Odiapua.com

ଅଞ୍ଜଳି ପଣ୍ଡାଙ୍କ କବିତା ସଙ୍କଳନ‘ହିରଣ୍ମୟୀ ହିମାଦ୍ରି’ଉଦଘାଟିତ

ବାଲେଶ୍ୱର, ୧୭ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରର ବିଶିଷ୍ଟ ସମାଜସେବୀ ତଥା କବୟିତ୍ରୀ ଅଞ୍ଜଳି ପଣ୍ଡାଙ୍କ ତୃିତୀୟ କବିତା ସଂକଳନ ‘ହିରଣ୍ମୟୀ ହିମାଦ୍ରି’ ସହରର ମଲ୍ଲିକାଶପୁରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ରବିବାରରେ ଲୋକାର୍ପିତ ହୋଇଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମନ୍ୱିତ ଭାଷା ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର ମେହେର ଏଥିରେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିବା ସହିତ ଶ୍ରୀମତୀ ପଣ୍ଡାଙ୍କ କବି ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ। ଅକ୍ଷାଂଶ ପ୍ରକାଶନୀର ସମ୍ପାଦକ ଡ. ହରିଶ୍ଚନ୍ଦ୍ର ବେହେରା ଏଥିରେ ମୁଖ୍ୟଅତିିଥି ଭାବେ ଯୋଗଦେଇ କବିତା ସଂକଳନର ଭାବଗର୍ଭକ ବିଷୟବସ୍ତୁ ଓ ଶବ୍ଦ ସଂଯୋଜନା ବେଶ୍ ଉଚ୍ଚକୋଟୀର ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ। ଫକୀର ମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ପ୍ରଫେସର ରବିନାରାୟଣ ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥାରେ ନାରୀଙ୍କ ଦୃଷ୍ଟିଭଙ୍ଗୀକୁ ନେଇ କବି ଶ୍ରୀମତୀ ପଣ୍ଡାଙ୍କ ଲେଖନୀ ଶୈଳୀ ଅତ୍ୟନ୍ତ ଶିକ୍ଷଣୀୟ ହୋଇପରିଛି ବୋଲି କହିଥିଲେ। ନାରୀବାଦ ଓ ନାରୀବୋଧ ମଧ୍ୟରେ ସନ୍ତୁଳନ ରକ୍ଷା ପୂର୍ବକ କବିଙ୍କ ଦୃଷ୍ଟିଭଙ୍ଗୀ ସମ୍ବଳିତ ଲେଖା ସମାଜକୁ ଦିଗଦର୍ଶନ ଦେବାରେ ସଫଳ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରୀଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ଦୀପକ ବୋଷ ପ୍ରାକ୍ କଥା ରଖିଥିଲେ। କବିତା ସଂକଳନର ରଚୟିତା କବି ଅଞ୍ଜଳି ପଣ୍ଡା ଏଥିରେ ମଞ୍ଚାସୀନ ନିଜର ଲେଖକୀୟ ଅଭିଜ୍ଞତା ଓ ଅନୁଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ନିଜ ବିବାହର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାମୀ ଶିଳ୍ପୋଦ୍ୟାଗୀ ସୁଧାସିନ୍ଧୁ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏହି କବିତା ସଙ୍କଳନ ସେ ଉତ୍ସର୍ଗ କରିଥିବା ଶ୍ରୀମତୀ ପଣ୍ଡା କହିଥିଲେ। ପୂର୍ବରୁ କବିତା ସଙ୍କଳନ ‘ସାରା ଆକାଶ’ ଓ ‘ଚିରନ୍ତନ ଅନ୍ୱେଷା’, ଗଳ୍ପ ସଙ୍କଳନ ‘ଝରାପାତ୍ରର ଶୋକ’ ଓ ‘ପ୍ରବାସୀ ପକ୍ଷୀ’ ଏବଂ ଏକ ଭ୍ରମଣ କାହାଣୀ ‘ପରିଭ୍ରମଣ – ଇଂଲଣ୍ଡ ରୁ ସୁଇଜରଲାଣ୍ଡ’ ପ୍ରକାଶିତ ହୋଇଥିବା ସେ ସୂଚନା ଦେଇଥିଲେ। ଶିଳ୍ପୋଦ୍ୟୋଗୀ ଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିବାହର ୫୦ ବର୍ଷ ମଧ୍ୟରେ ପାରିବାରିକ ଦାୟିତ୍ୱ ସମ୍ପନ୍ନ ସହ ବ୍ୟବସାୟ, ସମାଜସେବା ଓ ସାହିତ୍ୟ ସାଧନା କ୍ଷେତ୍ରରେ ଶ୍ରୀମତୀ ପଣ୍ଡା ଜଣେ ସଫଳ ବ୍ୟକ୍ତିତ୍ୱର ପରିଚୟ ଦେଇପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଡ. ସାରଙ୍ଗଧର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କବି, ଗାଳ୍ପିକ, ଲେଖକ, ସମାଜସେବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।