Odiapua.com

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ଭୁବନେଶ୍ୱର: କି’ଏ ହେବ ବିଜେପିର ଆଗାମୀ ରାଜ୍ୟ ସଭାପତି?କସରତ ଆରମ୍ଭ ହୋଇଗଲାଣି।ରାଷ୍ଟ୍ରୀୟ ସଭାପତି ପରିବର୍ତ୍ତନ ପୂର୍ବରୁ ରାଜ୍ୟ ସଭାପତି ଗୁଡ଼ିକ ପରିବର୍ତ୍ତନ ହେବେ।ଏବଂ ରାଜ୍ୟ ସଭାପତି ଚୟନ ପୂର୍ବରୁ ବିଭିନ୍ନ ଜିଲ୍ଲା ସଭାପତି ଏବଂ ମଣ୍ଡଳ, ଜୋନ, ଆଦି ସଭାପତି ଚୟନ ହେବେ।ସାରା ଦେଶରେ ଏହା ହେବ।ଏବଂ ସେହି ପ୍ରକ୍ରିୟା ଓଡ଼ିଶାରେ ମଧ୍ୟ ହେବ।ଏବଂ ତା’ର ପ୍ରାରମ୍ଭିକ କସରତ ଜୁଲାଇ ୬ରୁ ଆରମ୍ଭ ହୋଇଯାଇଛି “ସଦସ୍ୟତା ଅଭିଯାନ” ମାଧ୍ୟମରେ।

ତେବେ କେଉଁ ଆଧାରରେ ଏହି ସାଙ୍ଗଠନିକ ନିର୍ବାଚନ ହେବ?ନିର୍ବାଚନ ହେବ ନାଁ, ଚୟନ ହେବ?ବିଜେପି ଇତିହାସକୁ ଦେଖିଲେ ଜଣାପଡ଼େ ଚୟନ ହିଁ ହେବ।ତେବେ ତାହା ସହମତିରେ ହେବ, ନାଁ ପକ୍ଷପାତିରେ ହେବ?ସଙ୍ଗଠନ ଆଧାରରେ ହେବ, ନାଁ ବ୍ୟକ୍ତି କେନ୍ଦ୍ରିକ ହେବ, ତାହା ସମୟ କହିବ।ଏଠାରେ ରାଜ୍ୟ ସଙ୍ଗଠନ କଥା ଆଲୋଚନା ହେଉଛି।ପୂର୍ବରୁ ବିଶ୍ୱ ଭୂଷଣ ହରିଚନ୍ଦନ, ମନମୋହନ ସାମଲ,ସୁରେଶ ପୂଜାରୀ, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଏବଂ ବସନ୍ତ ପଣ୍ଡା ଆଦି ରାଜ୍ୟ ସଭାପତି ରହି ସାରିଛନ୍ତି।ଏବେ ବସନ୍ତ ପଣ୍ଡା ରାଜ୍ୟ ସଭାପତି ମଧ୍ୟ ଅଛନ୍ତି।ତାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।ତେବେ ସେ କଣ ପୁଣି ରିପିଟ୍ ହେବେ?ନାଁ, ଆଉ ଜଣେ କେହି ସଭାପତି ହେବେ?ପୂର୍ବତନ ସଭାପତି ମାନଙ୍କ ମଧ୍ୟରୁ କେହି ରିପିଟ୍ ହେବେ?ନାଁ, ରାଜ୍ୟ ବିଜେପି ଏକ ନୂଆ ଚେହେରା ପାଇବ?ଏହାକୁ ନେଇ ରାଜ୍ୟ ବିଜେପିର ଉପରଠାରୁ ତଳ ମହଲା ଯାଏଁ ଏବେ ଆଲୋଚନା।

କାଲିର ସ୍ଥିତି ଆଜି ନାହିଁ।ରାଜ୍ୟ ବିଜେପିର ନେତୃତ୍ୱ ବାରମ୍ବାର କେନ୍ଦ୍ର ପାଖରେ ଭରଷା ତୁଟାଇ ସାରିଛି।ଏବେକାର ସଭାପତି ବସନ୍ତ ପଣ୍ଡାଙ୍କୁ କାଠ କଣ୍ଡେଇ, ରବର ଷ୍ଟାମ୍ପ, ରିମୋର୍ଟ ଦ୍ୱାରା ପରିଚାଳିତ ଆଦି ପରି ଅନେକ କଥା କୁହାଗଲା।ଏବେ କଳାହାଣ୍ଡି ଆସନରୁ ସେ ନିଜେ ସିନା ସାଂସଦ ଭାବରେ ନିର୍ବାଚିତ ହୋଇପାରିଲେ।କିନ୍ତୁ ଅମିତ ଶାହାଙ୍କ ମିଶନ ୧୨୦ ଲକ୍ଷ କ’ଣ, ତା’ ଆଖପାଖରେ ବି ରାଜ୍ୟ ବିଜେପିକୁ ପହଞ୍ଚାଇ ପାରିଲେନି।ବିଜେପୁର ଉପ ନିର୍ବାଚନରେ ବିଫଳ ହେଲେ।ପଞ୍ଚାୟତ, ଜିଲ୍ଲା ପରିଷଦ ନିର୍ବାଚନରେ ରାଜ୍ୟରେ ସିନା ବିଜେପି କିଛିଟା ସଫଳତା ପାଇଲା।କିନ୍ତୁ ବସନ୍ତ ପଣ୍ଡା ନିଜେ ନିଜ ବିଧାନସଭା କ୍ଷେତ୍ର ଅଞ୍ଚଳରେ ପଦ୍ମ ଫୁଲଟିଏ ଫୁଟାଇ ପାରିଲେନି।ଅବଶ୍ୟ ତାଙ୍କ ହାତରେ କିଛି ହିଁ ନ’ଥିଲା।ସେ ତ’ ରିମୋର୍ଟ ଦ୍ୱାରା ପରିଚାଳିତ ହେଉଥିଲେ?ତେବେ,ଏବେ ପୁଣି କ’ଣ ସେହିପରି ଜଣେ ରିମୋର୍ଟ ପରିଚାଳିତ ଦାୟିତ୍ୱ ନେବେ?କାରଣ, ମୂଳ କଣ୍ଟା ତ’ ହଟିଯାଇଛି!

ଗତଥର ସଭାପତି ଭାବରେ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ଥିଲା।ସମସ୍ତେ ଭାବି ନେଇଥିଲେ ପ୍ରତାପ ହିଁ ରାଜ୍ୟ ସଭାପତି ହେବେ।କିନ୍ତୁ, ସେପରି ହେଲାନି।ହଠାତ୍ ବସନ୍ତ ପଣ୍ଡାଙ୍କୁ ନିର୍ବାଚିତ/ନିଯୁକ୍ତ/ମନୋନୀତ କରି ବସାଇ ଦିଆଗଲା।ଆଲୋଚନା ହେଲା ପ୍ରତାପଙ୍କ ସହ ପ୍ରତାରଣା କରାଗଲା।କିନ୍ତୁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସେ ଦଳୀୟ ନିଷ୍ପତ୍ତିକୁ ମାନିନେଲେ।ଏବେ ସଭାପତି ରେସରେ ସେ ଏକ ନମ୍ବର ହୋଇଥାଆନ୍ତେ।କିନ୍ତୁ, ଏବେ ସେ କେନ୍ଦ୍ରମନ୍ତ୍ରୀ।ମୂଳ କଣ୍ଟା ହଟିଯାଇଛି।

ନୂତନ ସଭାପତି ଭାବରେ କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଜୟ ନାରାୟଣ ମିଶ୍ର, ଉପସଭାପତି ସମୀର ମହାନ୍ତିଙ୍କ ନାମ ଆଲୋଚନା ହେଉଛି।ଏମାନଙ୍କ ବ୍ୟତୀତ କେହି କେହି ଅପରାଜିତା ଷଡ଼ଙ୍ଗୀ, ମନମୋହନ ସାମଲ, ସୁରେଶ ପୂଜାରୀ, ଜୁଏଲ ଓରାମଙ୍କ ନାମ ଆଲୋଚନା କରୁଛନ୍ତି।ଏପରିକି କେତେଜଣ ଭୃଗୁ ବକ୍ସିପାତ୍ର, ପୃଥ୍ବୀରାଜ ହରିଚନ୍ଦନ ଆଦିଙ୍କ ପରି ନାମ ମଧ୍ୟ ଆଲୋଚନା କରୁଛନ୍ତି।ଏପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାରେ, ଇସାରାରେ ହିଁ ଓଡ଼ିଶା ବିଜେପି ଚାଲି ଆସୁଥିଲା।ତାଙ୍କର କେହି ପ୍ରତିଦ୍ୱନ୍ଦୀ ନ’ଥିଲେ।ପ୍ରଥମେ ପ୍ରଥମେ ଜୁଏଲ ମୁଣ୍ଡ ଟେକୁଥିଲେ।ପରେ ସରେଣ୍ଡର୍ କରିଦେଲେ।ପ୍ରତାପ ଷଡ଼ଙ୍ଗୀ କଣ୍ଟା ବି ଗଲା।ସେ ଏବେ କେନ୍ଦ୍ରମନ୍ତ୍ରୀ।ରାଜ୍ୟ ବିଜେପି ସଭାପତି ପାଇଁ ସବୁଠାରୁ ଉପଯୁକ୍ତ ପ୍ରତାପ ତ’ ଆଉ ସଭାପତି ହେବାର ନାହିଁ।ତେବେ କିଏ ହେବ ସଭାପତି ଏବଂ ରାଜ୍ୟ ସାଙ୍ଗଠନିକ କଥାରେ ପ୍ରତାପଙ୍କର କେତେ ହସ୍ତକ୍ଷେପ ବା ପ୍ରଭାବ ରହୁଛି ତାହା ଦେଖିବାକୁ ଅଛି।ଧର୍ମେନ୍ଦ୍ର ପ୍ରଧାନ ନିଜ ମନ୍ତ୍ରାଳୟ କଥା ବୁଝିବା ବାଦେ ଓଡ଼ିଶା ସଙ୍ଗଠନ କଥା ବି ବୁଝୁଥିଲେ।କିନ୍ତୁ ସେବେକାର ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କେବଳ ତାଙ୍କ ମନ୍ତ୍ରାଳୟ ବ୍ୟତୀତ ତାଙ୍କ ସଂସଦୀୟ କଥାରେ ସୀମିତ ଥିଲେ।ଏବେ ପ୍ରତାପ ନିଜ ମନ୍ତ୍ରାଳୟ ବ୍ୟତୀତ ଓଡ଼ିଶା ସଙ୍ଗଠନ କଥା ବି ଦେଖିବେ, ନାଁ କେବଳ ତାଙ୍କ ସଂସଦୀୟ କ୍ଷେତ୍ର ଭିତରେ ସୀମିତ ରହିବେ, ତାହା ସମୟ କହିବ।

ତେବେ ଏ’ ଭିତରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁରୀରୁ ପାର୍ଥି ହୋଇଥିଲେ।ଏ’ ପର୍ଯ୍ୟନ୍ତ ତାଙ୍କର ଓଡ଼ିଶା ସଙ୍ଗଠନ କଥାରେ କୌଣସି ହସ୍ତକ୍ଷେପ ନଥିଲା।ଏବେ କ’ଣ ହେବ?ସେ ଓଡ଼ିଶା ସଙ୍ଗଠନ କଥାରେ ଏଣିକି ହସ୍ତକ୍ଷେପ କରିବେ କି?ଓଡ଼ିଶା ମୁହାଁ ହେବେ କି?ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଖାରବେଳ ସ୍ୱାଇଁ, ବିଜୟ ମହାପାତ୍ର ଆଦିଙ୍କର କ’ଣ ଭୂମିକା ରହିବ?ଏହା ସବୁ ଦେଖିବାକୁ ବାକି ଅଛି।କାରଣ କେନ୍ଦ୍ର ବିଜେପି ସହ ନବୀନଙ୍କର ସମିକରଣ ବଦଳିଲା ବଦଳିଲା ପରି ଅନୁଭବ ହେଉଛି!

ତେଣୁ ଓଡ଼ିଶା ବିଜେପି ସଙ୍ଗଠନ ଆଧାରରେ ଜଣେ ସର୍ବମାନ୍ୟ, ସର୍ବ ଗ୍ରହଣୀୟ ତଥା ଓଡ଼ିଶାରେ ପରିଚିତ, ପ୍ରଭାବୀ ନେତାଙ୍କୁ ନେତୃତ୍ୱ ଦେଉଛି କି, ପୂର୍ବଭଳି ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ନେତା ଚୟନ କରାଯାଇ ବସାଇ ଦିଆଯାଉଛି,ତାହା ସମୟ କହିବ।ଯଦି ସେପରି ହୁଏ, ଯାହା ଜଣାପଡ଼ୁଛି ସେଥିରେ ସମୀର ମହାନ୍ତିଙ୍କ ନାମ ସର୍ବାଗ୍ରେ ରହିବ।କିନ୍ତୁ, ଏବେ ସେହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଭିତରେ ଭିତରେ ନିଜ ନିଜ ସମର୍ଥକଙ୍କୁ ଜୋନ, ମଣ୍ଡଳ ଦାୟିତ୍ୱ ଦିଆଯାଇ ପରେ ନିଜ ଆନୁଗତ୍ୟଙ୍କୁ ଜିଲ୍ଲା ସଭାପତି କରାଇ ପରେ ରାଜ୍ୟ ସଭାପତି ପଦ ଦଖଲ କରିବାକୁ କସରତ ଆରମ୍ଭ ହୋଇଯାଇଛି।//ଦେବଦତ୍ତ ରଥ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ଝିଅଙ୍କ ସେଲ୍ଫିକୁ ନେଇ କମେଣ୍ଡ:ଜବାବ ଦେଲେ ମା’ ସ୍ମୃତି

ବିଜେପିରେ ଯୋଗ ଦେଲେ ଡ୍ୟାନ୍ସର ସପନା ଚୌଧୁରୀ