ଭୁବନେଶ୍ୱର: ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ମିଛ ଡିଣ୍ଡିମର ସତ ପୋଲ୍ ଖୋଲିଛି। ୨୨ ବର୍ଷର ନିରଙ୍କୁଶ ସରକାର ଏବଂ ୨୫ ବର୍ଷର ଜନ ସେବା ବଡ଼ ବଡ଼ ବିଜ୍ଞାପନର ପ୍ରଚାର ସର୍ବସ୍ୱ ସରକାରଙ୍କର ମିଛ ରାଜ୍ୟର ୪.୫ କୋଟି ଲୋକ ବିଶେଷ ଭାବରେ ମହିଳାମାନଙ୍କୁ ବ୍ୟଥିତ କରୁଛି। ଅତୀତରେ ସ୍ମିତାରାଣୀ, ମମିତା ମେହେର ଘଟଣାରେ ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଲୋକଙ୍କ ମନ ଭିତରୁ ଯାଇନଥିବା ବେଳେ ବର୍ତ୍ତମାନ ପୁଣି ଥରେ ଅର୍ଚ୍ଚନା ନାଗ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା ରାଜ୍ୟବାସୀଙ୍କୁ ମର୍ମାହତ କରିଛି। କାହା ଚାପରେ ପୋଲିସ୍ ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଘଟଣାର ତଦନ୍ତକୁ ଚାପି ଦେବାର ପ୍ରୟାସ କରୁଛି? ଶାସକ ବିଜେଡିର ପ୍ରତ୍ୟକ୍ଷ ପୃଷ୍ଟପୋଷକତାରେ ଗତ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିଲା ‘ଅର୍ଚ୍ଚନା ନାଗ ହନିଟ୍ରାପ୍’ ଓ ‘ବ୍ଲାକମେଲିଂ ରାକେଟ୍’। ପୋଲିସ୍ ଜବତ୍ କରିଥିବା ସମସ୍ତ ତଥ୍ୟ ପ୍ରମାଣ ସହିତ ସଂପୃକ୍ତ ଥିବା ବିଜେଡିର ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ୍, ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସୂଚୀକୁ ସାର୍ବଜନୀନ କରାଯାଉ ଏବଂ ଏହାର ସଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ। ତେବେ, ଆଜି ବିଜେପିର ଏହି ସାମ୍ବାଦିକ ସମ୍ମିଳନୀ ବଡ଼ ରହସ୍ୟମୟ ଥିଲା!
ଅର୍ଚ୍ଚନା ହନି ଟ୍ରାପ୍ ଘଟଣାରେ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପୃକ୍ତି ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନ ଥିଲା। ଏମିତିରେ ନିକଟରେ ଏବେ ଅର୍ଚ୍ଚନା ହନି ଟ୍ରାପ୍ ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇଥିଲେ ସ୍ମୃତି ପଟ୍ଟନାୟକ। ପ୍ରାୟୋଜିତ ଢଙ୍ଗରେ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା। ସ୍ମୃତି ପ୍ରଶ୍ନ ଉଠାଇବା ପରେ ହିଁ ଏହି ଘଟଣାରେ ସଂପୃକ୍ତି ଥିବା ବିଜେଡିର ଅନ୍ୟ କେଉଁ ନେତାଙ୍କ ଅପେକ୍ଷା ବରଂ ବିଜେପି ନେତାଙ୍କ ନାମ ଅଧିକ ଉଠିଲା। ଜୁଏଲ ଓରାମ ଏବଂ ବିଶେଷ କରି କନକ ବର୍ଦ୍ଧନଙ୍କ ନାଁ’ ବେଶୀ ଚର୍ଚ୍ଚା ଆଲୋଚନାକୁ ଆସିଲା। ଆଉ ଏବେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ପରେ କନକ ବର୍ଦ୍ଧନଙ୍କ ସଂପୃକ୍ତି ନେଇ ସାମ୍ବାଦିକ ମାନଙ୍କର ପ୍ରଶ୍ନ ଥିଲା। ସତେ ଯେପରି ବିଜେପି ଖୋଜୁଥିଲା ବିଜେଡି ଲିଙ୍କ୍ ବାହାରିଲା କିନ୍ତୁ, ବିଜେପି ଲିଙ୍କ୍! ନୁହେଁ କି ଏହା ରହସ୍ୟମୟ ଏବଂ ଆତ୍ମଘାତୀ?
-/DevDrath
ବିଜେପି ସିନା ଖୋଜୁଥିଲା ବିଜେଡି ଲିଙ୍କ୍; ବାହାରି ପଡ଼ିଲା ବିଜେପି ଲିଙ୍କ୍!