଗଳିପୋଲ ତଳେ ସବୁଦିନ ଭଳି ରାତ୍ରରେ ଶୋଇଥିବା କଳା ରଙ୍ଗର ସ୍ଥାନୀୟ ବୃଷଭକୁ ଏକ ଅଜଣା ଚୋରା ବାଲି ବୋଝେଇ ହାଇୱା ଧକ୍କା ଦେଇ ପଳାଇଯାଇଥିଲା । ସେଠାରେ ଥିବା କେତେକ ଲୋକେ ହାଇୱାକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ଅଟକି ନଥିଲା । ଗାଡି ଧକ୍କାରେ ବୃଷଭ ଆହତ ହୋଇଥିଲା । ସୂଚନା ପାଇ ଲଲାଟ ପାଢୀ, କାଳନ୍ଦୀ ଜେନା, ବରଦା ସାହୁ, ଚନ୍ଦ୍ରଶେଖର ରାଉତ ପ୍ରମୁଖ ନିଜସ୍ୱ ଉଦ୍ୟମରେ ଚିକିତ୍ସା ଜାରି ରଖିଥିଲେ ମଧ୍ୟ ଉପଯୁକ୍ତ ପ୍ରାଣୀ ଚିକତ୍ସା ଅଭାବରୁ ବୃଷଭର କ୍ଷତସ୍ଥାନ ପାଚି ପୋକ ସୃଷ୍ଟି ହୋଇଥିବା ଦେଖାଯାଇଛି । ଏବେ ଶ୍ରାବଣ ମାସରେ ମହାଦେବଙ୍କ ଉପରେ ଭକ୍ତମାନେ ଜଳାଭିଷେକ କରୁଛନ୍ତି । ମାତ୍ର ମହାଦେବଙ୍କ ବାହନ ଜୀବନ୍ତ ବୃଷଭର ଚିକିତ୍ସା ପ୍ରତି ପ୍ରାଣୀ ଚିକିତ୍ସାଳୟର ଦୃଷ୍ଟି କାହିଁକି ପଡୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଆହତ ବୃଷଭର ଚିକିତ୍ସା ଦାଇତ୍ୱ ତୁଲାଇବାକୁ ସାଧାରଣରେ ଦାବି ହୋଇଛି ।