–ଦେବଦତ୍ତ ରଥ
ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ମସିହା ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଜଣେ ପ୍ରମୁଖ ନାୟିକା ରାଣୀ ଲକ୍ଷ୍ମୀବାଈ।ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତା ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନଙ୍କର ପ୍ରମୁଖ ଭୂମିକା ରହିଥିଲା,ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା।ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ଛୋଟ ବୟସରୁ ଖଡ୍ଗ ଚାଳନା, ଅଶ୍ଵାରୋହଣ,ବିଭିର୍ଣ୍ଣ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ଖୁବ୍ ପାରଙ୍ଗମ ଥିଲେ।
ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮ ମସିହା ନଭେମ୍ବର ୧୯ ତାରିଖରେ ହିନ୍ଦୁ ମାନଙ୍କର ପବିତ୍ର ସହର ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଏବଂ ଡାକ ନାମ ଥିଲା ମନୁ।ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ।ମନୁ ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତାଙ୍କ ମୃତ୍ୟୁବରଣ ହୋଇଥିଲା।
କେବଳ ଝାନ୍ସୀ ନୁହେଁ ଓଡ଼ିଶା ସହ ମଧ୍ୟ ରାଣୀ ଲକ୍ଷ୍ମୀବାଈଙ୍କର ରହିଛି।ରାଣୀ ଲକ୍ଷ୍ମୀବାଈ ଥିଲେ ଓଡ଼ିଶାର ଭଉଣୀ।ଜଗନ୍ନାଥ ମହାପ୍ରଭୁଙ୍କ ସେବା ସହ ମା’ ମାଟିକୁ ଭଲ ପାଇ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଦଖଲ ପାଇଁ ଇଂରେଜମାନେ ବହୁ ପନ୍ଧିଫିକର କରୁଥିବା ବେଳେ ତାଙ୍କୁ ନାକେଦମ୍ କରିଥିବା ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ଧର୍ମ ଭଗ୍ନି ଥିଲେ ରାଣୀ ଲକ୍ଷ୍ମୀବାଈ।ପିଲାବେଳେ ନିଜ ପିତାଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ଲକ୍ଷ୍ମୀବାଈ। ତାଙ୍କ କୌଳିକ ପଣ୍ଡା ଥିଲେ ଚାଖିଙ୍କ ପିତା।ଚାଖି ଏବଂ ଲକ୍ଷ୍ମୀ ସମବୟସ୍କ ହୋଇଥିବାରୁ ଉଭୟ ଉଭୟଙ୍କ ପ୍ରତି ବେଶ୍ ଆକର୍ଷିତ ହୋଇଥିଲେ।ଏହା ଦେଖି ଦୁହିଁଙ୍କ ପିତା ଉଭୟଙ୍କୁ ମହାପ୍ରସାଦ ଖୁଆଇ ନିଳଚକ୍ରକୁ ଚାହିଁ ଭାଇ/ଭାଉଣୀର ନିଆରା ସମ୍ପର୍କରେ ବାନ୍ଧି ଦେଇଥିଲେ।ପିଲାବେଳର ଏହି ସମ୍ପର୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଉଭୟ ପାଳନ କରିଥିଲେ।ଏପରିକି ରାଣୀ ଲକ୍ଷୀବାଈ ନିଜ ସାମ୍ରାଜ୍ୟ ସୁରକ୍ଷା ପାଇଁ ଯୁଦ୍ଧ କରୁଥିବା ଖବର ପାଇ ଭଉଣୀଙ୍କୁ ସହାୟତା କରିବାକୁ ଚାଖି ଖୁଣ୍ଟିଆ ଇଂରେଜମାନଙ୍କ ଆଖିରେ ଧୂଳି ଦେଇ ଝାନ୍ସୀ ଯୁଦ୍ଧରେ ସାମିଲ ହୋଇଥିଲେ।/ଦେବଦତ୍ତ