ପ୍ରକୃତି ରାଣୀର ନିଖୁଣ କାରିଗରୀ ଲାଲ୍ ଟୁକୁଟୁକୁ ସାଧବବୋହୁ ନାମରେ ପରିଚିତ ଥିବା ଛୋଟ କୀଟଟିର ରୂପ ଲାବଣ୍ୟ ସମସ୍ତଙ୍କୁ ବିମୋହିତ କରିଥାଏ। ଲାଲ୍ ଭେଲଭେଟର ମସୃଣ ଶରୀର ଧରିଥିବା ଲାଲ୍ ଟୁକୁଟୁକୁ ସାଧବବୋହୁ ଯେତେବେଳେ ସବୁଜ ଘାସଗାଲିଚା ଉପରେ ତାର ଲାଜକୁଳୀ ଚାଲି ଚାଲିଥାଏ ସେତେବେଳେ କବି ଆଉ ଲେଖକଙ୍କ କଲମରୁ ଝରିପଡ଼େ କେତେ ଯେ କବିତା। ପହିଲି ଆଷାଢ଼ର ପହିଲି ବରଷାଧାରା ମାଟିକୁ ସ୍ପର୍ଶ କରିବାପରେ ଧରଣୀରାଣୀର କୋଳରୁ ସୃଷ୍ଟି ହୁଏ ଏହି ସାଧବବୋହୂ। ବର୍ଷାଭିଜା ନରମ ମାଟିର ବାସନା ପାଇ ଧରଣୀରାଣୀର ବୁକୁଚିରି ନାଲିରଙ୍ଗର ପସରାଧରୀ ପଦାକୁ ଆସିଥାଏ ସାଧବବୋହୂ। ସାଧବବୋହୁର ସୌନ୍ଦର୍ଯ୍ଯ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ଦୁଆତର ରଙ୍ଗକୁ ଢାଳିଦେଇଛି ଏହି ସାଧବବୋହୂ ଉପରେ। ଓଡ଼ିଶାର ଗଣ ପର୍ବ ରଜରେ କେତେକ ସ୍ଥାନରେ ସାଧବ ବୋହୂର ପୂଜା କରାଯାଇଥାଏ। ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅମାନେ ସାଧବପୋକ ସଂଗ୍ରହ କରିଥାଆନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାଆନ୍ତି। ସାଧବ ବୋହୂ ଏକ ନାଲି ରଙ୍ଗର ଛୋଟ ସନ୍ଧିପଦ ପୋକ। ଏହି ପୋକର ରଙ୍ଗ ଗାଢ ସିନ୍ଦୂର ରଙ୍ଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିନ୍ଧି ସିନ୍ଦୂର ଲଗାଇଥିବା ଭଳି ଦିଶେ। ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ। ଏହି ଅମେରୁଦଣ୍ଡୀ ସନ୍ଧିପଦ ପ୍ରାଣୀ “ଆରକ୍ନିଡା” ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଙ୍କଡାବିଚ୍ଛା ତଥା ରାମଲେଖନୀ କଙ୍କଡା ଶ୍ରେଣୀଭୁକ୍ତ ହୋଇଥାନ୍ତି। ଏହାର ଆଠଟି ଗୋଡ଼ ଥାଏ। ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ଼ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ। ଏହାର ବୈଜ୍ଞାନିକ ନାମ ହେଲା Trombidiidae।
– ହରପ୍ରିୟା ସାହୁ
ଏମ୍ ଟେକ୍ ଇନ୍ ସିଭିଲ୍ ଇଞ୍ଜିନିୟରିଂ
ପ୍ରକୃତି ରାଣୀର ନିଖୁଣ କାରିଗରୀ ଲାଲ୍ ଟୁକୁଟୁକୁ ସାଧବବୋହୂ ..
