ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ଜିଲା ସିପିଆଇ(ଏମ୍) ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ସିପିଆଇ(ଏମ୍) ପକ୍ଷରୁ ୫ ଦଫା ସମ୍ବଳିତ ଦାବିପତ୍ର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ପ୍ରଦାନ କରାଯାଇଛି । ଦଳ ଅଭିଯୋଗ କରିଛି ଯେ ଗ୍ରୀଷ୍ମଋତୁ ପରଠାରୁ ଆଜିଯାଏଁ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଥିବାବେଳେ ଟାଟା ବିଦ୍ୟୁତ୍ ବିତରଣ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାତିରେ ବିଦ୍ୟୁତ୍ ଶୁଳ୍କ ଅଧିକ କରିବା ଓ ଦିନରେ ବିଦ୍ୟୁତ୍ ଶୁଳ୍କ କମ୍ କରିବା ଉପଭୋକ୍ତାମାନଙ୍କୁ ବିଚଳିତ କରିଦେଇଛି । ବିଦ୍ୟୁତ୍ ଗ୍ରାହକଙ୍କୁ କଂପାନୀର ଶୋଷଣ ମନୋବୃତ୍ତିକୁ ବନ୍ଦ କରାଯିବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଟାଟା ‘ପ୍ରିପେଡ୍’ ମିଟର ବସାଇ ଗ୍ରାହକଙ୍କୁ ଶୋଷଣ କରିବା ଓ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ବିଦ୍ୟୁତ୍ ଦେୟକୁ ୫୦ ପ୍ରତିଶତ ସବସିଡି ପ୍ରଦାନ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ଏହାବ୍ୟତୀତ ୨ ଶହ ୟୁନିଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ଅନ୍ୟ ରାଜ୍ୟ ଭଳି ବିଦ୍ୟୁତ୍ ଶୁଳ୍କ ରିହାତି କରିବା ପାଇଁ ଦାବି କରାଯାଇଛି । ସିପିଆଇ(ଏମ୍) ଭଦ୍ରକ ଜିଲା କମିଟିର ସଂପାଦକ ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ପାଢୀ, ଚନ୍ଦ୍ରଶେଖର ନାୟକ, ରାଧା ଦାସ, ଗିରିଧାରୀ ନାଥ, ସେକ୍ କାଳୁ, ମିନାଜ ଖାଁ ପ୍ରମୁଖ ବିକ୍ଷୋଭର ସାମିଲ ଥିଲେ ।