Odiapua.com

ପ୍ରକୃତି ରାଣୀର ନିଖୁଣ କାରିଗରୀ ଲାଲ୍ ଟୁକୁଟୁକୁ ସାଧବବୋହୂ ..

ପ୍ରକୃତି ରାଣୀର ନିଖୁଣ କାରିଗରୀ ଲାଲ୍ ଟୁକୁଟୁକୁ ସାଧବବୋହୁ ନାମରେ ପରିଚିତ ଥିବା ଛୋଟ କୀଟଟିର ରୂପ ଲାବଣ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ। ଲାଲ୍ ଭେଲଭେଟର ମସୃଣ ଶରୀର ଧରିଥିବା ଲାଲ୍ ଟୁକୁଟୁକୁ ସାଧବବୋହୁ ଯେତେବେଳେ ସବୁଜ ଘାସଗାଲିଚା ଉପରେ ତାର ଲାଜକୁଳୀ ଚାଲି ଚାଲିଥାଏ ସେତେବେଳେ କବି ଆଉ ଲେଖକଙ୍କ କଲମରୁ ଝରିପଡ଼େ କେତେ ଯେ କବିତା। ପହିଲି ଆଷାଢ଼ର ପହିଲି ବରଷାଧାରା ମାଟିକୁ ସ୍ପର୍ଶ କରିବାପରେ ଧରଣୀରାଣୀର କୋଳରୁ ସୃଷ୍ଟି ହୁଏ ଏହି ସାଧବବୋହୂ। ବର୍ଷାଭିଜା ନରମ ମାଟିର ବାସନା ପାଇ ଧରଣୀରାଣୀର ବୁକୁଚିରି ନାଲିରଙ୍ଗର ପସରାଧରୀ ପଦାକୁ ଆସିଥାଏ ସାଧବବୋହୂ। ସାଧବବୋହୁର ସୌନ୍ଦର୍ଯ୍ଯ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ଦୁଆତର ରଙ୍ଗକୁ ଢାଳିଦେଇଛି ଏହି ସାଧବବୋହୂ ଉପରେ। ଓଡ଼ିଶାର ଗଣ ପର୍ବ ରଜରେ କେତେକ ସ୍ଥାନରେ ସାଧବ ବୋହୂର ପୂଜା କରାଯାଇଥାଏ। ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅମାନେ ସାଧବପୋକ ସଂଗ୍ରହ କରିଥାଆନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାଆନ୍ତି। ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସନ୍ଧିପଦ ପୋକ। ଏହି ପୋକର ରଙ୍ଗ ଗାଢ ସିନ୍ଦୂର ରଙ୍ଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିନ୍ଧି ସିନ୍ଦୂର ଲଗାଇଥିବା ଭଳି ଦିଶେ। ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ। ଏହି ଅମେରୁଦଣ୍ଡୀ ସନ୍ଧିପଦ ପ୍ରାଣୀ “ଆରକ୍ନିଡା” ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଙ୍କଡାବିଚ୍ଛା ତଥା ରାମଲେଖନୀ କଙ୍କଡା ଶ୍ରେଣୀଭୁକ୍ତ ହୋଇଥାନ୍ତି। ଏହାର ଆଠଟି ଗୋଡ଼ ଥାଏ। ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ଼ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ। ଏହାର ବୈଜ୍ଞାନିକ ନାମ ହେଲା Trombidiidae।ମାଈ ସାଧବ ବୋହୂଗୁଡ଼ିକ ଅଣ୍ଡିରା ସାଧବ ବୋହୂଙ୍କ ତୁଳନାରେ ଅଧାଅଧି ଆକାର ହୋଇଥାନ୍ତି। ପ୍ରାପ୍ତ ବୟସ୍କ ଏକ ସାଧବ ବୋହୂ ପ୍ରାୟ ଏକ ସେଣ୍ଟିମିଟର ଦୈର୍ଘ୍ୟ ଯାଏଁ ବଢିଥାନ୍ତି। ଏମାନଙ୍କ ମୁହଁରେ ଏପରି ଅଙ୍ଗପ୍ରତ୍ୟଙ୍ଗ ଯୋଡି଼ ହୋଇଥାଏ ଯାହା ଗଛପତ୍ରରୁ ରସ ଶୋଷିବା ତଥା ପତ୍ର କାଟିବା କାର୍ଯ୍ୟରେ ଲାଗିଥାଏ। ଗୋଡ଼ ଗୁଡ଼ିକ ମାଟି ତାଡି଼ବା ତଥା ଠେଲାପେଲା କାମରେ ଲାଗିଥାଏ। ସାଧବ ବୋହୂଟିଏ ଯେତେବେଳେ ଅଣ୍ଡାରୁ ଜନ୍ମ ନିଏ, ସେତେବେଲେ ସେମାନଙ୍କ ରଙ୍ଗ ଫିକା ନାଲି ରଙ୍ଗ ଥାଏ ଓ ପରେ ଧିରେ ଧିରେ ଗାଢ ନାଲି ରଙ୍ଗ ଆସିଥାଏ। କେବଳ ବର୍ଷାଋତୁ ଆରମ୍ଭରେ ଏମାନେ ଦିନ ବେଳା ଘାସ ଉପରେ ଦେଖାଯାଇଥାନ୍ତି। ଏମାନେ ସାଧରଣତଃ ଜଙ୍ଗଲିଆ ବାଲିଆ ମାଟିରେ ରହନ୍ତି। ବର୍ଷର ଅଧିକାଂଶ ସମୟ ଏମାନେ ମାଟି ତଳେ ରୁହନ୍ତି ଓ ବର୍ଷା ହେଲେ ବାହାରକୁ ଆସନ୍ତି। ସେତିକି ବେଳେ ଏମାନେ ଖାଦ୍ୟ ଖୋଜନ୍ତି ଓ ପ୍ରଜନନ କରିଥାଆନ୍ତି। ସାଧବବୋହୂ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ। ମାଟିରେ ମିଶି ରହିଥିବା ସାଧବବୋହୂର ଅଣ୍ଡା ବର୍ଷା ଜଳ ଓ ଅନୁକୂଳ ତାପମାତ୍ରାରେ ମିଳିଲେ ଛୁଆ ଫୁଟେ। ବର୍ତ୍ତମାନ ଅନୁକୂଳ ପରିବେଶର ଅଭାବ ଯୋଗୁଁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ। ଆଜିର ଆଧୁନିକ ଯୁଗରେ ମାତ୍ରାଧିକ ପରିମାଣର କୀଟନାଶକ ଓ ରାସାୟନିକ ସାରର ପ୍ରୟୋଗ ,କଳକାରଖାନାରୁ ନିର୍ଗତ ବିଭିନ୍ନ ରାସାୟନିକ ବର୍ଜ୍ୟବସ୍ତୁ ଓ ଅସ୍ବାଭାବିକ ପରିବେଶ ପ୍ରଦୂଷଣ କାରଣରୁ ସାଧବବୋହୂ ବଂଶ ଲୋପ ପାଇବାକୁ ବସିଲାଣି। ଏମାନେ ବର୍ଷକୁ ଥରେ ଅଣ୍ଡା ଦେଇଥାନ୍ତି। ସ୍ୱଳ୍ପ ମାତ୍ରାରେ ଅଣ୍ଡାଦେବା ଏମାନଙ୍କ ବିଲୁପ୍ତିର ଅନ୍ୟ ଏକ କାରଣ ଭାବରେ ବିବେଚନା କରାଯାଏ। ସାଧବବୋହୂର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ମୃତ ସାଧବବୋହୂକୁ ଖରାରେ ଶୁଖାଇ ଛତିଶଗଡ଼ ରାଜ୍ୟର ଲୋକେ ଏକ ତେଲ ପ୍ରସ୍ତୁତ କରନ୍ତି। ଯାହା ପକ୍ଷାଘାତ ରୋଗ ପାଇଁ ଧନ୍ବନ୍ତରୀ ଔଷଧ ଭାବରେ ବିବେଚନା କରାଯାଏ।
– ହରପ୍ରିୟା ସାହୁ
ଏମ୍ ଟେକ୍ ଇନ୍ ସିଭିଲ୍ ଇଞ୍ଜିନିୟରିଂ