ଭଦ୍ରକ, .୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରେ ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଓ ଭଦ୍ରକ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ଜିଲ୍ଳାର ଶତପ୍ରତିଶତ ଜଳସେଚିତ ଅଞ୍ଚଳ ଭାବେ ପରିଚିତ ବନ୍ତ ବ୍ଳକରେ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ନହେବା କାରଣରୁ ଏବେ ଚାଷୀ ମୁଣ୍ଡରେ ହାତଦେଇ ବସିଛି । କୃଷି ବିଭାଗ ଆକଳନ ଅନୁଯାୟୀ ଏହି ବ୍ଲକରେ ୧୮ହଜାର ୯୦୦ହେକ୍ଟର ଜଳସେଚିତ ଜମି ରହିଛି । ସେଥିମଧ୍ୟରୁ ୧୭,୧୩୫ ହେକ୍ଟର ଜମିରେ ଧାନଚାଷ ହେଉଥିବା ବେଳେ ୧୭୬୫ ହେକ୍ଟର ଜମିରେ ଅଣଧାନ ଚାଷ ହେଉଛି । ଏହି ବ୍ଲକରେ ୨୫ ହଜାରରୁ ଉର୍ଦ୍ଧ୍ୱ ପରିବାର କୃଷି ଉପରେ ନିର୍ଭର କରିଥାନ୍ତି । ଏଠାରେ ୧୬୬୧ ହେକ୍ଟର ଢିପଜମି ଚିହ୍ନଟ କରାଯାଇଥିବା ବେଳେ ଉଠା ଜଳସେଚନ ବିଭାଗ ପକ୍ଷରୁ ୧୪୪୬ ହେକ୍ଟର ଜମିରେ ୭୧ଟି ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି । ବାସ୍ତବରେ ବନ୍ତ ବ୍ଲକରେ ୭୧ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୧ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୧୪ଟି ଆଂଶିକ ଭାବେ କାର୍ଯ୍ୟକ୍ଷମ ହେଉଛି । ଅବଶିଷ୍ଟ ୩୬ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇ ପଡ଼ିରହିଛି । ସେହିପରି ଭଣ୍ଡାରିପୋଖରୀ ବ୍ଲକରେ ୪୧୮୮ ହେକ୍ଟର ଜମି ପାଇଁ ୨୨୧ଟି ଉଠା ଜଳସେଚନ ପ୍ରକଳ୍ପ ଥିବା ବେଳେ ୧୨୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ଅଚଳ ହୋଇ ପଡିରହିଛି ।
ଉଠାଜଳସେଚନ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀମାନେ ବିଭାଗୀୟ ଅବହେଳା ପାଇଁ ମରୁଡି ଆଶଙ୍କାରେ ଭାଙ୍ଗି ପଡ଼ିଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଯଥେଷ୍ଟ କମ୍ ବୃଷ୍ଟିପାତ କାରଣରୁ ଏହି ଦୁଇ ବ୍ଲକର ଚାଷୀମାନଙ୍କ ମଧ୍ୟରେ ହତାଶା ଭାବ ଦେଖା ଦେଇଛି । ବନ୍ତ ବ୍ଲକ ଅଧିନରେ ଥିବା ପଞ୍ଚାୟତ ମଧ୍ୟରୁ ରାମକୃଷ୍ଣପୁର, ରାମପୁର, ତୋଡଙ୍ଗା, କେନ୍ଦୁଆପଦା, ଷେଣ୍ଢତୀରା, ଗଣିଜାଙ୍ଗ, ଗୋବିନ୍ଦପୁର, ଛୟାଳସିଂ, ଓଡ଼ଙ୍ଗ, ପୁରୁଷଣ୍ଢ, ଅଣିଜୋ, ଚାରିଗାଁ, ବନ୍ତ, ଟିଲୋ, କାଦବରାଙ୍ଗ ଆଦି ପଞ୍ଚାୟତରେ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା, ନାଆମୀ, ଦକ୍ଷିଣବାଡ, ପାଟୁଳି, ରାଜେନ୍ଦ୍ରପୁର, ରାମଚନ୍ଦ୍ରପୁର, ବାଲିପୋଖରୀ, ରହଣିଆ, କୁରିଗାଁ ଆଦି ପଞ୍ଚାୟତରେ ଉଠାଜଳସେଚନ ପ୍ରକଳ୍ପ ଗୁଡିକ ଅକାମୀ ହୋଇ ପଡ଼ି ରହିଛି । ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅଚଳ ହୋଇ ପଡିରହିଥିବା ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ କାର୍ଯ୍ୟକ୍ଷମ କରାନଗଲେ ଭାରତୀୟ ଜନତା ପାର୍ଟି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଦାବିପତ୍ର ପ୍ରଦାନରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଶଙ୍କର୍ଷଣ ଜେନା, ବନମାଳୀ ଜେନା, ଖଗେଶ୍ୱର ବେହେରା, ନବକିଶୋର ବଳ, ମନୋଜ କୁମାର ବିଶ୍ୱାଳ, ବସନ୍ତ ବାରିକ, ରତ୍ନାକର ବିଶ୍ୱାଳ, ମହେଶ୍ୱର ସେଠୀ, ନରନାରାୟଣ ପରିଡା, ପ୍ରକାଶ ମହାପାତ୍ର, ଗିରିଶ ସାମଲ, ମୁକୁନ୍ଦ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।