ଭୁବନେଶ୍ୱର/ନୟାଗଡ଼: ନିକଟରେ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ନାଟୁଗାଁ’ରେ ଆୟୋଜିତ ହୋଇଥିଲା ଏକ ମିଶ୍ରଣ ପର୍ବ। ସାଙ୍ଗରେ ମଧ୍ୟ ଥିଲା ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍। ନୟାଗଡ଼ ବିଜେପି ନେତ୍ରୀ ଇରାଣୀ ରାୟ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଅତିଥି ଭାବରେ ଯୋଗ ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର। ଜଣେ ଓଡ଼ିଆ ସିରିଏଲ୍ ଅଭିନେତ୍ରୀ ମଧ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଉପସ୍ଥିତ ଥିଲେ ନୟାଗଡ଼ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାସ, ଯୁବ ମୋର୍ଚ୍ଚା ସଭାପତି ପୃଥ୍ୱୀରାଜ ଦଳବେହେରା ଏବଂ ସ୍ଥାନୀୟ ଜଣେ ଯୁବନେତା ବିନୋଦ କୁମାର ନାୟକ। ସ୍ମୃତି ଏବଂ କସ୍ତୁରୀଙ୍କୁ ଧରି ଇରାଣୀ ଖୋଲା ଜିପରେ ବୁଲାଇଲେ। ଉଭୟ ସ୍ମୃତି ଏବଂ କସ୍ତୁରୀ ଖୁବ୍ ଉତ୍ସାହିତ ଜଣା ପଡ଼ୁଥିଲେ। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି ପଟ୍ଟନାୟକ ଇରାଣୀ ରାୟଙ୍କର ଭୁୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସେପରି କୌଣସି ମହିଳା ସମାବେଶ ନଥିଲା। ମହିଳାଙ୍କ ସମ୍ବଦ୍ଧିତ କୌଣସି କାର୍ଯ୍ୟକ୍ରମ ମଧ୍ୟ ନଥିଲା। କିନ୍ତୁ ଇରାଣୀ ମହିଳା ମୋର୍ଚ୍ଚାର ଦୁଇ ଦୁଇ ଜଣ ନେତ୍ରୀଙ୍କୁ ନିମନ୍ତ୍ରିତ କରିଥିଲେ। ତେବେ, ନୟାଗଡ଼ ବିଜେପିର ଆଉ ଜଣେ ନେତ୍ରୀ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କିମ୍ବା ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପାଇଁ ପ୍ରତିନିଧିତ୍ୱ କରି ଆସୁଥିବା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ସେଠାକୁ ନିମନ୍ତ୍ରିତ କରାଯାଇ ନଥିଲା। ତେବେ, ଏହା ଏମିତି ଏକ ସାଧାରଣ ଘଟଣା ନଥିଲା। ବାସ୍ତବରେ ଏକ ଆଲୋଚନା ଚାଲିଛି, ନୟାଗଡ଼ ବିଜେପିରେ ଚାଲିଛି ପତି – ପତ୍ନୀ ପଲଟିକ୍ସ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପତି – ପତ୍ନୀ ଯୋଡ଼ି, ଲାଲା ମନୋଜ ରାୟ ଏବେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ଇରାଣୀ ରାୟ ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ଲଢ଼ିଥିଲେ ନିର୍ବାଚନ। ଏବେ ଇରାଣୀ ମଧ୍ୟ ଅଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା। ନିର୍ବାଚନ ମଣ୍ଡଳୀ ଉପରେ ପତି ପତ୍ନୀଙ୍କ ପୂରା କବ୍ଜା। ଯେମିତି ଚାହୁଁଛନ୍ତି ସେମିତି ଚଲାଉଛନ୍ତି। ଯାହାକୁ ଚାହୁଁଛନ୍ତି ତାକୁ ଗୁରୁତ୍ୱ ଦେଉଛନ୍ତି, ଯାହାକୁ ନ’ଚାହୁଁଛନ୍ତି ତାକୁ ଅଣଦେଖା କରୁଛନ୍ତି। କହିବାକୁ କେହି ନାହିଁ। କାରଣ ଏମାନେ ହେଲେ ମନ୍ତ୍ରୀଙ୍କ ପାଖ ଲୋକ।
-/DevDrath