Odiapua.com

ଦକ୍ଷ ସଙ୍ଗଠକ : ସୁବାସ ଚୌହାନ

ଭୁବନେଶ୍ୱର:ଦକ୍ଷ ସଙ୍ଗଠକ,ସୁବାସ ଚୌହାନ।ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ରେ ଯୋଗ ଦେବା ପରେ ସେ ଜଣେ ପୂର୍ଣ୍ଣ କାଳୀନ କାର୍ଯ୍ୟକର୍ତ୍ତା ଭାବରେ ସଂଘର ପ୍ରଚାରକ ଭାବରେ କାମ କରିଥିଲେ।ସଂଘର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ସମାପ୍ତ କରିଥିବା ସୁବାସ ୧୯୯୫ ମସିହାରୁ ୨୦୦୦ ଯାଏଁ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଭାପତି ରୂପେ ଦାୟିତ୍ୱ ତୁଲାଇ ଥିଲେ।୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ସହ ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ଭାବରେ ଦାୟିତ୍ୱରେ ଥିଲେ।ସେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ପ୍ରାନ୍ତ ସଂଯୋଜକ ଭାବରେ ମଧ୍ୟ କିଛି ଦିନ ଦାୟିତ୍ୱ ତୁଲାଇଥିଲେ।ଏହାପରେ ୨୦୦୩ରେ ସେ ବିଶ୍ବହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ହେଲେ।ଏହି ଦାୟିତ୍ୱରେ ସେ ୨୦୦୬ ଯାଏଁ ରହିବା ପରେ ତାଙ୍କୁ କ୍ଷେତ୍ରୀୟ ସଂଯୋଜକ ଏବଂ ଏହାପରେ ରାଷ୍ଟ୍ରୀୟ ସହ ସଂଯୋଜକ ଦାୟିତ୍ୱ ଦିଆଗଲା।ଏସବୁ ଦାୟିତ୍ୱ ସଫଳତାର ସହ ତୁଲାଇବା ପରେ ୨୦୧୦ରେ ତାଙ୍କୁ ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ ଦାୟିତ୍ୱ ଦିଆଗଲା।ଏହାପରେ ସେ ହଠାତ ରାଜନୀତିକୁ ଆସି ୨୦୧୪ରେ ଭାଜପାରୁ ବରଗଡ଼ ଲୋକସଭା ଆସନ ପାଇଁ ପାର୍ଥି ହେଲେ।ତେବେ ସେ ଏହି ନିର୍ବାଚନ ୧୧,୧୭୮ ଖଣ୍ଡ ଭୋଟ ବ୍ୟବଧାନରେ ହାରିଯାଇଥିଲେ।

ପ୍ରଥମ ଥର ନିର୍ବାଚନ ମୈଦାନକୁ ଓଲ୍ହାଇ ସାଂସଦ ପାଇଁ ସେ ଭଲ ଲଢ଼େଇ କରିଥିଲେ।୨୦୦୯ ତୁଳନାରେ ବିଜେପିର ଭୋଟ ପ୍ରତିଶତରେ ଯଥେଷ୍ଟ ବୃଦ୍ଧି ପାଇଥିଲା।ସୁବାସ ଚୌହାନ ୩,୭୨,୦୫୨ ଖଣ୍ଡ ଭୋଟ ପାଇ ଦୂତୀୟ ସ୍ଥାନରେ ଥିଲେ।ଭୋଟ ପ୍ରତିଶତ ତାଙ୍କର ଥିଲା ୩୩.୧୨%।ଯେତେବେଳେ କି ବିଜେଡିର ଡାଃ ପ୍ରଭାସ କୁମାର ସିଂହ ୩୪.୧୧% ଭୋଟ ପାଇ ନିର୍ବାଚନ ଜିତିଥିଲେ।ସେ ସର୍ବମୋଟ ୩,୮୩,୨୩୦ ଖଣ୍ଡ ଭୋଟ ପାଇଥିଲେ।ଏବଂ କଂଗ୍ରେସର ସଞ୍ଜୟ ଭୋଇ ୨,୭୪,୬୧୦ ଖଣ୍ଡ ଭୋଟ ପାଇ ୨୪.୪୪% ହାରରେ ତୃତୀୟ ସ୍ଥାନରେ ଥିଲେ।ଏହା ବାଦେ ସେଠାରେ ପଶ୍ଚିମାଞ୍ଚଳ ବିକାଶ ପାର୍ଟି, ସିପିଆଇ,ଆପ,ବିଏସପି ଆଦି ନିର୍ବାଚନ ଲଢ଼ିଥିଲେ ମଧ୍ୟ ସେମାନଙ୍କର ଭୋଟ ହାର ଖୁବ୍ କମ ଥିଲା।ନୋଟାରେ ମଧ୍ୟ ୧.୨୯ % ହାରରେ ୧୪,୫୦୦ ଭୋଟ ପଡ଼ିଥିଲା।

୨୦୦୯ ନିର୍ବାଚନରେ ଏଠାରୁ କଂଗ୍ରେସ ଜିତିଥିଲା।ବିଜେଡି ପାର୍ଥି ଡା: ହମିଦ ହୁସେନ ଦୂତୀୟ ସ୍ଥାନରେ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ଥିଲା।ବିଜେପିର ପାର୍ଥି ଥିଲେ ଏବେକାର ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା।କଂଗ୍ରେସ ପାର୍ଥି ସଞ୍ଜୟ ଭୋଇ ନିର୍ବାଚନ ଜିତିଥିଲେ।କିନ୍ତୁ ୨୦୧୪ରେ ବିଜେଡି ଜିତିଥିବା ବେଳେ ସୁବାସ ଚୌହାନ ଭଲ ଲଢେ଼ଇ କରି କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପିକୁ ଦୂତୀୟ ସ୍ଥାନକୁ ନେଇ ଆସିଥିଲେ।ଭୋଟ ହାର ମଧ୍ୟ ଖୁବ୍ ଭଲ ଥିଲା।ବିଧାୟକ କଥା ଅଲଗା,ସାଂସଦ ପାଇଁ ୧୧,୧୭୮ ଭୋଟ ବ୍ୟବଧାନରେ ହାରିବା ପରବର୍ତ୍ତୀ ସମୟରେ ଏକ ସମ୍ଭାବନା ସୃଷ୍ଟି କରେ।

ବଜରଙ୍ଗ ଦଳରୁ ଆସି ସୁବାସ ଚୌହାନ ହଠାତ ବିଜେପିରୁ ଟିକେଟ ପାଇଥିଲେ।ରାଜ୍ୟ ସ୍ତରରେ ନୁହେଁ, କେନ୍ଦ୍ରୀୟ ସଂଘ ଏବଂ ବିଜେପି ଅଧିକାରୀମାନଙ୍କ ସହ ସୁସମ୍ପର୍କ କାରଣରୁ ଏବଂ ନିଜ ଦକ୍ଷତା ଯୋଗୁଁ ସୁବାସ ସିଧା ଦିଲ୍ଲୀରୁ ଟିକେଟ ନେଇ ଆସିଲେ ବୋଲି ଆଲୋଚନା ହୁଏ।

ଜଣେ ପ୍ରଚାରକ ତଥା ହିନ୍ଦୁ ଜାଗରଣ ସାମ୍ମୁଖ୍ୟ,ବଜରଙ୍ଗ ଦଳ ଆଦିରେ ଦୀର୍ଘ ଦିନ ହେଲା କାମ କରି ସୁବାସଙ୍କର କେବଳ ଯେ ବରଗଡ଼ ସଂସଦୀୟ କ୍ଷେତ୍ରରେ ନୁହଁ, ରାଜ୍ୟର ବିଭିର୍ଣ୍ଣ ଜିଲ୍ଲାରେ ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ସହ ତାଙ୍କର ସଂପର୍କ ଅଛି।କହିବାକୁ ଗଲେ ରାଜ୍ୟର କୋଣ ଅନୁକୋଣରେ ତାଙ୍କର ସଂପର୍କ ଏବଂ ସଙ୍ଗଠନ ରହିଛି।ସେ ରାଜ୍ୟ ରାଜନୀତିରେ ମଧ୍ୟ ଏକ ପରିଚିତ ଚେହେରା।ପ୍ରଖର ରାଷ୍ଟ୍ରବାଦୀ ତଥା ହିନ୍ଦୁବାଦୀ ଚେହେରା ହିସାବରେ ସେ ପରିଚିତ।୨୦୧୪ ନିର୍ବାଚନରେ ହାରିବା ପରେ ସୁବାସ ତାଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଏବେ ଆହୁରି ପ୍ରଖର କରିଦେଇଛନ୍ତି।ଆଗାମୀ ନିର୍ବାଚନରେ ବିଜେପିକୁ ସଫଳତା ଦେବାରେ ସୁବାସଙ୍କ ଠାରୁ ଏକ ବଡ଼ ଆଶା ରହିଛି।କିନ୍ତୁ ବିଡ଼ମ୍ବନାର ବିଷୟ ସୁବାସ ଚୌହାନ ଏବେ ରାଜ୍ୟ ବିଜେପିର କୌଣସି ସାଙ୍ଗଠନିକ ଦାୟିତ୍ୱରେ ନାହାଁନ୍ତି।ଯେତେବେଳେ କି ସାଙ୍ଗଠନିକ କ୍ଷମତା ସୁବାସ ଚୌହାନଙ୍କ ପାଖରେ ଭରି ହୋଇ ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରେ ତାଙ୍କର ସଂପର୍କ ଥିବା ସହ ସାଙ୍ଗଠନିକ ବ୍ୟୁହ ରଚନା ତାଙ୍କ ମସ୍ତିଷ୍କରେ ଅଛି।ସଙ୍ଗଠନ ଏନେଇ ତାଙ୍କୁ ଉପଯୋଗ କରିବାର ଥିଲା।ସେ ଯାହା ହେଉ,ଏବେ ସୁବାସ ତାଙ୍କର ସବୁ ଧ୍ୟାନ ବରଗଡ଼ ଉପରେ ହିଁ କେନ୍ଦ୍ରୀଭୂତ କରିଛନ୍ତି।ସଙ୍ଗଠନ କାମକୁ ଜୋରଦାର କରାଇଛନ୍ତି।ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ସୁସମ୍ପର୍କ ରଖିଛନ୍ତି।ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି।ପ୍ରତିପକ୍ଷ ବିଜେଡି ମଧ୍ୟ ବିଚଳିତ ଅଛି।ତେଣିକି ବାକି ରହିଲା ୨୦୧୯ ନିର୍ବାଚନ କ’ଣ ଫଳ ଦେଉଛି।/ଦେବଦତ୍ତ