Odiapua.com

କିପରି ରହିଗଲା ଜଗନ୍ନାଥଙ୍କ ହାତ ଖଣ୍ଡିଆ? ଜାଣନ୍ତୁ ଏହା ପଛର କାହାଣୀ..

ଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କର ହାତ ଖଣ୍ଡିଆ।ତେବେ କାହିଁକି ଏମାନଙ୍କର ହାତ ଖଣ୍ଡିଆ?ସ୍କନ୍ଦ ପୁରାଣ ଅନୁଯାୟୀ, ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ନିର୍ମାଣ କରିଥିଲେ ବିଶ୍ୱକର୍ମା।ବାଙ୍କି ମୁହାଣରୁ ସଂଗ୍ରହ କରିଥିବା ଦାରୁରେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ରାଜା ଇନ୍ଦ୍ରଦ୍ୟୁମ୍ନ ବିଭିନ୍ନ ଦେଶରୁ ଦକ୍ଷ ଶିଳ୍ପୀମାନଙ୍କୁ ଆଣି କାମରେ ଲଗାଇଥିଲେ।କିନ୍ତୁ ସେମାନଙ୍କ ନିହାଣ ମୁନରେ ସେ ଦାରୁ ଖୋଳାଯାଇ ପାରିଲା ନାହିଁ।ସେଗୁଡ଼ିକର ଧାର ଓଲଟି ଗଲା।ମୂର୍ତ୍ତି ଗଢ଼ିବାରେ ବିଫଳ ହୋଇ ଶିଳ୍ପୀମାନେ ଫେରିବାରେ ଲାଗିଲେ।କିପରି ମୂର୍ତ୍ତି ନିର୍ମାଣ ହେବ ନେଇ ରାଜା ଚିନ୍ତିତ ହୋଇଗଲେ।କିଛି ଦିନ ପରେ ଦିନେ ଜଣେ ବୁଢ଼ା ବଢ଼େଇ ଆସି ମୂର୍ତ୍ତି ନିର୍ମାଣ କରିବାକୁ ରାଜାଙ୍କ ନିକଟରେ ଆଗ୍ରହ ପ୍ରକାଶ କଲା।ରାଜା ବୁଢ଼ା ବଢ଼େଇକୁ ମୂର୍ତ୍ତି ନିର୍ମାଣ ଦାୟିତ୍ୱ ଦେଲେ।ବୁଢ଼ା ବଢ଼େଇର ସର୍ତ୍ତ ରଖିଲା ୨୧ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଫିଟିବ ନାହିଁ।ଏବଂ ସେ ଉପବାସ ରହି ମୂର୍ତ୍ତି ନିର୍ମାଣ କରିବ।ଏଥିରେ ରାଜା ରାଜି ହୋଇ ମନ୍ଦିର ଦ୍ୱାର ବନ୍ଦ କରିଦେଲେ।ପ୍ରତ୍ୟେକ ଦିନ ରାଜା ଭିତରର ଠକ୍‌ ଠକ୍‌ ଶବ୍ଦ ଶୁଣୁ ଥାଆନ୍ତି।କିନ୍ତୁ କିଛି ଦିନ ପରେ ହଠାତ୍ ଦିନେ ଭିତରୁ ଶବ୍ଦ ଆସିବା ବନ୍ଦ ହୋଇଗଲା।ଗୁଣ୍ଡିଚା ରାଣୀ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ।ବୁଢ଼ା ବଢ଼େଇ ଉପବାସରେ ମୃତ୍ୟୁ ବରଣ କରିଛି ବୋଲି ସେ ଭାବିନେଲେ ଏବଂ ରାଜାଙ୍କୁ କବାଟ ଖୋଲିବାକୁ ଅନୁରୋଧ କଲେ।ତେବେ କବାଟ ଉନ୍ମୁକ୍ତ କଲା ପରେ ଦେଖାଗଲା ଯେ, ବୁଢ଼ା ବଢ଼େଇ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛି।ଅଛି କେବଳ ଦରଗଢ଼ା ମୂର୍ତ୍ତି।ଏଥିରେ ରାଜା ଏବଂ ରାଣୀ ଘୋର ଚିନ୍ତାରେ ପଡ଼ିଗଲେ।ତେବେ ସେ ସମୟରେ ଶୂନ୍ୟବାଣୀ ହେଲା ଯେ “ମୋର ଯେଉଁ ରୂପରେ ଆବିର୍ଭାବ ହେବାର ଇଚ୍ଛା ମୁଁ ସେହି ରୂପରେ ହିଁ ଆବିର୍ଭାବ ହୋଇଛି, ତେଣୁ ଏଥିରେ ଶୋଚନା କରିବାର କିଛି ନାହିଁ”।ସେହି ବୁଢ଼ା ବଢ଼େଇ ଜଣଙ୍କ ଥିଲେ ସ୍ୱୟଂ ଦେବଶିଳ୍ପୀ ବିଶ୍ୱକର୍ମା।ଭକ୍ତର ଭଗବାନ ସ୍ୱୟଂ ବଢ଼େଇ ରୂପରେ ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ଆସି ନିଜର ମୂର୍ତ୍ତିକୁ ନିଜେ ଗଢ଼ିଥିଲେ ବୋଲି ବିଶ୍ୱାସ ରହିଛି।ଓଡ଼ିଶାରେ ଏହି ବୁଢ଼ା ବଢ଼େଇ ରୂପକୁ ବିଶ୍ୱକର୍ମାଙ୍କ ରୂପ ବୋଲି କଳ୍ପନା କରାଯାଇ ପୂଜା କରାଯାଏ।//-ଦେବଦତ୍ତ ରଥ