ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ। ଶ୍ରୀକୃଷ୍ଣଙ୍କ ରୁପଗୁଣର ବର୍ଣ୍ଣନା ଶୁଣି ରୁକ୍ମଣୀ ତାଙ୍କୁ ନଦେଖି ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟା ହେଲେ ଏବଂ ମନେ ମନେ କୃଷ୍ଣଙ୍କୁ ପତିରୂପେ ବରଣ କଲେ। ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ ପ୍ରତି ଆସକ୍ତ ଥିଲେ।
ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ୱାରିକା ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତା ତଥା ବିଦର୍ଭର ରାଜା ଭୀଷ୍ମକଙ୍କୁ ଅନୁଗ୍ରହ କଲେ। ପିତା ଭୀଷ୍ମକ ରାଜି ଥିଲେ ମଧ୍ୟ ଭୀଷ୍ମକଙ୍କ ପୁତ୍ର ତଥା ରୁକ୍ମିଣୀଙ୍କ ଭାଇ ରାଜକୁମାର ରୁକ୍ମୀ ଏହାକୁ ବିରୋଧ କଲେ। ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ। ଶିଶୁପାଳଙ୍କ ସହିତ ବିବାହ ସ୍ଥିର ହେଉଥିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ପ୍ରେମପତ୍ର ପଠାଇ ତାଙ୍କୁ ନେଇଯିବା ପାଇଁ ନିବେଦନ କଲେ।
ରୁକ୍ମଣୀ ତାଙ୍କ ପ୍ରେମ ପତ୍ରରେ ଲେଖିଥିଲେ
“ହେ ନନ୍ଦ- ନନ୍ଦନ। ଆପଣଙ୍କୁ ହିଁ ପତି ରୂପରେ ବରଣ କରିଛି। ମୁଁ ଆପଣଙ୍କ ବ୍ୟତିତ ଅନ୍ୟ କୌଣସି ପୁରୁଷ ସହିତ ବିବାହ କରି ପାରିବି ନାହିଁ। ମୋ ପିତା ମୋ ଇଛା ବିରୋଧରେ ଶିଶୁପାଳ ସହିତ ମୋର ବିବାହ କରିବାକୁ ଚାହୁଁଛନ୍ତି। ବିବାହର ତିଥି ମଧ୍ୟ ସ୍ଥିର ହୋଇଯାଇଛି। ଆମ କୂଳ ରୀତି ଅନୁଯାୟୀ ବିବାହ ପୂର୍ବରୁ କନ୍ୟାକୁ ନଗର ବାହାରେ ଥିବା ଗିରିଜା ଦର୍ଶନ ନିମନ୍ତେ ଯିବାକୁ ପଡ଼ିଥାଏ। ମୁଁ ମଧ୍ୟ ନବବଧୂ ବେଶରେ ସଜ୍ଜିତ ହୋଇ ଗିରିଜା ମନ୍ଦିର ଦର୍ଶନ ନିମନ୍ତେ ଯିବି। ମୁଁ ଚାହୁଁଛି, ଆପଣ ଗିରିଜା ମନ୍ଦିର ପହଞ୍ଚି ମତେ ପତ୍ନୀ ରୂପରେ ସ୍ୱୀକାର କରନ୍ତୁ। ଯଦି ଆପଣ ନ’ପହଞ୍ଚନ୍ତି, ତେବେ ମୁଁ ମୋର ପ୍ରାଣ ତ୍ୟାଗ କରିଦେବି।”
ରୁକ୍ମିଣୀ ବିବାହ; ରୁକ୍ମିଣୀ ହରଣ ଏକାଦଶୀ: କିପରି ହୋଇଥିଲା ରୁକ୍ମିଣୀଙ୍କ ହରଣ ..