Odiapua.com

ଓଡ଼ିଶା ବିଜେପିର ରହସ୍ୟମୟ ତଥା ଆତ୍ମଘାତୀ ସାମ୍ବାଦିକ ସମ୍ମିଳନୀ ..

ଭୁବନେଶ୍ୱର: ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ମିଛ ଡିଣ୍ଡିମର ସତ ପୋଲ୍ ଖୋଲିଛି। ୨୨ ବର୍ଷର ନିରଙ୍କୁଶ ସରକାର ଏବଂ ୨୫ ବର୍ଷର ଜନ ସେବା ବଡ଼ ବଡ଼ ବିଜ୍ଞାପନର ପ୍ରଚାର ସର୍ବସ୍ୱ ସରକାରଙ୍କର ମିଛ ରାଜ୍ୟର ୪.୫ କୋଟି ଲୋକ ବିଶେଷ ଭାବରେ ମହିଳାମାନଙ୍କୁ ବ୍ୟଥିତ କରୁଛି। ଅତୀତରେ ସ୍ମିତାରାଣୀ, ମମିତା ମେହେର ଘଟଣାରେ ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଲୋକଙ୍କ ମନ ଭିତରୁ ଯାଇନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅର୍ଚ୍ଚନା ନାଗ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି। କାହା ଚାପରେ ପୋଲିସ୍ ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଘଟଣାର ତଦନ୍ତକୁ ଚାପି ଦେବାର ପ୍ରୟାସ କରୁଛି? ଶାସକ ବିଜେଡିର ପ୍ରତ୍ୟକ୍ଷ ପୃଷ୍ଟପୋଷକତାରେ ଗତ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିଲା ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଓ ‘ବ୍ଲାକମେଲିଂ ରାକେଟ୍‌’। ପୋଲିସ୍ ଜବତ୍ କରିଥିବା ସମସ୍ତ ତଥ୍ୟ ପ୍ରମାଣ ସହିତ ସଂପୃକ୍ତ ଥିବା ବିଜେଡିର ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ୍, ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସୂଚୀକୁ ସାର୍ବଜନୀନ କରାଯାଉ ଏବଂ ଏହାର ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ। ତେବେ, ଆଜି ବିଜେପିର ଏହି ସାମ୍ବାଦିକ ସମ୍ମିଳନୀ ବଡ଼ ରହସ୍ୟମୟ ଥିଲା!ରହସ୍ୟମୟ କହିବାର ଅନେକ ଗୁଡ଼ିଏ କାରଣ ରହିଛି। ଯଦି କେହି ସେମିତି ଏହାକୁ ତର୍ଜମା କରେ, ତେବେ ମନରେ ସନ୍ଦେହ ଉଠିବା ନିଶ୍ଚିତ। ଯେପରିକି, ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖିଥିଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ଦୁଇ ପାଖରେ ବସି ରହିଥିଲେ ପୂର୍ବତନ ମନ୍ତ୍ରୀ, ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଅନିତା ଶୁଭଦର୍ଶିନୀ ଏବଂ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର। ଏମାନେ ସମସ୍ତେ ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ସମସ୍ତେ ବଡ଼ବଡ଼ ପଦାଧିକାରୀ। ଏମାନେ କେହି କିଛି କହିନଥିଲେ। କହିଥିଲେ କେବଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏମାନେ ସମସ୍ତେ ତାଙ୍କ ସମର୍ଥନରେ କେବଳ ବସି ରହିଥିଲେ। ଏମିତିରେ ବିଶେଷ କରି ଲେଖାଶ୍ରୀ ଉପସ୍ଥିତ ଥାଇ ଆଉ ଜଣେ କିଏ କହିବ, (ସେ ପୁଣି ଏକ ମୋର୍ଚ୍ଚାର ସଭାନେତ୍ରୀ କହିବ) ଆଉ ଲେଖାଶ୍ରୀ କେବଳ ନିରବ ହୋଇ ବସି ରହି ମୌନ ସମର୍ଥନ ଦେବେ, ଏପରି ଘଟଣା ହୁଏତ କେବେ କେହି ଦେଖିନଥିବେ। କିନ୍ତୁ, ଆଜି ଏପରି ଦେଖିବାକୁ ମିଳିଲା! ଦ୍ଵିତୀୟରେ ଆଜିର ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିବା ବେଳେ ଆଦୌ ସ୍ୱାଭାବିକ ନଥିଲେ। ଅପ୍ରସ୍ତୁତ ଥିଲା ପରି ଜଣା ପଡ଼ୁଥିଲେ। ସତେ ଯେପରି ସେ କ’ଣ କହିବାକୁ ଯାଉଛନ୍ତି, ନିଜେ ପୂର୍ବରୁ ଅବଗତ ନଥିଲେ ଏବଂ ଶେଷ ସମୟରେ ହୁଏତ ନିର୍ଦ୍ଦେଶ ଆସିଥିବା ଲେଖାଟିକୁ ସେ ବାରମ୍ବାର କାଗଜ ଦେଖି ପଢ଼ୁଥିଲେ। ତୃତୀୟରେ ସେ ପୁରୀ ଜିଲ୍ଲା ପରିଷଦଙ୍କ ମୃତ୍ୟୁ ଘଟଣା ଉଠାଇଥିଲେ ମଧ୍ୟ ଫୋକସ୍ କିନ୍ତୁ “ଅର୍ଚ୍ଚନା ହନି ଟ୍ରାପ୍” ଘଟଣା ଉପରେ ଥିଲା। ଏପରିକି ସେ ନିଜେ ଏବେ ଏକ ଟିମ୍ ସହ କନ୍ଧମାଳ ଗର୍ଭବତୀ ନାବାଳିକା ମୃତ୍ୟୁ ଘଟଣା ନେଇ ଘଟଣା ସ୍ଥଳକୁ ଯାଇ ଫେରିଥିଲେ ମଧ୍ୟ ସେ ନିଜେ ଯାଇଥିବା ଘଟଣା ଉପରେ ମଧ୍ୟ ଗୁରୁତ୍ୱ ଦେଇନଥିଲେ। ଫୋକସ୍ କେବଳ ଥିଲା “ଅର୍ଚ୍ଚନା ହନି ଟ୍ରାପ୍” ଘଟଣା। ଏହାର ସେ ସିବିଆଇ ତଦନ୍ତ ଦାବୀ କଲେ ଏବଂ ସମ୍ବାଦିକ ସମ୍ମିଳନୀ ସାରି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ନଦେଇ ତରବରିଆ ଭାବରେ ଏମାନେ ସମସ୍ତେ ସ୍ଥାନ ଛାଡ଼ିବାକୁ ଚାହୁଁଥିଲେ।

ଅର୍ଚ୍ଚନା ହନି ଟ୍ରାପ୍ ଘଟଣାରେ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପୃକ୍ତି ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନ ଥିଲା। ଏମିତିରେ ନିକଟରେ ଏବେ ଅର୍ଚ୍ଚନା ହନି ଟ୍ରାପ୍ ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଥିଲେ ସ୍ମୃତି ପଟ୍ଟନାୟକ। ପ୍ରାୟୋଜିତ ଢଙ୍ଗରେ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା। ସ୍ମୃତି ପ୍ରଶ୍ନ ଉଠାଇବା ପରେ ହିଁ ଏହି ଘଟଣାରେ ସଂପୃକ୍ତି ଥିବା ବିଜେଡିର ଅନ୍ୟ କେଉଁ ନେତାଙ୍କ ଅପେକ୍ଷା ବରଂ ବିଜେପି ନେତାଙ୍କ ନାମ ଅଧିକ ଉଠିଲା। ଜୁଏଲ ଓରାମ ଏବଂ ବିଶେଷ କରି କନକ ବର୍ଦ୍ଧନଙ୍କ ନାଁ’ ବେଶୀ ଚର୍ଚ୍ଚା ଆଲୋଚନାକୁ ଆସିଲା। ଆଉ ଏବେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ପରେ କନକ ବର୍ଦ୍ଧନଙ୍କ ସଂପୃକ୍ତି ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନ ଥିଲା। ସତେ ଯେପରି ବିଜେପି ଖୋଜୁଥିଲା ବିଜେଡି ଲିଙ୍କ୍ ବାହାରିଲା କିନ୍ତୁ, ବିଜେପି ଲିଙ୍କ୍! ନୁହେଁ କି ଏହା ରହସ୍ୟମୟ ଏବଂ ଆତ୍ମଘାତୀ?
-/DevDrath

ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!