କଳାହାଣ୍ଡି- ୦୬.୦୩.୨୦୧୯ (ଓଡିଆ ପୁଅ) ସମଗ୍ର ଦେଶରେ ପ୍ରବଳ ମୋଦି ହାୱା ସତ୍ୱେ କଳାହାଣ୍ଡିରେ ବିଜେପି ବେକଫୁଟରେ ଥିବା ଚର୍ଚ୍ଚା ହେଉଛି। ଗତ ପଂଚାୟତ ନିର୍ବାଚନରେ ବିପୁଳ ସଫଳତା ପାଇଥିବା ବିଜେପି ଏହି ଦେଢ ବର୍ଷ ମଧ୍ୟରେ ପଛକୁ ଯାଉଥିବା ଘଟଣାକୁ ବିଜେପି କର୍ମକର୍ତା ମାନେ ସହଜରେ ବିଶ୍ୱାସ କରିପାରୁନଥିବା ବେଳେ ବାସ୍ତବ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅନ୍ୟ ଦଳ ଅପେକ୍ଷା ବିଜେପି ପଛରେ ପଡିଯାଇଥିବା ଜଳ ଜଳ ହୋଇ ଦିଶୁଛି। କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଜୋନରେ ୩୬ ଟି ସମେତ ଜୁନାଗଡ, ଭବାନୀପାଟଣା, କେସିଙ୍ଗା, ଧର୍ମଗଡ ନଗର କମିଟୀ ଭଲି ସର୍ବମୋଟ ୪୦ ଟି ବିଜେପି ସାଂଗଠନିକ କମିଟୀ ସମେତ ପ୍ରତ୍ୟେକ ଜୋନ ଅଂଚଳରେ ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଇତ୍ୟାଦି ବିଭିନ୍ନ କମିଟୀ ମାନ ରହିଛି। ସେହିଭଲି ପ୍ରତ୍ୟେକ ବୁଥ ସ୍ତରରେ, ପଂଚାୟତ ସ୍ତରରେ ମଧ୍ୟ ବିଜେପିର ସାଂଗଠନିକ କମିଟୀ ମାନ ରହିଥିବା ବିଜେପି ପକ୍ଷରୁ କୁହାଯାଉଛି। ହେଲେ ସେସବୁ କମିଟୀ ଗୁଡିକ ସ୍ଥାନୀୟ ନେତୃତ୍ୱ ଉପରେ ନିର୍ଭର କରି ପାରିଚାଲିତ ହେଉଥିବା ବେଳେ ଜିଲ୍ଲା ସ୍ତରରେ କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ତୃଣମୂଳ ସ୍ତରର ନେତୃତ୍ୱକୁ କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଆସୁଛି। ଜୋନ ସ୍ତରୀୟ କର୍ମକର୍ତାମାନେ ଯେତେ ଆପତି ଅଭିଯୋଗ କଲେ ମଧ୍ୟ ସେମାନଙ୍କ ଉପସ୍ଥାପନାକୁ ଜିଲ୍ଲା ସ୍ତରରେ ଗୁରୁତ୍ୱ ଦେବାକୁ କେହିନଥିବା ଚର୍ଚ୍ଚା ହେଉଛି। ଯାହାଫଳରେ ତୃଣମୂଳ ସ୍ତରର କର୍ମକର୍ତାମାନେ ହତୋତ୍ସାହ ହେବା ସ୍ୱାଭାବିକ ବୋଲି ଅନେକେ ଅଭିଯୋଗ କରୁଥିବା ଜଣାପଡିଛି। ଅନ୍ୟପକ୍ଷରେ ବିଧାୟକ ସାଂସଦ ଟିକଟ ପାଇବା ଆଶାୟୀ ମାନେ ବିଭିନ୍ନ ପଦପଦବୀ ରେ ରହି କେବଳ କ୍ରେଡିଟ ନେବାପାଇଁ ଲୋକଦେଖାଣିଆ କାର୍ଯ୍ୟକ୍ରମ ରେ ସାମିଲ ହେଉଥିବା ବେଳେ ବାସ୍ତବ ସାଂଗନିକ ବ୍ୟବସ୍ଥା ପ୍ରତି ସେତେଟା ଗୁରୁତ୍ୱ ଦିଆଯାଇପାରୁନଥିବା ଅଭିଯୋଗ ହେଉଛି। ଏପରିକି ଯେଉଁମାନେ ଉତ୍ସର୍ଗୀୂକୃତ ଭାବେ ବିଜେପିର ସଂଗଠନ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଦଳୀୟ ମର୍ଯ୍ୟାଦା ଦିଆନଯାଇ ବେକଡୋରରେ ପ୍ରବେଶ କରୁଥିବା ଏବଂ ରାଜ୍ୟସ୍ତରୀୟ ତଥା କେନ୍ଦ୍ର ସ୍ତରୀୟ ନେତାଙ୍କୁ ଖୋସାମତି କରି ଦଳରେ ଯୋଗ ଦେଉଥିବା ନୂଆକର୍ମୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଏପରିକି ବିଧାୟକ ଟିକେଟ ଦେଇଦେଉଥିବା ଘଟଣାରେ ପୁରୁଣା ଓ ଉତ୍ସର୍ଗୀକୃତ କର୍ମକର୍ତାମାନେ ହତୋତ୍ସାହ ହେବା ସ୍ୱାଭାବିକ ବୋଲି ଏକ ଅନ୍ତରୀଣ ଅପ୍ରକାଶିତ ମତ ଥିବା ଜଣାପଡିଛି। ଦଳୀୟ ଶୃଙ୍ଖଳା ଭଙ୍ଗ ହେବା ଭୟରେ କୌଣସି କର୍ମୀ କିମ୍ବା କାର୍ଯ୍ୟକର୍ତା ଉପରୋକ୍ତ ସତ୍ୟତା ଖୋଲାଖୋଲି ଭାବେ ପ୍ରକାଶ କରିପାରୁନାହାନ୍ତି। ଯାହାକି ଆଗାମୀଦିନରେ ଦଳପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ବିଜେପିରେ ଜିଲ୍ଲାସ୍ତରରେ ଅନେକ ଦକ୍ଷ ଓ ସୁସଂଗଠିତ କାର୍ଯ୍ୟକର୍ତା ଓ ସ୍ୱୟଂସେବକ ରହିଥିବା ବେଳେ ସେମାନଙ୍କୁ ସେଭଲି ସୁଯୋଗ ମଧ୍ୟ ମିଳିପାରୁନଥିବା ଅଭିଯୋଗ ହେଉଛି। ଯାହାର ପ୍ରଭାବ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ସିଧାସଳଖ ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଶାସକ ବିଜେଡିର ଲୋକାଭିମୂଖି କାର୍ଯ୍ୟକ୍ରମ ତଥା ଲୋକମାନଙ୍କ ପାଖକୁ ସିଧାସଳଖ ପହଂଚିବାର ଯୋଜନା ଏବଂ ଅନ୍ୟପଟେ କଂଗ୍ରେସ ପକ୍ଷରୁ ଚାଷୀମାନଙ୍କୁ ଅଧିକ ମୂଲ୍ୟ ଦେବାର ନିର୍ଭର ପ୍ରତିଶୃତି ସମେତ ପଡୋଶୀ ଛତିଶଗଡିଆ ହାୱା ନେଇ କଳାହାଣ୍ଡିରେ ବିଜେପି ପଛକୁ ରହିଯାଉଥିବା ସାଧାରଣରେ ମତପ୍ରକାଶ ପାଇବାରେ ଲାଗିଛି।
ଗତ ୨୦୧୪ ସାଧାରଣ ନିର୍ବାଚନରେ ଯୋଉଁମାନେ ପ୍ରାର୍ଥୀ ହୋଇଥିଲେ ସେମାନେ ଆଗାମୀ ଦିନରେ ପ୍ରାର୍ଥୀ ହେବେକି ନାହିଁ ତାହା ସନ୍ଦେହ ଥିବାରୁ ସଂଗଠନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁନାହିଁ ଏପରିକି ଶେଷ ମୁହୁର୍ତରେ ନୂଆକରି ରାଜନୀତିକୁ ପ୍ରବେଶ କରିଥିବା ଓ କେନ୍ଦ୍ରିୟ ରୟାଲ ପଲିଟିକ୍ସରେ ଜୁନାଗଡ ବିଧାୟକ ଟିକେଟ ପାଇଥିବା ପ୍ରାର୍ଥô ଏବେ ଦଳ ଛାଡିଲେଣି। ଜିଲ୍ଲା ସଭାପତି ପ୍ରଦୀପ ନାଏକ କେବଳ ନିଜ ପଦବୀ ବଂଚାଇବା ଲାଗି ଧ୍ୟାନ ଦେବା ସହିତ କିପରି ଭାବେ ପୁନଃ ସଂସଦୀୟ ଟିକେଟ ପାଇବେ ସେଥିଲାଗି ସମସ୍ତଙ୍କ ସହ ସମନ୍ୱୟ ରକ୍ଷାକରୁଥିବା ବେଳେ ଦଳୀୟ ତୃଣମୂଳ ସ୍ତରୀୟ ସଂଗଠନିକ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ଏପରିକି ୫ଟି ଯାକ ବିଧାନସଭା କ୍ଷେତ୍ର ପାଇଁ ବିଭିନ୍ନ ଆଶାୟୀଙ୍କ ସହ ଭିତିରିଆ ଚୁକ୍ତି କରି ସେମାନଙ୍କୁ ନେଇ ସଂଗଠନ ଚଳାଇଆସୁଥିବାର ଚର୍ଚ୍ଚା ହେଉଛି। ଏପରିକି ଧର୍ମଗଡ ପାଇଁ ବଦ୍ରୀ ପଟ୍ଟନାୟକ (ଭବାନୀପାଟଣା), ଜୁନାଗଡ ପାଇଁ ଅଜୟ ପାଣିଗ୍ରାହୀ(ମଥୁରା), ରୁପେଶ ଜୈନ(ଜୟପାଟଣା), ଭବାନୀପାଟଣା ପାଇଁ ଲୋକନାଥ ଦୁର୍ଗା (ଭବାନୀପାଟଣା), ଭବସିନ୍ଧୁ ମଙ୍ଗରାଜ ( ଜୁନାଗଡ), ନର୍ଲା ପାଇଁ ଆର୍ତ ମହାପାତ୍ର (ଭବାନୀପାଟଣା), ବସନ୍ତ ପୁରୋହିତ (କେସିଙ୍ଗା), ଚିନ୍ମୟ ବେହେରା (ଭବାନୀପାଟଣା), ଲାଂଜିଗଡ ପାଇଁ ରମେଶ ମାଝୀ ପ୍ରମୂଖଙ୍କ ସହିତ ପ୍ରଦୀପ ନାଏକ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଲଢିବା ପାଇଁ ଯୋଜନା କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ୟୁପି ମୁଖ୍ୟମନ୍ତ୍ରୀଙ୍କ ସଭାମଂଚରେ ମହାରାଣୀଙ୍କ ଆସୀନ ହେବାପରେ ବିଜେପି ସଭାରେ ଖୋଦ ରାଜପରିବାର ସଭ୍ୟଙ୍କ ଉପସ୍ଥିତିରେ ବିଷୋଦଗାର କରାଯିବା ପରେ ଏସବୁ ଘଟଣା ଲୋକ ଲୋଚନକୁ ଆସି ସାଧାରଣରେ ଚର୍ଚ୍ଚା ହେଉଛି। ଏପରିକି ଗତ ପଂଚାୟତ ନିର୍ବାଚନରେ ଛତିଶଗଡିଆ ନେତାଙ୍କ ଗୋଟୀଚାଳନାରେ ହିଁ କଳାହାଣ୍ଡିରେ ବିଜେପି ସଫଳ ହୋଇଥିବା ବେଳେ ଏହାକୁ ସହ୍ୟ କରିନପାରି ନିଜ ସ୍ୱାଭିମାନ ବଂଚାଇବା ପାଇଁ ଶେଷ ମୂହୁର୍ତରେ ଧରାଇ ଦେଇଥିବାର ମଧ୍ୟ ସେତେବେଳେ ଚର୍ଚ୍ଚା ହୋଇଥିଲା। ଏହା ଯଦି ସତ୍ୟ ହୋଇଥାଏ ତେବେ ରାଜ୍ୟ ନେତୃତ୍ୱ ମଧ୍ୟ ଏହି ଷଡଯନ୍ତ ପଛରେ ଥାଇପାରନ୍ତି ବୋଲି ଆଲୋଚନା ହେଉଛି। ସେହିଭଲି କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନୂଆପଡା ବିଧାୟକ ବସନ୍ତ ପଣ୍ଡା କେନ୍ଦ୍ର ମନ୍ତ୍ରୀଙ୍କ ଖାସ ଅନୁଗତ ଭାବେ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ନେବାପରେ ଦଳିୟ କାର୍ଯ୍ୟକ୍ରମ ନଥାଇ ମଧ୍ୟ ନିଜର ଓ ପାରିବାରିକ ସଂପର୍କ ଆଧାରରେ ଦଳୀୟ କର୍ମକର୍ତାଙ୍କ ଅଗୋଚରରେ ଘନ ଘନ କଳାହାଣ୍ଡି ଗସ୍ତ କରୁଥିବା ଘଟଣାରୁ କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ପକାଇ ଗୋଟି ଚାଲନା କରିଆସୁଥିବାର କ୍ରମଶଃ ପର୍ଦ୍ଦାଫାଶ ହେଉଛି। ନୂଆପଡା ଜିଲ୍ଲାରେ ଗତ ପଂଚାୟତ ନିର୍ବାଚନରେ ସଂପୂର୍ଣ୍ଣ ବିଫଳତା ପାଇବାପରେ ଏବଂ ବିଧାନସଭା କ୍ଷେତ୍ରରେ ନିଜର ପତିଆରା ହ୍ରାସ ହେବାପରେ ହାରିଲେ ମଧ୍ୟ ଲୋକସଭା ନିର୍ବାଚନରେ ହାରିଥିବା କହି ନିଜର ରାଜନୈତିକ ସ୍ଥିତି ରଖିବା ପାଇଁ ଏଭଲି ଭାବେ କଳାହାଣ୍ଡି ଲୋକସଭା ଆସନ ଉପରେ ନଜର ପକାଇଥିବା ରାଜନୈତିକ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଶ୍ରୀପଣ୍ଡା ରାଜ୍ୟ ସଭାପଡି ହୋଇଥିଲେହେଁ କେବଳ ପଶ୍ଚିମ ଓଡିଶା ଭିତରେହିଁ ସୀମିତ ରହିଯାଇଥିବା ବେଳେ ଉପକୂଳ ଅଂଚଳରେ କୌଣସି ସଭା କରିପାରୁନଥିବା କୁହାଯାଉଛି। ଯାହାଫଳରେ ଦଳୀୟ କାର୍ଯ୍ୟକର୍ତା ମାନଙ୍କୁ ଏକଯୁଟ କରି ଧରିରଖିବାରେ ବିଫଲ ହେଉଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡିରେ ଚାଷୀମାନେ ରାଜ୍ୟ ସଭାପତି ଭାବରେ ଯେତେ ଯାହା ଆପତି ଅଭିଯୋଗ କଲେ ମଧ୍ୟ ସେମାନଙ୍କ ଦାବି ପ୍ରତି କୌଣସି ଗୁରୁତ୍ୱ ଦେଉନଥିବା ଏବଂ ସେମାନଙ୍କୁ ତମେମାନେ ବିଜେଡିରୁ ଆସିଛ ଯାଅ ବୋଲି ଘଉଡାଇ ଦେଇଥିବାର ଅନେକ ଉଦାହରଣ ରହିଥିବା ବେଳେ ଧର୍ମଗଡ ଅଂଚଲକୁ ଭିତିରିଆ ଗସ୍ତ କରି ବିଭିନ୍ନ ମିଲ ମାଲିକ, ପୁଂଜିପତି ମାନଙ୍କର ଆତିଥ୍ୟ କରୁଥିବା ଆଲୋଚନା ହେଉଛି। ତାଙ୍କ ପୂର୍ବରୁ ଦଳରେ ଯୋଗଦେଇଥିବା କର୍ମକର୍ତା ତଥା ଚାଷୀ ମାନଙ୍କୁ ମଧ୍ୟ ଧୁତକାର କରି ପାଖରୁ ଘଉଡାଇ ଦେଇଥିବାର ଅଭିଯୋଗ ହେଉଛି। ନିଜର କୌଶଳ ପକାଇ ଯେଉଭଲି ଭାବେ ନୂଆପଡା ପାଇଁ ଟିକେଟ ହାତେଇଲେ ସେହି ଢଙ୍ଗରେ କଳାହାଣ୍ଡି ଲୋକସଭା ଟିକେଟ ହାତେଇବା ଚକ୍କର ଚଲାଇଥିଲେହେଁ ୫ଟିର ଭୋଟର କେଉଁଥିପାଇଁ ଦୁଇଟିର ପ୍ରାର୍ଥିକୁ ଭରସା କରିବେ ସେନେଇ ଭୋଟର ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ନିଜ ସଂପର୍କୀୟଙ୍କୁ ଜୁନାଗଡ ବିଡିଓ ଭାବେ ଅବସସ୍ଥାପିତ କରାଇଥିବା ବେଳେ ସଂପୃକ୍ତ ବିଡିଓ ବିଗତ ତିନି ବର୍ଷ ମଧ୍ୟରେ ଉନ୍ନତି ମୂଲକ କାର୍ଯ୍ୟ ପାଇଁ ଆସିଥିବା ଅନ୍ୟୁନ ୨୦ରୁ ୨୫ କୋଟୀ ଟଙ୍କାର ସରକାରୀ ଅନୁଦାନକୁ ବିନିଯୋଗ ନକରି ଫେରାଇ ଦେଇଥିବାର ବିଭାଗୀୟ ସୂତ୍ରରୁ ଜଣାପଡିଛି। କିନ୍ତୁ ନିଜ ସଂପର୍କୀୟଙ୍କ ବ୍ୟବସାୟ ବଢାଇବା ପାଇଁ ଜୁନାଗଡ ଅଂଚଳରେ ଆବଶ୍ୟକୀୟ ଇଟା ମିଳୁଥିବା ବେଳେ ଅନ୍ୟୁନ ଦେଢଶହ କି.ମି. ଦୂରରୁ ଇଟା ଆଣି ଜୁନାଗଡ ବ୍ଲକ ଅଫିସ ପରିସରରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଯୋଗାଣ ବିଭାଗ ତଥା ଅନ୍ୟାନ୍ୟ ବିଭାଗରେ ନିଜର କିଛି ସଂପର୍କୀୟ ଜାଣତରେ ହେଉ କି ଅଜାଣତରେ ହେଉ ତାଙ୍କ ନାମରେ ଅହେତୁକ ଅନୁକମ୍ପା ହାସଲ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିଥାର୍ଥ କରିବାପାଇଁ କିଛି ବି କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏତଦଭିନ୍ନ ନିଜେ ସଂସଦୀୟ ଟିକେଟ ପାଇଲେ ଭବାନୀପାଟଣାରୁ ପ୍ରଦୀପ ନାଏକ, ନର୍ଲା ଓ ଲାଂଜିଗଡରେ ପ୍ରଦୀପ ଙ୍କ ମନୋନୀତ, ଜୁନାଗଡରୁ ମନୋଜ ମେହେର, ଧର୍ମଗଡରୁ ବଦ୍ରୀ ପଟ୍ଟନାଏକ ଲଢିବାକୁ ଏକ ଭିତିରିଆ ଚୁକ୍ତି ହୋଇଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। ହେଲେ ଏସବୁ ପରିପ୍ରେକ୍ଷୀରେ କଳାହାଣ୍ଡିର ଭୋଟର ବିଶେଷ କରି ଚାଷୀ ଭୋଟର ବସନ୍ତ ପଣ୍ଡାଙ୍କ ପ୍ରାର୍ଥୀତ୍ୱ କୁ ସହଜରେ ଗ୍ରହଣ କରିପାରୁନଥିବାର ମଧ୍ୟ ଆଲୋଚନା ହେଉଛି। ସମଗ୍ର ଦେଶରେ ମୋଦୀ ହାୱା ବଢିବାରେ ଲାଗିଥିବା ବେଳେ କଳାହାଣ୍ଡିରେ କେବଳ ନିମ୍ନ ମାନସିକତା ଏବଂ ସଂକୀର୍ଣ୍ଣ ରାଜନୀତି ତଥା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିଜେପି ପଛରେ ରହିଯାଇଥିବା ରାଜନୈତିକ ବିଶେଷଜ୍ଞ ଏବଂ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।








