Odiapua.com

ବିଜେପି ଉପରେ ସୁବାସ ଚୌହାନଙ୍କ ସାଇଡ ଇଫେକ୍ଟ: ଚାଲିଯିବ ହାତରୁ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ!

ଭୁବନେଶ୍ୱର:ସୁବାସ ଚୌହାନଙ୍କ ଟିକେଟ କାଟିବା ବିଜେପିକୁ ମହଙ୍ଗା ପଡ଼ୁଛି।ବରଗଡ଼ ପାଇଁ ବିଜେପି ଟିକେଟ କଟିବା ପରେ ପ୍ରଥମରେ ତ’ ସୁବାସ ଚୌହାନ ବିଜେପିରୁ ଇସ୍ତଫା ଦେବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପୁରରେ ନବୀନଙ୍କ ବିରୋଧରେ ଲଢ଼ିବାକୁ ଆହ୍ୱାନ କରି ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଥିଲେ।ଏହାପରେ ତାଙ୍କର ବିଜେଡିର ଯୋଗଦାନ ଏବଂ ପରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସମେତ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଳପୁର, ଜିଲ୍ଲା ପାଇଁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଉ ପାଉ ବରଗଡରେ ବିଜେପିକୁ ଏକ ବଡ ଝଟକା ଲାଗିଛି।ବିଜେପି ଛାଡ଼ି ବିଜେଡି କ୍ୟାମ୍ପରେ ଏଣ୍ଟ୍ରି ମାରିଛନ୍ତି ଏକା ବେଳକେ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ।ଯାହା ବିଜେପି ଶିବିରରେ ଛନକା ପୂରାଇଛି।ଏହାପରେ ବରଗଡରେ ଜିଲ୍ଲା ପରିଷଦର ସ୍ଥିତି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି।ଏହା ଏବେ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଥିବା ବେଳେ ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହୋଇଛି।ବିଜେପି ଦଖଲରେ ଥିବା ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନକୁ ନେଇ ଏବେ ସସପେନ୍ସ ଦେଖାଦେଇଛି।

କୁହାଯାଉଛି,ଏହା ପଛର ମୁଖ୍ୟ ନାୟକ ସାଜିଛନ୍ତି ସୁବାସ ଚୌହାନ।ବିଜେଡିକୁ ଆସୁ ଆସୁ ଦେଖିବାକୁ ମିଳିଛି ସୁବାସ ଚୌହାନଙ୍କ ପ୍ରଭାବ।ସୁବାସଙ୍କ ପଛେ ପଛେ ଦଳ ଛାଡିଛନ୍ତି ୯ ଜିଲ୍ଲା ପରିଷଦ ସଦସ୍ୟ।ଆଉ ଏହି ଗୋଟିଏ ଝଟକାରେ ଭୁଷୁଡି ପଡିଛି ବିଜେପିର ବରଗଡ଼ ଦୁର୍ଗ।ସୁବାସଙ୍କୁ ଅସନ୍ତୁଷ୍ଟ କରିବା ଏବେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।ବରଗଡ଼ର ଯେଉଁ ପଞ୍ଚାୟତ/ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପି ମୈଦାନକୁ ଓହ୍ଲାଇବାକୁ ଯୋଜନା କରିଥିଲା ତାହାକୁ ପାଣିଚିଆ କରି ଦେଇଛନ୍ତି ସୁବାସ ଚୌହାନ।ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବରଗଡରେ ବୁଲି ବୁଲି ବିଜେପି ସଙ୍ଗଠନକୁ ସୁଦୃଢ଼ କରିଥିଲେ ସୁବାସ।ବରଗଡରେ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସୁବାସ ଚୌହାନ ଏଠାରେ ଜିଲ୍ଲା ପରିଷଦ କ୍ଷେତ୍ରରେ ପଦ୍ମ ଫୁଟାଇ ପାରିଥିଲେ।୩୪ଟି ଆସନ ମଧ୍ୟରୁ ୨୫ଟି ଆସନରେ ବିଜେପି ଜିତିଥିଲା।ମାତ୍ର ୯ଟି ଆସନରେ ଶାସକ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡିଥିଲା।ଆଉ ଏହାସହ ଜିଲ୍ଲା ପରିଷଦ ଦଖଲ କରିଥିଲା ବିଜେପି ।

କିନ୍ତୁ ଏବେ ସୁବାସ ବିଜେଡିରେ ଯୋଗ ଦେବା ପରେ ବରଗଡରେ ପୂରା ସମୀକରଣ ବଦଳିଯାଇଛି।୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଛାଡ଼ି ବିଜେପିରେ ଯୋଗଦେବା ଜିଲ୍ଳା ରାଜନୀତି ଉପରେ ବଡ ପ୍ରଭାବ ପକାଇଛି।୯ ଜଣ ସଦସ୍ୟ ବିଜେପିରୁ ଇସ୍ତଫା ଦେବା ପରେ ଏବେ ଦଳର ଜିଲ୍ଲା ପରିଷଦ ସଭ୍ୟ ସଂଖ୍ୟା ୧୬କୁ ଖସି ଆସିଛି।ସେହିଭଳି ଏହି ୯ ଜଣ ସଭ୍ୟ ବିଜେଡିରେ ଯୋଗ ଦେବା ପରେ ବିଜେଡିର ସଭ୍ୟ ସଂଖ୍ୟା ୧୮ରେ ପହଞ୍ଚିଛି।ଏହି ସମୀକରଣ ପରେ ଜିଲ୍ଲା ପରିଷଦ ଗଠନ ପାଇଁ ସଂଖ୍ୟା ଗଣିତରେ ପଛରେ ପଡି ଯାଉଛି ବିଜେପି।ଆଉ ବିଜେଡି ପାଇଁ ଜିଲ୍ଲା ପରିଷଦ ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।//ଦେବଦତ୍ତ