ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାଳରେ ମଧ୍ୟ ଏପରି ବିଶୃଙ୍ଖଳା ଦେଖାଦେଇଥିଲା। ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଧକ୍କା ମାରିବାର ଭିଡିଓ ଭାଇରାଲ୍ ହେଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ କିମ୍ବା ଧର୍ମେନ୍ଦ୍ରଙ୍କୁ ଖୁସି କରାଇବା ପାଇଁ ଠାକୂର ରଞ୍ଜିତ ଏପରି କଲେ ବୋଲି କୁହାଗଲା। କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ଠାକୂର ରଞ୍ଜିତ ମନ୍ତ୍ରୀଙ୍କ ଖାସ୍ ଅନୁଗତ ହୋଇଥିବାରୁ ସାଧାରଣରେ ଏହା ଧର୍ମେନ୍ଦ୍ରଙ୍କ ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରାଇଲା। ଫେରିଲା ବେଳେ ରାଜ୍ୟ ମୁଣ୍ଡିଆଳ ତଥା ରାଜ୍ୟ ନେତୃତ୍ୱଙ୍କ ଉପରେ ପ୍ରବଳ ଅସନ୍ତୋଷ ତଥା ଭର୍ତ୍ସନା କରି ଫେରିଥିଲେ ଶାହା। ସେହିପରି ରାଷ୍ଟ୍ରପତି ପାର୍ଥିନୀ ଭାବରେ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରିବା ସମୟରେ ବିଜେପିର ଏକମାତ୍ର ମହିଳା ବିଧାୟିକା କୁଶୁମ ଟେଟେଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଠେଲି ଦେବାର ଦେଖିବାକୁ ମିଳିଥିଲା। ଆଉ ସବୁଠାରୁ ବଡ଼ କଥା ହେଲା ରାଜ୍ୟ ବିଜେପିରେ ଚାଲିଥିବା ଏପରି ଗୋଷ୍ଠୀ ବିବାଦ ବାବଦରେ ସଂପୂର୍ଣ୍ଣ ଅବଗତ ଥିବା ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ୍ ସନ୍ତୋଷ ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଏମାନଙ୍କୁ ଖୁବ୍ ଭର୍ତ୍ସନା କରିବା ସହିତ ସୁଧୁରିଯିବା ପାଇଁ କଡ଼ା ତାଗିଦ୍ କରିଦେଇ ଯାଇଥିଲେ। ଏବେ ପୁଣି ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏକ ବୈଠକରେ ରାଜ୍ୟ ପ୍ରବକ୍ତା ଯତୀନ ମହାନ୍ତି ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ଥିଲା, ବ୍ୟକ୍ତି ବଡ଼ ନାଁ, ସଙ୍ଗଠନ ବଡ଼? ତେବେ, ଏହାର ଉତ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ ଯେ, ଆରବୀ ଘୋଡ଼ା ତ’ ଦୌଡ଼ିବ। ସଇସ (ଘୋଡ଼ା ଚାଳକର) କାମ ସେ କିପରି ଘୋଡ଼ାକୁ ନିୟନ୍ତ୍ରଣ କରିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଏପରି ଶାଣିତ ଉତ୍ତର ଶୁଣି ଯତୀନ ମହାନ୍ତି ଅପ୍ରସ୍ତୁତ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା (ଆପେକ୍ଷିତ) ପଦାଧିକାରୀ ମାନେ ମଧ୍ୟ ଆବାକାବା ହୋଇଯାଇଥିଲେ। ଆଉ, ନଡ୍ଡାଙ୍କ ଏପରି ଉତ୍ତର ଶୁଣି ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ ପୂରା ମଳିନ ପଡ଼ିଯାଇ ଥିଲା। କାରଣ, କୁହାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ଯତୀନ ମହାନ୍ତିଙ୍କ ଏହି ପ୍ରଶ୍ନ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ହିଁ ଆକ୍ଷେପ ଥିଲା।
-/DevDrath