Odiapua.com

ସାବାସ୍ !

ରାତି ଦୁଇଟା ହେଲାଣି, ଶୋଇ ପଡ଼। କଲି ସକାଳୁ ଯିବା ଡାକ୍ତର ପାଖକୁ। ସବୁ ଠିକ ହୋଇଯିବ। ଏତିକି କହି, ହରିହର କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କଲା। ହେଲେ ଆଖିରେ ନିଦ କାଇଁ। ମାସେ କାଳ ହେଲାଣି ଆଜି ଯିବା କାଲି ଯିବା କହି କହି ସ୍ତ୍ରୀକୁ ବୁଝେଇ ସୁଝେଇ ଦିନ ଗଡ଼ଉଛି। ହେଲ ଲାଗୁଛି ଆଉ ହବନି, କାଲି ଡାକ୍ତର ପାଖକୁ ଯିବାକୁ ପଡ଼ିବ। ତା’ର ଏ କଷ୍ଟ ଆଉ ଦେଖି ହବନି। ହେଲେ ଡାକ୍ତର ପାଖକୁ ଯାଇ କହିବ କଣ। ମାସେ ତଳେ ତଳେ ଯାଇଥିଲେ ସ୍ୱାମୀ ସ୍ତ୍ରୀ ଡାକ୍ତର ପାଖକୁ। ପେଟରେ ଟ୍ୟୁମର ହୋଇଛି। ଅପରେସନ୍‌କରିବାକୁ ପଡ଼ିବ। କମ ସେ କମ ଟଙ୍କା ପାଞ୍ଚ ହଜାର ଲୋଡ଼ା ଅପରେସନ୍‌ପାଇଁ। ଡାକ୍ତରଙ୍କ ଏତିକି କଥା ଶୁଣି ହରିହରର ଗୋଡ଼ ତଳୁ ଯେମିତ ମାଟି ଧସିଗଲା। କେଉଁଠୁ ଆସିବ ଏତେ ପଇସା। ଦିନେ ମଜୁରୀ ଖଟିବାକୁ ନଗଲେ, ଦୁଇ ଜଣଙ୍କ ପେଟ ପୁରେ ନାହିଁ। ଏମିତିକା ଦିନରେ ପୁଣି ପାଞ୍ଚ ହଜାର। ହଉ ପଇସା ଯୋଗାଡ଼ କରି ଆସିବୁ କହି, ଫେରି ଆସିଥିଲେ ଡାକ୍ତରଙ୍କ ପାଖରୁ। କିଛି ତ ଗୋଟେ କରିବାକୁ ପଡ଼ିବ, ନହେଲେ ଜୀବନଟା ତାର ଆଉ ରହିବନି। ଏମିତି ଭାବୁ ଭାବୁ କାଉ ରାବ ଶୁଭିଲା। ହରିହର ଆଉ ଶୋଇବ କ’ଣ ବାହାରିଲା ଭୋର ସକାଳୁ ସକାଳୁ ଗାଁର ସାହୁ ବାବୁଙ୍କ ଘରକୁ। ଏବେଳାରେ ସେ ହିଁ ସାହାରା। କଣ ନାହିଁ ତାଙ୍କର, ସେ ଯଦି ଚାହିଁବେ ମୋ ସ୍ତ୍ରୀ ଜୀବନଟା ବଞ୍ଚିଯିବ।

ପହଞ୍ଚି ଗଲା, ସାହୁ ବାବୁଙ୍କ ଘର ଆଗେ। କଣ୍ଠରୁଦ୍ଧ ସ୍ୱରରେ ବଖାଣି ଗଲା ତା ଦୁଃଖ ଆଉ କାକୁତି ମିନତି ହୋଇ ଟଙ୍କା ପାଞ୍ଚ ହଜାର ଉଧାରି ମାଗିଲା। ସାହୁ ବାବୁ ଦାନ୍ତ କାଠିଟା ଚୋବେଇ ଚୋବେଇ କହିଲେ, କିରେ ଏକକାଳୀନ ପାଞ୍ଚ ହଜାର ଦେଖିଛୁ କେବେ। ଶୁଝିବୁ କେମିତି। ସାହୁ ବାବୁ ଠିକ୍‌ଜାଣିଥିଲେ। ଏତ ହେଉଛି ମଉକା, ଏଇଟା କଣ ନୂଆ କଥା ତାଙ୍କ ପାଇଁ। ଆଉ କଥା ବୁଲେଇ ବଙ୍କେଇ ନକହି ସିଧା ଅସଲ କଥାଟି କହିଲେ ହରିହରକୁ। ତୋ ବିପିଏଲ୍ କାର୍ଡ‌ଟି ଆଣି ରଖି ଦେଇଯା, ଯେବେ ପଇସା ହେବ, ଆସି ନେଇଯିବୁ। ନାଁ, କଣ କହୁଛୁ। ହରିହର ପାଖେ କିଛି ଉପାୟ ନଥିଲା। ଏକା ନିଶ୍ୱାସରେ ଘରକୁ ଦଉଡ଼ିଲା। କାର୍ଡ୍‌ଟି ଆଣି ଟଙ୍କା ପାଞ୍ଚ ହଜାର ନେଇ ବାହାରିଲା ଡାକ୍ତରଖାନାକୁ। ଯାହା ହେଉ ଜୀବନଟା ରହିଗଲା ତା ସ୍ତ୍ରୀ ର। ସୁସ୍ଥ ହୋଇ ଫେରିଲା ଡାକ୍ତରଖାନାରୁ।

ସ୍ୱାମୀ ସ୍ତ୍ରୀ ଦୁଇଜଣ ମଜୁରୀ କରି ଯାହା ଯେମିତ ହେଉ ଦୁଃଖେ ସୁଖେ ଚଳି ଯାଉଥିଲେ ଦୁଇ ପ୍ରାଣୀ। ଏବେଳାରେ ଆସିଲା କରୋନା। ଲୋକଙ୍କୁ ଲୋକ ଡରିଲେ। କାମ ଧନ୍ଧା ବନ୍ଦ। ସରକାରଙ୍କ ନିର୍ଦ୍ଦେଶ ଘର ଭିତରେ ରହିବ। ପୁଣି ଚଡ଼କ ପଡ଼ିଲା ହରିହର ମୁଣ୍ଡରେ। ଏବେ ଚଳିବେ ବା କେମିତି। ଦୁଇପ୍ରାଣୀ ଖାଇବେ କଣ। କାର୍ଡ୍‌ଟି ଥିଲେ କଣ୍ଟ୍ରୋଲ୍‌ରୁ କିଛି ମିଳି ଯାଇଥାଆନ୍ତା। ଏବେ ତ ସେ ରାସ୍ତା ବି ବନ୍ଦ। ଖବରଟି ପାଇ ଜଣେ ସାମ୍ବାଦିକ ଘଟଣାଟିକୁ ଏକ ନ୍ୟୁଜ୍‌ଚ୍ୟାନେଲ୍‌ରେ ପ୍ରସାରଣ କରିଦେଲେ। ଆରମ୍ଭ ହୋଇଗଲା, ତନା ଘନା। ବଡ଼ବାବୁଙ୍କ ନିର୍ଦ୍ଦେଶରେ ଅଫିସର ଆସିଲେ ଘଟଣାଟି କଣ ବୁଝିବାକୁ। କାଇଁ କିଛି ନାହିଁ ତ। ସବୁ ଠିକ୍‌ଠାକ୍‌। କେହି ଗରୀବ ଏଠି ଭୋକରେ ଶୋଉ ନାହାଁନ୍ତି। ସରକାର ଗରୀବଙ୍କ ପାଇଁ କେତେଯେ ଯୋଜନା କରି ତାଙ୍କ ସୁଖ ଦୁଃଖରେ ସାଥିରେ ଅଛନ୍ତି। ଆଉ ତାର ତଦାରଖ କରୁଛନ୍ତି ଖୋଦ ଏ ସରକାରୀ ଅଫିସର୍। ସେ ଥାଉ ଥାଉ ପୁଣି ଏତେବଡ ବେନିୟମୀ କାମ ହେଇଯିବ। ଏ ମିଡ଼ିଆ ବାଲାଗୁଡ଼ାକ ନିହାତି ବାଜେ ଲୋକ। ସଜ ମାଛରେ ପୋକ ପକେଇ ଦେବେ। ସରକାରୀ ବାବୁ ଜଣକ ହରିହରକୁ ତା ହାତରେ ବିପିଏଲ୍‌କାର୍ଡ୍‌ଟି ଧରେଇ ସବୁ ବୁଝେଇ ଦେଲେ। କାର୍ଡ୍‌ଟି କାହାକୁ ହସ୍ତାନ୍ତର ନକରିବାକୁ ପରା ସରକାର ଲେଖିଛନ୍ତି ଏ କାଗଜରେ। ନିଜେ ନଗଲେ କଣ୍ଟ୍ରୋଲ୍‌ବାଲା ଚାଉଳ, ଚିନି କିଛି ଦେବେନି। ତୁମ କାର୍ଡ୍ ନେଇ ଆଉ କିଏ କଣ କରିବ। ହରିହର ସବୁ ବୁଝିଗଲା ପରି ମୁଣ୍ଡଟି ଟୁଙ୍ଗାରି ଦେଲା। ଅଫିସର ବାବୁଜଣକ ଆସି ରିପୋର୍ଟ୍‌କରିଦେଲେ ଅଫିସ୍‌ରେ। ସାର୍‌ସବୁ ବେକାର କଥା, ଏଠି ପୁରା ରାମ ରାଜ୍ୟ ଚାଲିଛି। ଏଇ ଦେଖୁ ନାହାଁନ୍ତି ଭିଡ଼ିଓ। ଆପଣ ଥାଉ ଥାଉ ପୁଣି ଏମିତିଆ କେଳେଙ୍କାରୀହୋଇଜିବ ନା। ଭିଡ଼ିଓଟି ଦେଖି ବଡ଼ବାବୁଙ୍କ ପାଟିରୁ ବାହାରିଲା ସାବାସ୍‌। ବଡ଼ବାବୁ, ଅଫିସର, ଗାଁ ଲୋକେ, ସାହୁବାବୁ ସମସ୍ତେ ଖୁସ୍‌।

ଆଉ ହରିହର। ତାର କଣ ଦୁଃଖ। ସରକାର ବିପିଏଲ୍‌କାର୍ଡ୍ ଦେଇଛନ୍ତି। ସେ ନଗଲେ କଣ୍ଟ୍ରୋଲ୍‌ବାଲା ଚାଉଳ ଦେଉନାହାଁନ୍ତି। ବାଟମାରଣାର ଭୟ କେଉଁଠି। କାଗଜ ପତ୍ରରେ ରାମ ରାଜ୍ୟର ପ୍ରଚାର। ରାମ ରାଜ୍ୟରେ ପୁଣି ପ୍ରଜାର ଦୁଃଖ। ତା’ ହକ୍‌ତାକୁ ସବୁ ମାସରେ ମିଳୁଛି। ସେତ ସବୁଠୁ ବେଶି ଖୁସିରେ। ହେଇ ଦେଖୁନାହାଁନ୍ତି ଭିଡ଼ିଓ।

ବୁଢ଼ା କଲମ
ଇମେଲ୍‌- budhakalama@gmail.com