ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ତିନି ଦିବସୀୟ ଅଖିଳ ଭାରତୀୟ ସମନ୍ୱୟ ବୈଠକ ରାଜସ୍ଥାନର ପୁଷ୍କରରେ ଅନୁଷ୍ଠିତ ହେବ।ସେପ୍ଟେମ୍ବର ୭ ତାରିଖରେ ବୈଠକ ଆରମ୍ଭ ହୋଇ ୧୧ ତାରିଖରେ ସମାପନ ହେବ।ବୈଠକରେ ଯୋଗ ଦେବା ପାଇଁ ସରସଂଘଚାଳକ ମୋହନ ଭାଗବତ ପୁଷ୍କରରେ ପହଁଚି ସାରିଛନ୍ତି।ଏହି ଅବସରରେ ସଂଘ ପ୍ରମୁଖ ଭାଗବତ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥିତ ରହିବେ।ବୈଠକରେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ମଣ୍ଡଳର ସଦସ୍ୟ ଏବଂ ଭାଜପା ସମେତ ସାମାଜିକ ଜୀବନରେ ବିବିଧ କ୍ଷେତ୍ରରେ କାମ କରୁଥିବା ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ମଜଦୂର ସଂଘ ଆଦି ସଙ୍ଗଠନର ୩୦ରୁ ଉର୍ଦ୍ଧ୍ବ ବିବିଧ କ୍ଷେତ୍ରର ପ୍ରାୟ ୨୦୦ ବରିଷ୍ଠ ଅଧିକାରୀ ଯୋଗଦେବେ।ବୈଠକରେ ସାମାଜିକ, ଧାର୍ମିକ, ରାଜନୈତିକ, ଆର୍ଥିକ, ଶୈକ୍ଷିକ, କୃଷି, ପର୍ଯ୍ୟାବରଣ, ଜଳ ସଂରକ୍ଷଣ ସମେତ ଅନ୍ୟ ବିଷୟ ଉପରେ ଚର୍ଚ୍ଚା ଆଲୋଚନା ହେବ।ବିବିଧ କ୍ଷେତ୍ରରେ କାମ କରୁଥିବା ସଙ୍ଗଠନ କାର୍ଯ୍ୟକର୍ତ୍ତା ନିଜ ଅନୁଭବ, ବିଚାର ଏବଂ ଉପଲବ୍ଧ ପ୍ରକାଶ କରିବେ।ସଂଘ ତଥା ସଂଘର ବିବିଧ କ୍ଷେତ୍ର ପାଇଁ ଅଖିଳ ଭାରତୀୟ ସମନ୍ୱୟ ବୈଠକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ବୈଠକରେ ଆଲୋଚ୍ୟ ପ୍ରସ୍ତାବ ଗୁଡ଼ିକୁ ସଂଘ ଏବଂ ବିବିଧ କ୍ଷେତ୍ର ନିଜ ନିଜ ସ୍ତରରେ ସାମାଜିକ କ୍ଷେତ୍ରରେ କାର୍ଯ୍ୟକାରୀ କରନ୍ତି।//ଦେବଦତ୍ତ ରଥ
୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା