Odiapua.com

“ଅହିଂସା ପରମୋ ଧର୍ମ: ଧର୍ମ ହିଂସା ତଥୈବ ଚ” ..

ଗାନ୍ଧିଜୀ’ କହିଥିବା ମନ୍ତ୍ର “ଅହିଂସା ପରମୋ ଧର୍ମ” ବାସ୍ତବରେ ଏକ ଅସମାପ୍ତ ମନ୍ତ୍ର। ହାତରେ ଗୀତା ଧରି ଗାନ୍ଧିଜୀ ଯେଉଁ ଏହି ମନ୍ତ୍ରଟି କହିଥିଲେ ବାସ୍ତବରେ ଏହା ସେହି ଗୀତା, ମହାଭାରତରୁ ଉର୍ଦ୍ଦୁତ ଏକ ଅସମ୍ପୂର୍ଣ୍ଣ ମନ୍ତ୍ର। ଯାହା କି ଆଜି ସର୍ବ ଜନ ବିଦିତ। ବାସ୍ତବରେ ସମ୍ପୂର୍ଣ୍ଣ ମନ୍ତ୍ରଟି ହେଲା “ଅହିଂସା ପରମୋ ଧର୍ମ: ଧର୍ମ ହିଂସା ତଥୈବ ଚ”। ଅର୍ଥାତ୍, ଅହିଂସା ପରମ ଧର୍ମ। କିନ୍ତୁ, ଧର୍ମର ସୁରକ୍ଷା ନିମନ୍ତେ ହିଂସା ଏହାଠାରୁ ଏକ ବଡ଼ ଧର୍ମ ଅଟେ। ଏହି ଶ୍ଳୋକ (ପଦ) ଅନୁଯାୟୀ, ଅହିଂସା ହେଉଛି ମଣିଷର ପରମ ଧର୍ମ। କିନ୍ତୁ, ଯେତେବେଳେ ଧର୍ମ ଆଘାତ ପ୍ରାପ୍ତ ହୁଏ, ଧର୍ମ ଉପରେ ସଙ୍କଟ ଆସେ, ସେତେବେଳେ ଧର୍ମର ରକ୍ଷା ନିମନ୍ତେ ହିଂସା ଏହାଠାରୁ ଏକ ବଡ଼ ଧର୍ମ ଅଟେ। ଅର୍ଥାତ୍, ଆମେ ସର୍ବଦା ଅହିଂସା ମାର୍ଗ ଗ୍ରହଣ କରିବା ଉଚିତ୍। କିନ୍ତୁ, ଯଦି ଆମର ଧର୍ମ ତଥା ରାଷ୍ଟ୍ର ଉପରେ କୌଣସି ବିପତ୍ତି ଆସେ ତେବେ, ଆମେ ଅହିଂସା ମାର୍ଗ ଛାଡ଼ି ହିଂସା ମାର୍ଗ ଗ୍ରହଣ କରିବା ଉଚିତ୍। କାରଣ, ଅଧର୍ମ ଏବଂ ଅନ୍ୟାୟ ଯୁକ୍ତ ହିଂସାକୁ ଦମନ କରିବା ପାଇଁ, ଧର୍ମର ସୁରକ୍ଷା ନିମନ୍ତେ ହିଂସା ହେଉଛି ସବୁଠାରୁ ବଡ଼ ଧର୍ମ। ଯେପରି ଆମେ ଅହିଂସାର ପୂଜାରୀ, କିନ୍ତୁ ଯଦି କେହି ଆମ ପରିବାର ପ୍ରତି କୌଣସି ଅନିଷ୍ଟ କରନ୍ତି, ତେବେ ତାଙ୍କ ପାଇଁ ହିଂସା ମାର୍ଗ ହେଉଛି ସବୁଠାରୁ ବଡ଼ ଧର୍ମ। ରାଷ୍ଟ୍ରହିତ କଥାରେ ମଧ୍ୟ ସମାନ କଥା ପ୍ରଯୁଜ୍ୟ। ଯେପରିକି ଇଂରାଜୀରେ କୁହାଯାଏ “Tit For Tat” ବା ହିନ୍ଦୀରେ କୁହାଯାଏ “जैसे को तैसा”। ହିନ୍ଦୁ ଦେବାଦେବୀ ସର୍ବଦା ଅସ୍ତ୍ର ଏବଂ ଆଶୀର୍ବାଦ ଉଭୟ ମୁଦ୍ରାରେ ରହିଥାଆନ୍ତି। କାରଣ ସେ ନିର୍ଦ୍ଦୋଷ ମାନଙ୍କୁ ଆଶୀର୍ବାଦ ଦିଅନ୍ତି, ସାଙ୍ଗରେ ପାପୀ ମାନଙ୍କୁ ଦଣ୍ଡ ମଧ୍ୟ ଦିଅନ୍ତି। ଗୋଟିଏ ହାତରେ ମାଲା ତ’ ଗୋଟିଏ ହାତରେ ଭାଲା। ହାତ ନ’ଥିବା ମହାପ୍ରଭୂ ଜଗନ୍ନାଥ, ବଳଭଦ୍ର ମଧ୍ୟ ଧର୍ମରକ୍ଷା ନିମନ୍ତେ ଏକଦା ଖଡ୍ଗହସ୍ତ ହୋଇ ଯୁଦ୍ଧ କରିଥିଲେ।
– ଦେବଦତ୍ତ ରଥ