Odiapua.com

ବରଗଡ଼ରରେ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ କୋଭିଡ୍- ୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ସାଂସଦ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ମାନଙ୍କ ଉପସ୍ଥିତିରେ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାମାରୀର ମୁକାବିଲା ପାଇଁ ବରଗଡ଼ର ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଇଣ୍ଡିଆନ ଓଏଲସିଏସଆର ପାଣ୍ଠିରୁ ଖର୍ଚ୍ଚ କରି ଡିଭିଆର ଏବଂ ଜିଆରସିଆର ମେମୋରିଆଲ ଟ୍ରଷ୍ଟ ସହଯୋଗରେ ୭୦ଟି ଭେଣ୍ଟିଲେଟର ସହିତ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର ବେଡର ଅପଗ୍ରଡେସନ କରିବା ସହ ଆନୁଷଙ୍ଗିକ ଉପକରଣର ବ୍ୟବସ୍ଥା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼ -୧୯ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ବରଗଡ଼ରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କର୍ପୋରେଟ୍ ଅନୁଷ୍ଠାନ ମାନେ ଟେଷ୍ଟିଂ ବଢ଼ାଇବା, ନିଜ ବ୍ୟବସ୍ଥାରେ ଟିକାକରଣ ସୁବିଧା କରିବା, ଭେଣ୍ଟିଲେଟର, ଅମ୍ଳଜାନ ଯୋଗାଣ, ଆଇସିୟୁ ସହ ବେଡ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ ଉପକରଣର ଉପଲବ୍ଧିକୁ ବିକଶିତ କରି ବର୍ତ୍ତମାନ କୋଭିଡ୍ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ କୋଭିଡ୍- ୧୯କୁ ପ୍ରତିହତ କରିବା ପାଇଁ ସଏଲ ଷ୍ଟିଲ୍ ସହଯୋଗରେ ରାଉରକେଲା ସହରରେ ୬୦୦ଟି ବେଡ, ସୁନ୍ଦରଗଡ଼ରେ ଏନଟିପିସି ଲିମିଟେଡ୍ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୫୦୦ଟି ବେଡ୍, ଝାରସୁଗୁଡ଼ାରେ ମହାନଦୀ କୋଲ୍ ଦ୍ୱାରା ୧୫୦ଟି ଅକ୍ସିଜେନ ସଂଯୁକ୍ତ ବେଡ଼୍ ଓ ସମ୍ବଲପୁରରେ ୧୦୦ଟି ବେଡର ବ୍ୟବସ୍ଥା କରାଯାଉଛି। କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା ଆରମ୍ଭ ହେଉଥିବା ଟିକାକରଣ ବ୍ୟବସ୍ଥାରେ ବରଗଡ଼ ଜିଲ୍ଲାକୁ ସାମିଲ କରାଯାଇଥିବାରୁ ଖୁସି ପ୍ରକଟ କରିବା ସହ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ବ୍ୟବସ୍ଥା ବ୍ୟତିତ କର୍ପୋରେଟ୍ ଅନୁଷ୍ଠାନମାନେ ୧+୧ ଟିକା ଅର୍ଥାତ୍ ନିଜ କର୍ମଚାରୀଙ୍କୁ ଟିକା ଦେବା ସହ ଅସହାୟ ଲୋକଙ୍କୁ ଟିକା ଦେବାର ଦାୟିତ୍ୱ ନେବେ ବୋଲି ଆଶା କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
-@Dr