ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଗ୍ରାଷ୍ମଋତୁ ଆଗମନର ଅବ୍ୟବ୍ୟହିତ ପୂର୍ବରୁ ଆଜି ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅଂଶୁଘାତ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଡ଼ି.ଆର.ଡ଼ି.ଏ.ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସନ୍ତୋଷ କୁମାର ପାତ୍ର ଏହି ବୈଠକରେ ଯୋଗ ଦେଇଥିଲା ବେଳେ ଜିଲ୍ଲାର ସମସ୍ତ ବି.ଡ଼ି.ଓ., ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଂଶୁଘାତର ଶିକାର ନହେବା ପାଇଁ ସତର୍କତା, ପ୍ରତିକାର ଆଦି ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ସଚେତନ କରାଯିବା ଦିଗରେ ଜିଲ୍ଲାପାଳ ପ୍ରାଧାନ୍ୟ ଦେଇଥିଲେ। ଏଥିପାଇଁ ବ୍ଲକ, ଗ୍ରାମ ପଞ୍ଚାୟତ ସ୍ତରରେ ଜନପ୍ରତିନିଧି, ସଂପୃକ୍ତ କ୍ଷେତ୍ର କର୍ମଚାରୀମାନଙ୍କୁ ନେଇ ସଚେତନତା ମୂଳକ ବୈଠକ ଆୟୋଜନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପାଇପ୍ ଓ ନଳକୂପ ଜରିଆରେ ସମସ୍ତ ପାନୀୟଜଳ ଯୋଗାଣ ବ୍ୟବସ୍ଥା ଯେପରି କାର୍ଯ୍ୟକ୍ଷମ ଥାଏ ସେ ନେଇ ନିଶ୍ଚିତ କରାଇବା ସହ ଜଳ କ୍ଲୀଷ୍ଟତା ଅଞ୍ଚଳକୁ ଚିହ୍ନଟ କରାଯାଇ ଟ୍ୟାଙ୍କର ଯୋଗେ ଜଳଯୋଗାଇ ଦେବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ କୌଣସି ସ୍କୁଲ କି ଅଙ୍ଗନବାଡି଼ରେ ପାନୀୟ ଜଳ ବ୍ୟବସ୍ଥା ନଥିଲେ ଯଥାଶିଘ୍ର ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ହାଟ, ଜନଗହଳି ଆଦି ଜାଗାମାନଙ୍କରେ ଲୋକ ଉପକୃତ ହେଲାଭଳି ବ୍ଲକ୍ ପୌର ପ୍ରଶାସନ ଦ୍ୱାରା ଛାୟାପ୍ରଦ ବ୍ୟବସ୍ଥାରେ ପରିଷ୍କାର ପରିଚ୍ଛନ୍ନ ସହ ସ୍ୱାସ୍ଥ୍ୟକର ଜଳଛତ୍ର ବ୍ୟବସ୍ଥା କରାଇବାକୁ ପରାମର୍ଶ ଦିଆଯାଇଥିଲା। ସଡ଼କ ପରିବହନ ବ୍ୟବସ୍ଥାରେ ବସ୍ ମାନଙ୍କରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଓ.ଆର୍, ଏସ୍. ପ୍ୟାକେଟ୍ ଆଦି ମହଜୁଦ୍ ରଖାଯିବା, ଖୋଲାଗାଡ଼ିରେ ଶ୍ରମିକ ମାନଙ୍କୁ ପରିବହନ ନକରିବା, ଓଭର ଲୋଡ଼ିଂ ନକରାଯିବା ଆଦି ଦିଗରେ ତଦାରଖ ପାଇଁ ଆର.ଟି.ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଂଶୁଘାତ ଜନିତ ମୃତ୍ୟୁ ଘଟଣା ଘଟିଲେ ସ୍ଥାନୀୟ ତହସିଲଦାର ସଂପୃକ୍ତ ଡ଼ାକ୍ତରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଅବଗତ କରାଯିବା ନେଇ ଉଦ୍ଦିଷ୍ଟ ନିୟମ ସମ୍ବନ୍ଧରେ ବୈଠକରେ ସୂଚନା ଦିଆଯାଇଥିଲା। ଗ୍ରୀଷ୍ମଋତୁ ପାଇଁ ନିୟମାନୁଯାୟୀ ଶିକ୍ଷାନୁଷ୍ଠାନ ମାନଙ୍କର ଖୋଲିବା ସମୟ ନିର୍ଦ୍ଧାରଣ କରିବା, ପ୍ରଚଣ୍ଡ ଖରାରେ ଦିନ ୧୧ଟାରୁ ୩ଟା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନଲଗାଇବା, ସେମାନଙ୍କ କାର୍ଯ୍ୟସ୍ଥଳୀରେ ପାନୀୟଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ମହଜୁଦ୍ ରଖାଯିବା, ସିନେମା ହଲ୍ରେ ନୁନ୍ ସୋ ଆୟୋଜନ ନକରିବା, ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ, ଶଯ୍ୟା, ଡ଼ାକ୍ତର, ନର୍ସ, ନିରବଚ୍ଛିନ୍ନ ବିଦ୍ୟୁତ୍ ପ୍ରବାହ, ଏ.ସି., ଫ୍ୟାନ୍, କୁଲର ଆଦି ବ୍ୟବସ୍ଥା ପ୍ରସ୍ତୁତି ରଖାଯିବା, ଗୃହପାଳିତ ପଶୁମାନଙ୍କୁ ଖରାବେଳେ ବାହାରକୁ ନଛାଡ଼ିବା, ସେମାନଙ୍କ ଲାଗି ଆବଶ୍ୟକ ଜାଗାରେ ପାଣିକୁଣ୍ଡ ନିର୍ମାଣ କରାଇବା ଆଦି ଅଂଶୁଘାତ ମୁକାବିଲା ନେଇ ପ୍ରତିକାର ମୂଳକ ସମସ୍ତ ବ୍ୟବସ୍ଥା ସମ୍ବନ୍ଧରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା, ସମୀକ୍ଷା କରାଯାଇ ଆବଶ୍ୟକ ମତେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।