Odiapua.com

ଆଜି ଉତ୍କଳ ଦିବସ: ମନେପଡ଼ନ୍ତି ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଆଜି ଏପ୍ରିଲ୍ ୧, ଉତ୍କଳ ଦିବସ। ଆଜିର ଦିନରେ ମନେ ପଡ଼ନ୍ତି “ବନ୍ଦେ ଉତ୍କଳ ଜନନୀ”ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ। ଯିଏ ଆମର ଏହି ଭଦ୍ରକ ମାଟିର ଗର୍ବ ଏବଂ ଗୌରବ। ଲକ୍ଷ୍ମୀକାନ୍ତ ଏକାଧାରରେ ଥିଲେ ସ୍ୱାଧୀନତା ସଂଗ୍ରାମୀ, କବି ଏବଂ ଲେଖକ। ଲକ୍ଷ୍ମୀକାନ୍ତ ଓଡ଼ିଆ କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗ-ସାହିତ୍ୟ ଓ ଲାଳିକା ଆଦି ମଧ୍ୟ ରଚନା କରିଥିଲେ। ଲକ୍ଷ୍ମୀକାନ୍ତଙ୍କର କବିତା ଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମ‌ବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା। ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମ‌ବିଶ୍ୱାସ ଜଗାଇବା ଲକ୍ଷ୍ମୀକାନ୍ତଙ୍କ କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଓଡ଼ିଆ ମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତ‌ଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା। ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ। ଏହି କଥା ସେ ନିଜ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପ‌ହଞ୍ଚାଇଥିଲେ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରେ ଦେଶ ଓ ଜାତିପ୍ରେମର ଝଲକ ଦେଖିବାକୁ ମିଳିଥାଏ। ସ୍ୱରାଜ ଓ ସ୍ୱଦେଶୀ ଭାବରେ ତାଙ୍କର କବିତା ସବୁ ଲେଖା ଯାଇଥିଲା। ୧୯୫୩ ମସିହା ଫେବୃୟାରୀ ୨୪ ତାରିଖ ଦିନ ଲକ୍ଷ୍ମୀକାନ୍ତଙ୍କ ଦେହାନ୍ତ ଘଟିଥିଲା। ଆଜି ଏପ୍ରିଲ୍ ୧ ଉତ୍କଳ ଦିବସ ଅବସରରେ ମନେ ପଡ଼ନ୍ତି ଭଦ୍ରକ ମାଟିର ଗର୍ବ ଏବଂ ଗୌରବ “ବନ୍ଦେ ଉତ୍କଳ ଜନନୀ”ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର।
– ହରପ୍ରିୟା ସାହୁ, ଭଦ୍ରକ