Odiapua.com

ଝାନସୀ ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮)

ଦେବଦତ୍ତ ରଥ
ରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ମସିହା ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନାୟିକା ରାଣୀ ଲକ୍ଷ୍ମୀବାଈ।ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତା ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନଙ୍କର ପ୍ରମୁଖ ଭୂମିକା ରହିଥିଲା,ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା।ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ଛୋଟ ବୟସରୁ ଖଡ୍ଗ ଚାଳନା, ଅଶ୍ଵାରୋହଣ,ବିଭିର୍ଣ୍ଣ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ଖୁବ୍ ପାରଙ୍ଗମ ଥିଲେ।

ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ହିନ୍ଦୁ ମାନଙ୍କର ପବିତ୍ର ସହର ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ଥିଲା ମନୁ।ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ।ମନୁ ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତାଙ୍କ ମୃତ୍ୟୁବରଣ ହୋଇଥିଲା।

ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ।ତାଙ୍କର କୈଣସି ସନ୍ତାନ ନଥିଲେ।୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜ ମାନେ ସ୍ଵୀକାର ନକରି ଝାନସୀକୁ ଇଂରେଜମାନେ ଦଖଲ କରିଥିଲେ।ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ।ଫଳରେ ଯୁଦ୍ଧ ହୋଇଥିଲା।ସେ ଇଂରେଜମାନଙ୍କଠୁ ଝାନ୍‌ସୀ ଫେରାଇ ନେବାକୁ ଶପଥ ନେଇଥିଲେ।ଇଂରେଜମାନଙ୍କୁ ଯୁଦ୍ଧରେ ଧୂଳି ଚଟାଇ ଦେଇଥିଲେ।ସନ୍ତାନକୁ କୋଳରେ ଧରି ଅଶ୍ଵାରୋହଣ କରି ଯୁଦ୍ଧ କରୁଥିଲେ ଏହି ବିରଙ୍ଗନା।ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା।୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ଵାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ।ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା।ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜ ମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡାଇଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଝାନ୍‌ସୀର ସେନା ଇଂରେଜଙ୍କ ସେନାଠୁ କମ୍‌ ହୋଇଥିବାରୁ ଲକ୍ଷ୍ମୀବାଈଙ୍କୁ ନିଜର ପ୍ରାଣବଳୀ ଦେବାକୁ ପଡ଼ିଥିଲା।ଲକ୍ଷ୍ମୀ ବାଈଙ୍କର ଏହି ଅଦମ୍ୟ ସାହସ ଓ ବଳିଦାନ ପାଇଁ ନିଜେ ଇଂରେଜମାନେ ତାଙ୍କୁ ‘ଜୋନ୍ ଅଫ୍ ଆର୍କ’ର ଆଖ୍ୟା ଦେଇଥିଲେ।

ଆଜି ହେଉଛି ଲକ୍ଷ୍ମୀବାଈଙ୍କର ଜନ୍ମତିଥି।ଆଜିର ଦିନରେ ଦେଶର ଗର୍ବ ଗୌରବ ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମ ହୋଇଥିଲା।ଇଂରେଜମାନଙ୍କୁ ହଟାଇ ଦେଶ ପାଇଁ ସ୍ୱାଧିନତା ଆଣିବାରେ ସେ ନିଜର ପ୍ରାଣ ଉତ୍ସର୍ଗ କରିଦେଇଥିଲେ। ସ୍ୱାଧିନତା ସଂଗ୍ରାମରେ ରାଣୀ ଲକ୍ଷ୍ମୀବାଈଙ୍କର ନାଁ ସର୍ବଦା ଅମର।

ଓଡ଼ିଶା ଭଉଣୀ ଲକ୍ଷ୍ମୀବାଈ:
କେବଳ ଝାନ୍‌ସୀ ନୁହେଁ ଓଡ଼ିଶା ସହ ମଧ୍ୟ ରାଣୀ ଲକ୍ଷ୍ମୀବାଈଙ୍କର ରହିଛି।ରାଣୀ ଲକ୍ଷ୍ମୀବାଈ ଥିଲେ ଓଡ଼ିଶାର ଭଉଣୀ।ଜଗନ୍ନାଥ ମହାପ୍ରଭୁଙ୍କ ସେବା ସହ ମା’ ମାଟିକୁ ଭଲ ପାଇ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଦଖଲ ପାଇଁ ଇଂରେଜମାନେ ବହୁ ପନ୍ଧିଫିକର କରୁଥିବା ବେଳେ ତାଙ୍କୁ ନାକେଦମ୍‌ କରିଥିବା ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ଧର୍ମ ଭଗ୍ନି ଥିଲେ ରାଣୀ ଲକ୍ଷ୍ମୀବାଈ।ପିଲାବେଳେ ନିଜ ପିତାଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ଲକ୍ଷ୍ମୀବାଈ। ତାଙ୍କ କୌଳିକ ପଣ୍ଡା ଥିଲେ ଚାଖିଙ୍କ ପିତା।ଚାଖି ଏବଂ ଲକ୍ଷ୍ମୀ ସମବୟସ୍କ ହୋଇଥିବାରୁ ଉଭୟ ଉଭୟଙ୍କ ପ୍ରତି ବେଶ୍‌ ଆକର୍ଷିତ ହୋଇଥିଲେ।ଏହା ଦେଖି ଦୁହିଁଙ୍କ ପିତା ଉଭୟଙ୍କୁ ମହାପ୍ରସାଦ ଖୁଆଇ ନିଳଚକ୍ରକୁ ଚାହିଁ ଭାଇ/ଭାଉଣୀର ନିଆରା ସମ୍ପର୍କରେ ବାନ୍ଧି ଦେଇଥିଲେ।ପିଲାବେଳର ଏହି ସମ୍ପର୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଉଭୟ ପାଳନ କରିଥିଲେ।ଏପରିକି ରାଣୀ ଲକ୍ଷୀବାଈ ନିଜ ସାମ୍ରାଜ୍ୟ ସୁରକ୍ଷା ପାଇଁ ଯୁଦ୍ଧ କରୁଥିବା ଖବର ପାଇ ଭଉଣୀଙ୍କୁ ସହାୟତା କରିବାକୁ ଚାଖି ଖୁଣ୍ଟିଆ ଇଂରେଜମାନଙ୍କ ଆଖିରେ ଧୂଳି ଦେଇ ଝାନ୍‌ସୀ ଯୁଦ୍ଧରେ ସାମିଲ ହୋଇଥିଲେ।/ଦେବଦତ୍ତ