Odiapua.com

ବିଜେପିରେ ଯୋଗଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ – କହିଲେ କାହିଁକି ଛାଡ଼ିଲେ କଂଗ୍ରେସ

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ହୋଲିରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାରଦିନ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାପରେ କମଲନାଥଙ୍କ ନେତ୍ତୃତ୍ତ୍ୱରେ ଥିବା କଂଗ୍ରେସ ସରକାରର ପତନ ହେବା ପ୍ରାୟ ନିଶ୍ଚିତ ଲାଗୁଛି। କଂଗ୍ରେସରେ ରାହୁଲ ଗାନ୍ଧୀଙ୍କ ନିକଟତର ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହୋଲି ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି, ଏହା ପରେ ମଧ୍ୟପ୍ରଦେଶ କଂଗ୍ରେସର ୨୨ ଜଣ ବିଧାୟକ ମଧ୍ୟ ଦଳ ଛାଡିଛନ୍ତି। ଭାରତୀୟ ଜନତା ପାର୍ଟି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଇବା ପ୍ରାୟତଃ ନିଶ୍ଟିତ ହୋଇଯାଇଛି।

ବିଜେପିରେ ଯୋଗଦେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସିନ୍ଧିଆ କହିଛନ୍ତି ଯେ ମୋ ଜୀବନରେ ଦୁଇଟି ତାରିଖ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମଟି ୩୦ ସେପ୍ଟେମ୍ବର ୨୦୦୧, ଯେଉଁ ଦିନ ମୁଁ ମୋ ବାପାଙ୍କୁ ହରାଇଥିଲି, ତାହା ଏକ ଜୀବନ ପରିବର୍ତ୍ତନକାରୀ ଦିନ ଏବଂ ଦ୍ୱିତୀୟ ତାରିଖ ହେଉଛି ୧୦ ମାର୍ଚ୍ଚ ୨୦୨୦ ଯେଉଁଦିନ ମୁଁ ଜୀବନରେ ଏକ ବଡ଼ ନିଷ୍ପତ୍ତି ନେଇଛି।

ସିନ୍ଧିଆ କହିଛନ୍ତି ଯେ ଆଜି ମୁଁ ଦୁଃଖୀତ। ପୂର୍ବର କଂଗ୍ରେସ ଦଳ ଆଉ ନାହିଁ, ଏହାର ତିନୋଟି କାରଣ। ପ୍ରଥମଟି ହେଉଛି ବାସ୍ତବତାକୁ ଅସ୍ୱୀକାର କରିବା, ନୂତନ ଚିନ୍ତାଧାରା ଏବଂ ନେତୃତ୍ୱକୁ ନ ଚିହ୍ନିବା।

ସିନ୍ଧିଆ କହିଛନ୍ତିଯେ, ୨୦୧୮ ରେ ଯେତେବେଳେ ମଧ୍ୟପ୍ରଦେଶରେ ସରକାର ଗଠନ ହେଲା, ଗୋଟିଏ ସ୍ୱପ୍ନ ଥିଲା, କିନ୍ତୁ ତାହା ଭାଙ୍ଗି ଯାଇଛି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାଁନ୍ତି। କଂଗ୍ରେସରେ ରହି ଜନସେବା କରାଯାଇପାରିବ ନାହିଁ।

ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଆଜି ମଧ୍ୟପ୍ରଦେଶରେ ଟ୍ରାନ୍ସଫର ମାଫିଆ ଶିଳ୍ପ ଚାଲିଛି। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମୋତେ ଏକ ନୂତନ ପ୍ଲାଟଫର୍ମ ଦେଇଛନ୍ତି।

ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡ୍ଡା କହିଥିଲେଯେ, ଜନସଂଙ୍ଘ ଏବଂ ବିଜେପିର ପ୍ରତିଷ୍ଠା ତଥା ବିସ୍ତାର କରିବାରେ ରାଜମାତା ସିନ୍ଧିଆଙ୍କର ପ୍ରମୁଖ ଭୂମିକା ଥିଲା। ଆଜି ତାଙ୍କ ନାତି ଆମ ପାର୍ଟିକୁ ଆସିଛନ୍ତି। ଜେପି ନଡ୍ଡା କହିଛନ୍ତି ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆ ପରିବାରର ଜଣେ ସଦସ୍ୟ, ଏଭଳି ପରିସ୍ଥିତିରେ ଆମେ ତାଙ୍କୁ ସ୍ୱାଗତ କରୁଛୁ।