Odiapua.com

ବିଶ୍ୱ ମହିଳା ଦିବସ ଅବସରରେ ମହିଳା ମୋର୍ଚ୍ଚାର ପଦଯାତ୍ରା: ନବୀନ ସରକାରକୁ ଆକ୍ଷେପ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଅବସରରେ ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏକ ପଦଯାତ୍ରା ରାଜ୍ୟ କାର୍ଯ୍ୟାଳୟରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଅନୁଷ୍ଠିତ ସଭାରେ ବିଜେପି ନେତ୍ରୀବୃନ୍ଦ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ ଦୃଢ଼ ବିରୋଧ କରିବା ସହ ମହିଳା ସଶକ୍ତୀକରଣ ପାଇଁ ମୋଦୀ ସରକାର ପଠାଉଥିବା ଅର୍ଥକୁ ଶାସକ ବିଜେଡି ଦଳ ନିଜ ଦଳୀୟ ଅଭିବୃଦ୍ଧି ପାଇଁ ବ୍ୟବହାର କରୁଥିବାରୁ ଘୋର ନିନ୍ଦା କରିଥିଲେ। ଏହି ଅବସରରେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ ଯୋଗ ଦେଇଥିଲେ।

ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବା ୫ଟି ପ୍ରଶ୍ନ ଯଥା: ମୁଖ୍ୟମନ୍ତ୍ରୀ ନିଜର ୨୧ ବର୍ଷ ଶାସନକାଳ ସମୟରେ କେତେ ମହିଳାଙ୍କ କୋଳ ଖାଲି କରିଛନ୍ତି? କେତେ ସଂଖ୍ୟାରେ ନାବାଳିକାଙ୍କ ବଳାତ୍କାର ଏବଂ ହତ୍ୟା ହୋଇଛି? ଦାଦନ ଖଟିବାକୁ କେତେ ଲକ୍ଷ ଓଡ଼ିଆ ପୁଅ ବାହାରକୁ ଯାଇଛନ୍ତି ଓ ଏହି କାରଣରୁ କେତେ ମା’ଙ୍କ ଆଖିରୁ ଲୁହ ଝରୁଛି? ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଦଳୀୟ ଆଧାରରେ ହୋଇଛି ନାଁ ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି? ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଲକ୍ଷ୍ୟ କେବଳ ଭୋଟ ବ୍ୟାଙ୍କ ନୁହେଁ କି? ଆଦିର ବର୍ତ୍ତମାନ ସୁଦ୍ଧା କୈାଣସି ଜବାବ୍ ନମିଳିବା ଦୁର୍ଭାଗ୍ୟଜନକ ବିଷୟ ବୋଲି କହିବା ସହ ଦୀର୍ଘ ୨୧ ବର୍ଷର ଶାସନ କ୍ଷମତା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟର ମା’ ଓ ଭଉଣୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ତଥାପି ଓଡ଼ିଶା ମା’ ଓ ଭଉଣୀ ମାଗୁଛନ୍ତି ସମ୍ମାନ ଓ ସ୍ୱାଭିମାନ। ଏଭଳି ନିର୍ଭିକାର ଭାବରେ ବସି ରହିଲେ ଆଗାମୀ ଦିନରେ ନବୀନ ସରକାରକୁ ବଙ୍ଗୋପସାଗରରେ ଫୋପାଡ଼ି ଦେବାକୁ ପଛେଇବେ ନାହିଁ ବୋଲି ସ୍ମୃତି ପଟ୍ଟନାୟକ କହିଥିଲେ।

ସେହିପରି ମହାମାରୀ ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଗୁରୁତ୍ୱ ଦେଇ ମାଗଣ ରୋଷେଇ ଗ୍ୟାସ ବଣ୍ଟନ କରିଥିଲେ। ଏପରିକି ଚଳିତ ଆର୍ଥିକ ବର୍ଷ ବଜେଟରେ ମାଗଣ ଗ୍ୟାସ ବଣ୍ଟନ ପାଇଁ ଅର୍ଥ ବରାଦ କରିଛନ୍ତି। ୨୦୧୭ ମସିହାରୁ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମୋଦି ସରକାର “ପୋଷଣ ଯୋଜନା” ଆରମ୍ଭ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମହିଳା ବିରୋଧୀ ଅଭିମୁଖ୍ୟ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କାନନବାଳା ପଟ୍ଟନାୟକ, ନିୟତି ଗିରି, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ଅନୁ ଚୈାଧୁରୀ, ରାଜ୍ୟ ସମ୍ପାଦିକା ରଶ୍ମୀରେଖା ଦାଶ, ଇତିଶ୍ରୀ ଜେନା, ସୁଭାଷିନୀ ବଳ, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ଉନ୍ନତି ପରିଡ଼ା, ପ୍ରବୀଣା ଭଞ୍ଜଦେଓ ଏବଂ ପ୍ରବୀଣା ମହାପାତ୍ରଙ୍କ ସମେତ ବହୁ ନେତୃବୃନ୍ଦା ଏବଂ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
-@Dr

ବିଶ୍ୱ ମହିଳା ଦିବସ ଅବସରରେ ମାହାଙ୍ଗାରେ ବିଶାଳ ମହିଳା ସମାବେଶ; ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବେ: ପୁରନ୍ଦେଶ୍ୱରୀ