Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡିକୁ ଖାଦ୍ୟ ଯୋଗାଣରେ ଦୁର୍ନୀତି : ବାର୍ଷିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ, ଦୁର୍ନୀତିଗ୍ରସ୍ତ ଏସ୍‌ଏସ୍‌ଜିଙ୍କୁ...

ଅଙ୍ଗନୱାଡିକୁ ଖାଦ୍ୟ ଯୋଗାଣରେ ଦୁର୍ନୀତି : ବାର୍ଷିକ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ, ଦୁର୍ନୀତିଗ୍ରସ୍ତ ଏସ୍‌ଏସ୍‌ଜିଙ୍କୁ ବହିଷ୍କାର ଦାବୀ

110

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ଖାଦ୍ୟ ଯୋଗାଣ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଆଜି ବିଜେପି ଅଭିଯୋଗ କରିଛି । ଯୋଗାଣ ହେଉଥିବା ଖାଦ୍ୟର ପରିମାଣ କମ୍ ସହିତ ନିମ୍ନମାନର ଖାଦ୍ୟ ଦେଇ ବର୍ଷକୁ କୋଟିକୋଟି ଟଙ୍କା ହଡ଼ପ ହେଉଛି । ଆଜି ବିଜେପିର ପୂର୍ବତନ ମନ୍ତ୍ରୀ ତଥା ଚାନ୍ଦବାଲି ବିଧାନସଭା ନେତା ମନମୋହନ ସାମଲ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକରେ ଅଙ୍ଗନୱାଡିକୁ ଯୋଗାଣ ହେଉଥିବା ଖାଦ୍ୟ ଦୁର୍ନୀତିର ଉଦାହରଣ ଦେଇ ଏହାର ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପୁଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା, ବାଦାମ ଲଡୁ, ମୁହାଁ, ଚାଉଳ, ପରିବା, ଡାଲି ଇତ୍ୟାଦି ଦେବା ନିମନ୍ତେ ଅର୍ଥ ପ୍ରଦାନ କରାଯାଉଛି । ଚାନ୍ଦବାଲି ବ୍ଳକରେ ଏହାର ବ୍ୟାପକ ବାଟମାରଣା ହେବା ସହ ନିମ୍ନମାନର ଅପମିଶ୍ରିତ ଓ ନିର୍ଦ୍ଧାରିତ ଓଜନଠାରୁ କମ୍ ଓଜନର ଖାଦ୍ୟ ଆଜିକୁ ଦୀର୍ଘ ଦିନ ଧରି ଦେଇଚାଲିଛନ୍ତି । ଏପରି ଚାନ୍ଦବାଲି ବିଧାୟକ ରହୁଥିବା ଭଡାଘର ନିକଟରେ ଛତୁଆ ପ୍ୟାକିଂ ଚଳାଉଥିବା ଏକ ସ୍ୱୟଂ ସହାୟିକା ଗୋଷ୍ଠୀ ଖୋଲାଖୋଲି ଓଜନରେ କମ୍ କରି ପ୍ୟାକିଂ କରୁଥିବାକୁ ବିଧାୟକ ଆଖି ବୁଝି ଦେଇଛନ୍ତି ନା ମାସିକିଆ ବଟି ନେଇ ଚୂପ୍ ରହୁଛନ୍ତି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି । ସେ ଆହୁୁରି କହିଥିଲେ କି ସରକାରଙ୍କ ନିୟମ ଅନୁଯାୟୀ ଗର୍ଭବତୀ ଓ ପ୍ରସୂତିଙ୍କ ନିମନ୍ତେ ୪କିଲୋ ୪୦୦ଗ୍ରାମ ଛତୁଆ ଦେବାର ନିମୟମ ଥିବା ବେଳେ ଚାନ୍ଦବାଲି ବ୍ଳକରେ ୩କିଲୋ ୫ଶହ ଗ୍ରାମ ଛତୁଆ ଦିଆ ଯାଉଛି । ଛଅ ମାସରୁ ୩ ବର୍ଷ ଶିଶୁଙ୍କ ନିମନ୍ତେ ୨କିଲୋ ୨ଶହ ଗ୍ରାମ ଛତୁଆ ଓ ୧ କିଲୋ ୩୫୦ଗ୍ରାମ ସୁଜି ଦେବାର ନିୟମ ଥିଲା ବେଳେ ୧କିଲୋ ୯ଶହଗ୍ରାମ ଛତୁଆ ଓ ୧କିଲୋ ସୁଜି ଦିଆ ଯାଉଛି ।

ଚାନ୍ଦବାଲି ବ୍ଲକର ୨ଟି ଜୋନ ମଧ୍ୟରୁ ଜୋନ ୧ରେ ୨୨୦ ଓ ଜୋନ ୨ରେ ୨୦୮ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଏହି କେନ୍ଦ୍ରକୁ ତେନ୍ତୁଲିଡିହର ମା ବାସୁଳୀ ଏସ୍‌ଏସ୍‌ଜି, ଚାନ୍ଦବାଲିର ମଧୁବାବୁ ଏସ୍‌ଏସ୍‌ଜି ଏବଂ ତ୍ରିନାଥ ଏସ୍‌ଏସ୍‌ଜି ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଣ କରୁଛି । ଏହି ବ୍ଳକରେ ଗର୍ଭବତୀ ୨ହଜାରରୁ ଉର୍ଦ୍ଧ୍ୱ, ପ୍ରସୂତି ମହିଳା ୨ହଜାରରୁ ଉର୍ଦ୍ଧ୍ୱ, ୬ମାସରୁ ୩ବର୍ଷର ପିଲା ୧୦ ହଜାରରୁ ଉର୍ଦ୍ଧ୍ୱ, ୩ ବର୍ଷରୁ ୬ ବର୍ଷ ମଧ୍ୟରେ ୫ ହଜାରରୁ ଉର୍ଦ୍ଧ୍ୱ ପିଲା ରହିଛନ୍ତି । ଏମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣରେ ସଂପୃକ୍ତ ଏସ୍‌ଏସ୍‌ଜିମାନେ ବ୍ୟାପକ ହରିଲୁଟ କରୁଛନ୍ତି । ତେଣୁ ତୁରନ୍ତ ଉକ୍ତସଂସ୍ଥାମାନଙ୍କ ଠାରୁ ଖାଦ୍ୟ ଯୋଗାଣ କ୍ଷମତା ପ୍ରତ୍ୟାହାର କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି । ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ସଂସଦୀୟ କ୍ଷେତ୍ର ନେତା ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଭଦ୍ରକ ନେତା ଡାକ୍ତର ପ୍ରଦୀପ ନାୟକ, କମଳାକାନ୍ତ ସୂତାର, ଶଶିକାନ୍ତ ବିଶ୍ୱାଳ, କାହ୍ନୁଚରଣ ବେହେରା, ମିତ୍ରଭାନୁ ଦାସ, ମାଳତୀଲତା ସାହୁ, କିଶୋର ନାୟକ, ସମରେନ୍ଦ୍ର ମହାନ୍ତି, ଶରତ ପଢିଆରୀ, ଦୁର୍ଗା ପ୍ରସନ୍ନ ଦାସ, ବିକାଶ ଶ୍ରେଷ୍ଠା, ଅଶୋକ ରାଉଳ, ସ୍ୱଦେଶ ପଣ୍ଡା, ସୁଶାନ୍ତ ମହାନ୍ତି, ତପନ ମହାନ୍ତି, ଭାଗିରଥୀ ମହାକୁଡ, ଅନିଲ ବେହେରା, ଭଗବାନ ପଣ୍ଡା, ଶଶାଙ୍କ ଦାସ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.