Odiapua.com

ଖୋଲା ବଜାରରେ ମଦ: ଧନ୍ୟରେ ସରକାର .. ଧନ୍ୟ ତମେ ..

ଗୋଟିଏ ପଟେ କରୋନା ମହାମାରୀ ଚାଲିଛି, ଜୀବନ ଗୁଡ଼ିକ ପୋକମାଛି ଭଳି ଚାଲିଯାଉଛି। ଭୟ ଏକ ଅଦୃଶ୍ୟ ଆତଙ୍କରେ, ଯେ ମୃତ୍ୟୁ ସୁନିଶ୍ଚିତ। ତା’ରି ଭିତରେ ମଣିଷ ନିଜ ଜୀବିକାକୁ ନେଇ ବଂଚିବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ସଂଘର୍ଷ ବି କରିବାକୁ ପଡୁଚି। ଏହା ମଧ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ରାଜସ୍ବ ନିମନ୍ତେ ମୂଖ୍ୟତଃ ଅବକାରୀ ଓ ପେଟ୍ରୋଲିୟମ ଜାତ ସାମଗ୍ରୀ ଉପରେ ନିର୍ଭର କରିବା ସହ ଏହାକୁ ଚାପମୁକ୍ତ କରି ରାଜସ୍ବ ସଂଗ୍ରହର ମୂଖ୍ୟ ମାଧ୍ୟମ କଲେ। ଦିନକୁ ଦିନ ସେ ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର ହୁଅନ୍ତୁ, ଉଭୟ ଅବକାରୀ ସାମଗ୍ରୀ ହେଉ କିମ୍ବା ପେଟ୍ରୋଲିୟମ ଯାତ ଦ୍ରବ୍ୟ ଉପରେ ଟିକସ ଉପରେ ଟିକସ ଲଗାଇ ରାଜସ୍ବ ସଂଗ୍ରହ କରିବାରେ ମାତିଛନ୍ତି। ଏହା ଭିତରେ ଆମ ରାଜ୍ୟରେ ରାଜ୍ୟ ସରକାର ଅବକାରୀ ବିଭାଗର ଅନ୍ତର୍ଭୁକ୍ତ ଥିବା ମଦ ବ୍ୟପାରକୁ ସୁଦୂରପ୍ରସାରୀ କରିବାରେ ବ୍ୟସ୍ତ। ମଦକୁ ଏକ ଘରୋଇ ବ୍ୟବସାୟ ଭାବରେ ରାଜ୍ୟସରକାର ଗ୍ରହଣ କରିନେଇଛନ୍ତି। ସେଥିପାଇଁ ତ’ ଦୀର୍ଘ ଦିନର ପ୍ରଚଳିତ ଲାଇସେନ୍ସରେ ନବୀକରଣ ପ୍ରକ୍ରିୟାକୁ ସରକାର ଏଥର ବାଦ୍ ଦେଇ ନୂତନ ଭାବରେ ଦେଶୀ ଓ ବିଦେଶୀ ମଦ ଦୋକାନ, ଗଞ୍ଜେଇ ପଟ୍ଟା ପାଇଁ ସାନି ଆବେଦନ କରିବା ପାଇଁ ବିଜ୍ଞାପନ ଦେବା ସହ ଲଟେରୀ ମାଧ୍ୟମରେ ବିଭିନ୍ନ ଅଂଚଳରେ ଛତୁ ଫୁଟିଲା ଭଳି ମଦ ଦୋକାନମାନ ରାଜ୍ୟ ସରକାର ଖୋଲିଚାଲିଲେ ଏବଂ ଲାଇସେନ୍ସ ନବୀକରଣ ସ୍ଥାନରେ ଲଟେରୀ ମାଧ୍ୟମରେ କୋଟି କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଚାଲିଲେ ମଦକୁ ଆୟୁଧ କରି। ସେହି ପ୍ରକ୍ରିୟା ମଧ୍ୟରେ ଆମ ଅଂଚଳ ବି ବାଦ୍ ପଡ଼ିଲା ନାହିଁ। ଆମ ଅଂଚଳରେ ଅତୀତ ଦିନରେ ଏକ ସରକାରୀ ବିଦେଶୀ ମଦ ଦୋକାନଟିଏ ଥିଲା କିନ୍ତୁ ଆମ ଅଂଚଳର ସଚେତନଶୀଳ ମହିଳାମାନେ ଓ ସ୍ବୟଂସହାୟକ ଗୋଷ୍ଠୀର ମାଆମାନେ ଏହି ସରକାରୀ ମଦ ଦୋକାନକୁ ବିରୋଧ କରି ଆନ୍ଦୋଳନ ଓ ସଚେତନତା ମୂଳକ ପଦଯାତ୍ରା ମଧ୍ୟମରେ ଜନସଚେତନତା କରିବା ସହ ସବୁଦିନ ପାଇଁ ଏହି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନଟିକୁ ବନ୍ଦ କରାଇବାରେ ସଫଳ ହେଲେ। କିନ୍ତୁ ତା’ ପ୍ରତିବଦଳରେ ଗାଁ ଗହଳରେ ଚୋରାମଦର ସ୍ରୋତ ବହିବାକୁ ଲାଗିଲା ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ଆଖି ତଳେ ମୋଟା ଅଙ୍କର ଅର୍ଥ ବିନିମୟରେ। ବିଦେଶୀ ମଦ ଦୋକାନଟି ବନ୍ଦ ହୋଇଯିବା ପରେ ଆସିଗଲା ଦେଶୀ ମଦ ଠିକାର ସମୟ। ଡିଆ ଗ୍ରାମପଞ୍ଚାୟତ ପରିସୀମା ମଧ୍ୟରେ ଥିଲା ଏହି ଦେଶୀ ମଦ ଦୋକାନଟି। ମହିଳା ମାନେ ବି ସେତେବେଳେ ଅନେକ ଚେଷ୍ଟା କରିଥିଲେ ଏହି ଦେଶୀ ମଦ ଦୋକାନଟିକୁ ବନ୍ଦ କରିବା ପାଇଁ କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା।

ଏହା ମଧ୍ୟରେ ଏହି ଦୋକାନଟିକୁ ବି ଲଟେରୀ ମାଧ୍ୟମରେ ନୂତନ ଭାବରେ ନିଲାମ କରାଯାଇଥିଲା ଓ ନିଲାମଧାରକଙ୍କ ନାମ ଘୋଷଣା କରାଯିବା ସହ ନୂତନ ଭାବରେ ଏକ ନୂଆ ଦେଶୀ ମଦ ଦୋକାନଟିଏ ନିରାକାରପୁର ଅଂଚଳରେ ଖୋଲିବା ପାଇଁ ଆବେଦନ କରାଯାଇ, ଲଟେରୀ ମାଧ୍ୟମରେ ଲାଇସେନ୍ସ ବି ପ୍ରଦାନ କରାଯାଇଅଛି। ସେହି ଭଳି ରାମେଶ୍ବର ପଞ୍ଚାୟତରେ ପୂର୍ବରୁ ଏକ ବିୟର ପାର୍ଲର ଆଉ ଏବେ ପୂନର୍ବାର ଏକ ବାର୍ ସହ ରେଷ୍ଟୁରାଣ୍ଟ ଏବଂ ନୂତନ ଠିପି ଖୋଲା ମଦ ଦୋକାନ ଆବଣ୍ଟିତ କରାଯାଇଅଛି। ଏହି ମାଳମାଳ ନୂତନ ମଦ ଦୋକାନମାନ ରାଜ୍ୟ ସରକାର ଯେଉଁ ଗାଁ’ ଗହଳିମାନଙ୍କରେ ଲାଇସେନ୍ସ ନବୀକରଣ ସ୍ଥାନରେ ନିଲାମ ମାଧ୍ୟରେ ନୂତନ ନିଲାମଧାରକଙ୍କ ମାଧ୍ୟମରେ ବାଣ୍ଟିଚାଲିଛନ୍ତି, ଏଥିରୁ ସହଜେ ଅନୁମେୟ ସରକାରଙ୍କ ପାଇଁ ଅବକାରୀ ଓ ଅବକାରୀ ଟିକସ କେତେ ଜରୁରୀ ରାଜସ୍ବ ପାଇଁ ?? ସତେ ଯେମିତି ସରକାର ପୂରା ନିଷ୍ପତ୍ତି ନେଇ ସାରିଛନ୍ତି ଗାଁ’ ଗହଳିଠାରୁ ଆରମ୍ଭ କରି ସହର ମଧ୍ୟରେ ମଦ ଦୋକାନମାନ ଖୋଲି, ନିଲାମ କରି, ନିଲାମ ମାଧ୍ୟରେ ରାଜସ୍ବ ସଂଗ୍ରହ କରିବେ। ଏହି ନୂତନ ମଦ ଦୋକାନର ଠିକା ନେବା ପାଇଁ ଶାସକଠାରୁ ଆରମ୍ଭ କରି ବିରୋଧିଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ଗ୍ରାମ୍ୟ ପରିବେଶ ହେଉ କିମ୍ବା ସହରୀ ପରିବେଶ ହେଉ, ଏହାକୁ ସଂପୂର୍ଣ୍ଣ ନଷ୍ଟ କରିଦେଲା ଏହି ସବୁ ଅବକାରୀ ସାମଗ୍ରୀମାନ। ଖୁସୀ ଲାଗିଥିଲା ସେ ଦିନ, ଯେଉଁଦିନ ଆମ ଅଂଚଳର ମାଆମାନେ ଜନସଚେତନତା ମାଧ୍ୟମରେ ଏଠାରେ ଥିବା ମଦ ଦୋକାନମାନଙ୍କୁ ବାଡେଇ ଭାଙ୍ଗିଥିଲେ। ଗର୍ବ ଲାଗିଥିଲା ସେହି ଦିନ ଯେଉଁ ଦିନ ଆମ ଅଂଚଳର ମାଆମାନେ ଅକାଳରେ ଚାଲିଯାଉଥିବା ଜୀବନ ଗୁଡିକକୁ ବଂଚାଇବା ପାଇଁ ନିଜେ ସାମ୍ନାକୁ ଆସିଥିଲେ। ସମଗ୍ର ଅଂଚଳରେ ମଦ ବିରୋଧି ଆନ୍ଦୋଳନ କରିଥିଲେ ଏବଂ ମଦ ବନ୍ଦ କରିବାରେ ଆଂଶିକ ମାତ୍ର ହେଉ ପଛେ ସଫଳ ହୋଇଥିଲେ। କିନ୍ତୁ ଆଜି ଆମ ଅଂଚଳଟି ଧିରେଧିରେ ପୂନର୍ବାର ନିଶା ସାମଗ୍ରୀ ବ୍ୟପାରର ଆଡ୍ଡା ସ୍ଥଳୀ ହେବାକୁ ଯାଉଥିବାବେଳେ, ସ୍ଥାନୀୟ ଲୋକମାନେ ଦେଖୁଛନ୍ତି, ଅଥଚ ପାଟି ଚୁପ୍। ପୂନର୍ବାର ବୋଧେ ଅପେକ୍ଷା କରିଛନ୍ତି, ଆମ ଅଂଚଳର ମାଆମାନେ କଣ କରୁଛନ୍ତି ଦେଖିବା ପାଇଁ?? ମହିଳା ସଶକ୍ତିକରଣ ନାମରେ ଏ’ ସରକାର ସର୍ବଦା ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି। ସମୟ ଆସିଛି ଏହି ମାଆମାନେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରନ୍ତୁ, ଛତୁଫୁଟିଲା ଭଳି ଗାଁ’ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମଦ ଦୋକାନ ଖୋଲି ସରକାର କାହାକୁ ସମ୍ମାନ ଦେଉଛନ୍ତି?? ମଦ ଦୋକାନମାନ ଖୋଳି ସରକାର ଯେଉଁ ପ୍ରଶ୍ନ ପଚାରୁଛନ୍ତି ଆପଣମାନେ ଖୁସୀ ତ’? ବାସ୍ତବିକ ଏହାକୁ କେଉଁ ଉଦ୍ଧେଶ୍ୟରେ ଏ’ ସରକାର ଏଭଳି ପ୍ରଶ୍ନ କରୁଛନ୍ତି?? ନିଶାର ଜ୍ବାଳାରେ ଜଳି ପୋଡି ପାଉଁଷ ହୋଇଯାଇଥିବା ସେ ପରିବାର ଖୁସୀକୁ କଣ ଏ’ ସରକାର ସେମାନଙ୍କ ପରିବାରକୁ ଫେରାଇ ପାରିବେ? ଜାତିର ପିତା ଗାନ୍ଧିଜୀଙ୍କ ସ୍ବପ୍ନ ନିଶାମୁକ୍ତ ଭାରତର ପରିକଳ୍ପନା କଳ୍ପନା ମଧ୍ୟରେ ରହିଗଲା। କିନ୍ତୁ, ଦୁର୍ଭାଗ୍ୟ ଆମ ଦେଶର ସ୍ବାଧିନତା ପରର ନିତି ନିର୍ଦ୍ଧାରକମାନେ ମଦମୁକ୍ତ ସ୍ଥାନରେ ମଦଯୁକ୍ତ କରି ଏ’ ଦେଶର ବୃହତ ଯୁବ ଶକ୍ତିକୁ ପଙ୍ଗୁ କରିବା ପରେ ବି ନିଦ୍ରା ଭଙ୍ଗ ହେଉନାହିଁ ଏ’ ସରକାରଙ୍କର .. ଘରେଘରେ ଦୁଆରେ ଦୁଆରେ ନିଶା ସାମଗ୍ରୀ ପହଞ୍ଚାଇ ପାଇଁ ଚାଲିଛି ସତେ ଯେମିତି ଗୋଟିଏ ପ୍ରତିଯୋଗିତା। ଧନ୍ୟରେ ସରକାର.. ତମେ ଧନ୍ୟ…
– ଦୁର୍ଗା ପ୍ରସାଦ (ଦୁରୁ) ନାଥ ଶର୍ମା
 ନିରାକାରପୁର, ଖୋର୍ଦ୍ଧା