Odiapua.com

୨୪ରେ ଆସିବେ ମୋଦୀ;ଜଣାପଡ଼ିଯିବ ଓଡ଼ିଶା ବିଜେପିର ଆଗାମୀ ରୂପରେଖ:ଫୋକସରେ ଅପରାଜିତା,ବୈଜୟନ୍ତ!

ଭୁବନେଶ୍ୱର:ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି।ଖୋର୍ଦ୍ଧାରେ ହେବାକୁ ଥିବା ଏକ ଜନ ସମାବେଶରେ ମୋଦୀ ଉଦ୍ବୋଧନ ଦେବେ।ତେବେ ଏହି ଦିନ ବିଜେପି ଓଡ଼ିଶାର ଆଗାମୀ ରଣନୀତି ବାବଦରେ ଅନେକ କିଛି ସୂଚନା ମିଳିଯିବ।

ଏବେ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେଇଛନ୍ତି।ସେ ବିଜେପିରେ ଯୋଗ ଦେବା ପରଠାରୁ ତାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ପାର୍ଥି,ବିଜେପିର ଚେହେରା ଭାବରେ ଜୋରଦାର ଆଲୋଚନା ହେଉଛି।ଆଜି ପର୍ଯ୍ୟନ୍ତ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପାର୍ଥି,ବିଜେପି ଓଡ଼ିଶାର ଚେହେରା ଭାବରେ ଚିତ୍ରିତ କରାଯାଉଥିଲା।କେବଳ ପ୍ରତାପ ଷଡ଼ଙ୍ଗୀଙ୍କ ପରି ନେତୃତ୍ୱ ଏପରି ଆଲୋଚନାକୁ ପ୍ରଥମରୁ ଖଣ୍ଡନ କରି ଆସିଛନ୍ତି।ପ୍ରତାପ କୁହନ୍ତି,ଦଳରେ ଅନେକ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି।କାହାକୁ ଚେହେରା କରା ଯାଇପାରେ,କରାନଯାଇ ବି’ ପାରେ।ଏପରି ନିଷ୍ପତି ଦଳର କେନ୍ଦ୍ରୀୟ ନେତୃତ୍ୱ ଏବଂ ପାର୍ଲିଆମେଣ୍ଟାରୀ ବୋର୍ଡ ନେଇ ଥାଆନ୍ତି।ଏ ବାବଦରେ କହିବା ମୋର ଅଧିକାର ପରିସର ଭୁକ୍ତ ନୁହେଁ।

ଦଳ ଭିତରେ ତ’ ଏକ ଗୋଷ୍ଠୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି,ନବୀନଙ୍କ ବିକଳ୍ପ ଭାବରେ ପ୍ରଚାର କରାଇ ଆସୁଛନ୍ତି।କିନ୍ତୁ,ପୂର୍ବରୁ ଦଳରେ ଅନେକ ମୁଖ୍ୟମନ୍ତ୍ରୀ ପାର୍ଥି ଅଛନ୍ତି କହି ଧର୍ମେନ୍ଦ୍ରଙ୍କୁ ସବୁଠାରୁ ଅଧିକ ବିରୋଧ କରୁଥିବା ଜୁଏଲ କିଛିଦିନ ତଳେ ହଠାତ ଏକ ଘରୋଇ ଟିଭି ଚ୍ୟାନେଲରେ କହିଥିଲେ ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।ସେହି ସମାନ କଥାକୁ ପୁଣି ଦୋହରାଇଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା।ପ୍ରଭାତୀ ମଧ୍ୟ ସେହି ସମାନ କଥା କହିଥିଲେ,ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।ଜୁଏଲ କହି ସାରିଛନ୍ତି,କହି କଥାକୁ ଅଧିକ ଦୃଢ଼ୀଭୂତ କରାଇବାକୁ ଚେଷ୍ଟା କରିଥିଲେ ପ୍ରଭାତୀ ପରିଡ଼ା।

ତେବେ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି କରାଯିବା ନେଇ ଜୋରଦାର ପ୍ରଚାର ହେଲା।ଅପରାଜିତା ଯେଉଁ ଦିନ ଦଳରେ ଯୋଗ ଦେଲେ ସେହିଦିନ ହିଁ ଜୁଏଲ ପୁଣି ଦୋହରାଇ କହିଲେ,ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।ଏହାକୁ ନେଇ ଦଳ ଭିତରେ ଦ୍ଵନ୍ଦ ବଢ଼ି ଚାଲିଲା।କେବେ ସେଭଳି କହି ନଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଧ୍ୟ ହୋଇ କହିବାକୁ ପଡ଼ିଲା ଦଳ ସାମୂହିକ ନେତୃତ୍ୱରେ ଲଢ଼ିବ।ଜୁଏଲଙ୍କ କଥାକୁ ଖଣ୍ଡନ କରି ଏବେ ପ୍ରତାପ ତାଙ୍କ ପୂର୍ବ କଥାକୁ ପୁଣି ଦୋହରାଇଛନ୍ତି।ଏପରି ନିଷ୍ପତି କେନ୍ଦ୍ରୀୟ ନେତୃତ୍ୱ ଏବଂ ପାର୍ଲିଆମେଣ୍ଟାରୀ ବୋର୍ଡ ନେବ।

ଏ ଭିତରେ ଏବେ ୨୪ ତାରଖରେ ଓଡ଼ିଶା ଆସୁଛନ୍ତି ମୋଦୀ।ଖୋର୍ଦ୍ଧାଠାରେ ଆୟୋଜିତ ହେବ ସମାବେଶ।ଅନେକ ନେତା ମଞ୍ଚାସିନ ହେବେ।କୁହାଯାଏ,ବିଜେପିର ଏପରି ସମାବେଶ ମାନଙ୍କରେ କିଏ ମଞ୍ଚାସିନ ହେବ କିଏ ନାହିଁ,ସବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଶାରାରେ ହୋଇଥାଏ।ତେବେ ଏବେ ଖୋର୍ଦ୍ଧାରେ ହେବାକୁ ଥିବା ସମାବେଶରେ ଦେଖିବାକୁ ରହିଲା କିଏ ସବୁ ମଞ୍ଚାସିନ ହେଉଛନ୍ତି।କାହାର ଭୂମିକା,କାହାର ଅବସ୍ଥିତି କୋଉଠି ରହୁଛି।କାରଣ ଏବେ ଏକ ବଡ଼ ପରିବର୍ତ୍ତନ ଘଟିଯାଇଛି।ଆଉ କିଛି ଘଟିବାର ସମ୍ଭାବନା ମଧ୍ୟ ରହିଛି।ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ଏବଂ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ମଧ୍ୟ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି।ହୁଏତ ବୈଜୟନ୍ତ ସେହିଦିନ ହିଁ ବିଜେପିରେ ଯୋଗଦେଇ ପାରନ୍ତି।କାରଣ ୨୪ କିମ୍ବା ୨୪ ପୂର୍ବରୁ ନହେଲେ,ତା’ପରେ ଯେ ଆଉ ବୈଜୟନ୍ତ ବିଜେପିକୁ ଆସିବା,ଆଶା କରିବା ଭୁଲ।ଏଣେ ମୋଦୀ ଏବଂ ରାହୁଲ ପାଖାପାଖି ଏକା ସମୟରେ ଓଡ଼ିଶା ଆସୁଥିବାରୁ ଓଡ଼ିଶାରୁ ଆଉ ୨୦୧୯ ନିର୍ବାଚନ ପ୍ରଚାର ଆରମ୍ଭ କି ବୋଲି ଆଲୋଚନା ହେଉଛି।ଅପରାଜିତା ଯେ ଜଣେ ସାଧାରଣ କର୍ମୀ ଭାବରେ ଦଳରେ ଯୋଗ ଦେଇଛନ୍ତି।ବୈଜୟନ୍ତ ପଣ୍ଡାଙ୍କ କଥା ମଧ୍ୟ ରହିଛି।ଜଣେ ସାଧାରଣ କର୍ମୀଙ୍କର ସେଦିନ ମଞ୍ଚ ଉପରେ ଅବସ୍ଥିତି,ଭୂମିକା ଏବଂ ମୋଦୀଙ୍କ ଆଭିମୁଖ୍ୟ ଅନେକ କିଛି କଥାକୁ ସ୍ପଷ୍ଟ କରାଇଦେବ।

ପୂର୍ବରୁ ଓଡ଼ିଶା ବିଜେପିରେ ଯେତେ ମିଶ୍ରଣ ଘଟିଛି ସବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ଭିତରେ।କିନ୍ତୁ ଏବେ ପ୍ରଥମ ଥର ଅପରାଜିତା ସିଧା କେନ୍ଦ୍ରୀୟ ଯୋଜନା ତଥା ମୋଦୀଙ୍କ ସମ୍ପର୍କରେ ବିଜେପିକୁ ଆସିଛନ୍ତି।ବୈଜୟନ୍ତ ତ’ ପୂର୍ବରୁ ସଂଘ,କେନ୍ଦ୍ରୀୟ ବିଜେପି ଏବଂ ମୋଦୀଙ୍କ ସମ୍ପର୍କରେ ଅଛନ୍ତି।ତେଣୁ ସେ ବି ଯଦି ଏବେ ଚାଲି ଆସନ୍ତି,ତେବେ ଓଡ଼ିଶା ବିଜେପିର ରୂପରେଖ,ସମୀକରଣ ପୁରା ବଦଳିଯିବ।ହୁଏତ ମୋଦୀଙ୍କର ଏବେକାର ଓଡ଼ିଶା ଗସ୍ତ ସେହି ଯୋଜନାର ରୂପରେଖ କାର୍ଯ୍ୟକାରୀ ପାଇଁ ଉଦ୍ଦିଷ୍ଟ ଥିବ!/ଦେବଦତ୍ତ