ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ମାର୍ଚ୍ଚ ୨୩ ତାରିଖରେ ମନମୋହନ ସାମଲ ଓଡ଼ିଶା ବିଜେପିର ନୂତନ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କଲେ। ସଭାପତି ପରିବର୍ତ୍ତନ ପରେ ରାଜ୍ୟ ଟିମ୍ ପରିବର୍ତ୍ତନ ଏକ ସ୍ବଭାବିକ ପ୍ରକ୍ରିୟା। ମନମୋହନ ତାଙ୍କ ନୂଆ ଟିମ୍ ଘୋଷଣା କରିବା କଥା। ୪ ମାସ ବିତିଗଲା। କିନ୍ତୁ, ଏ’ ପର୍ଯ୍ୟନ୍ତ ମନମୋହନ ସାମଲ ଘୋଷଣା କରିନାହାଁନ୍ତି ତାଙ୍କ ନୂଆ ଟିମ୍। କାଲି କାଲି କହିକହି ଗଡ଼ୁଛି ଦିନ ବୋଲି ଦଳ ଭିତରେ ଆଲୋଚନା ଚାଲିଛି। ଏବେ ମନମୋହନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ମନମୋହନଙ୍କ ସହିତ ଦିଲ୍ଲୀ ଯାଇଥିଲେ। ମାନସ ମହାନ୍ତି ଫେରି ଆସିଲେଣି। ଓଡ଼ିଶା ଫେରି ରାଜ୍ୟ କାର୍ଯ୍ୟାଳୟରେ ମାନସ ମହାନ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ତେବେ, ସଭାପତି ଫେରିଲେଣି ନାଁ ନାହିଁ, କେବେ ଫେରିବେ କେହି ଜାଣିପାରୁ ନାହାଁନ୍ତି। ମନମୋହନଙ୍କ ପାଖ ଲୋକ ବୋଲାଇ ଆସୁଥିବା ନେତାନେତ୍ରୀ ବା ଓଡ଼ିଶା ବିଜେପିରେ ସବୁ ଜାଣିବାର ବୋଲାଉଥିବା ମୁଣ୍ଡିଆଳ ନେତା, ନେତ୍ରୀଗଣ ମଧ୍ୟ ରାଜ୍ୟ ସଭାପତିଙ୍କ ଗତିବିଧି ଜାଣି ପାରୁନାହାଁନ୍ତି। କେତେକ କେବଳ ମିଛ ଢାବା ମାରି ସଭାପତିଙ୍କ ପାଖ ଲୋକ ଦେଖାଇ ହେବାକୁ ଚାହିଁ ଏଣୁତେଣୁ ଗପି ଦେଉଛନ୍ତି।କିନ୍ତୁ, ସେମାନଙ୍କ ପାଖରେ ସଭାପତିଙ୍କର କେଉଁଠାରେ କାର୍ଯ୍ୟକ୍ରମ କିମ୍ବା କେଉଁଠି ଅବସ୍ଥିତି ନେଇ କୌଣସି ସୂଚନା ରହୁନି। ବାସ୍ତବରେ ରାଜ୍ୟ ସଭାପତିଙ୍କ ଗସ୍ତ ବାବଦରେ ଯଦି କାହା ପାଖରେ ସୂଚନା ରହୁଥାଏ, ସେ ହେଲେ କେବଳ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି। ଉଭୟ ଉଭୟଙ୍କ ମଧ୍ୟରେ ଚମତ୍କାର ତାଳମେଳ ରଖି ଗୁପ୍ତ ଭାବରେ ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏମାନଙ୍କୁ ପୂରା ସାଥ୍ ଦେଉଛନ୍ତି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ।
-/DevD®ath